Raghabanka lanka jatranukula- ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
ରାଘବଙ୍କ ଲଙ୍କା ଯାତ୍ରାନୁକୂଳ
-କବି ସମ୍ରାଟ୍
ଉପେନ୍ଦ୍ର ଭଞ୍ଜ
ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ
ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ ।ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ
ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ, ସେ ହିଁ ଏ
ଅପଚେଷ୍ଟା ର ବହୁମୂଲ୍ୟ ।
Analysed By-M.B. Prasad.
ପୂର୍ବାଭାସ:-
ନିମ୍ନଲିଖିତ
ପଂକ୍ତି ସବୁକୁ ଧ୍ୟାନ ର ସହ ପଢ ।
ନିର୍ମଳ ଚନ୍ଦ୍ର
ମଣ୍ଡଳ ଶରଦେ ବିରାଜି,
ଦିଶେ ଯଥା ଦର୍ପକ ଦର୍ପଣ ଥିଲେ ମାଜି (ପ୍ରେମ ସୁଧାନିଧି)
ଦୂରେ ଥିଲେ ପାଶେ
ଅଛି ଥିବୁ ଏହା ଘେନି
କେତେ ଦୂରେ ଚନ୍ଦ୍ର
କେତେ ଦୂରେ କୁମୁଦିନୀ (ପ୍ରେମ ସୁଧାନିଧି)
ପଢିବା ପୂର୍ବରୁ
ପଦେଅଧେ -
“ଦେଖି ନବକାଳିକା ବକାଳିକା ମାଳିକା
ଆଳି କାଳିକା କାନ୍ତ ସ୍ମରି ।
ରକ୍ଷା କେମନ୍ତେ
କରି କରିବା ମତ୍ତକରୀ
ଗତିକି ଏମନ୍ତ ବିଚାରି
ରେ ସହଚରୀ ।
ଭାବେ ବଞ୍ଚିଲେ ଏ
କାଳକୁ, କଥା ଥିବ କାଳ କାଳକୁ
ଏକେ ତ କ୍ଷୀଣ ଦିନ ହେଲା ଦୁର୍ଦ୍ଧିନ ଦିନ
ନ ଲଭୁ ବଲ୍ଲଭମେଳକୁ ରେ ।“
-ଲାବଣ୍ୟବତୀ- କବିସମ୍ରାଟ୍ ଉପେନ୍ଦ୍ର
ଭଞ୍ଜ
ଦୀପ ଟିଏ ଜଳିଉଠିଲେ ଅନ୍ଧାରକୁ ଭେଦକରି ଆଲୋକ ମାଡିଚାଲେ ଆମେ ଦେଖିଥାଉଁ ସିନା
ଦେଖିପାରିନଥାଉଁ ଆଲୋକ ଦେବା ପାଇଁ ଦୀପ ନିଜକୁ ଜାଳି
ବସିଥାଏ ବୋଲି । ସବୁକିଛି ହରାଇ ସାଧକ ସାଧନା ର ସୌଧ ର ଚୁଡା ରେ ପହଞ୍ଚି, ଜୀବନ ର ସବୁକିଛି କୁ ଜଳାଞ୍ଜଳି ଦେଇ, ସୃଷ୍ଟି କରିବସେ
ଅନିନ୍ଦ୍ୟ , ଅପରୂପ, ଅଦ୍ୱିତୀୟ ଶୋଭା ର ସୃଷ୍ଟି , ଯାହାକୁ ନେଇ ଆମେ ଅନୁଭବ କରିଥାଉଁ ଆମ ଭିତରେ ଗର୍ବ, ଗୌରବ ଓ ଏକ ଜାଜ୍ଵଲ୍ୟମାନ କାଳଜୟୀ ସୃଷ୍ଟି ର ମହତ୍ତ୍ୱ କୁ । ପ୍ରସ୍ଫୁଠିତ କୁସୁମ ର ସୁବାସ ସଦୃଶ ସାହିତ୍ୟ ଉପବନରେ ମହକି ଉଠେ ସ୍ରଷ୍ଟା ର ସେହି ଅମୂଲ୍ୟ
ଦିବ୍ୟ ସୃଷ୍ଟି ।
“ବିଭୂଷଣ ପୁଷ୍ପେ ଯା’ କାନ୍ତି ଜାଣ, ବିଭୂଷଣ କରି କନ୍ୟା କୁ ଆଣ ।
ବାରଣଶିରେ ପଦ ଦେଇ
ଆସୁ, ବରଣ କରି ରାମ ମନ ତୋଷୁ ସେ ।
ବୋଲିଦେଲେ କଉଶିକ
ଯେ ।
ବୋଲିଦେଲା ପ୍ରାୟେ
ଗୋଳି ଚନ୍ଦନ କୁ ହୋଇଲେ ରଘୁବଂଶିକ ଯେ ।
-ବୈଦେହୀଶ ବିଳାସ- କବିସମ୍ରାଟ୍
ଉପେନ୍ଦ୍ର ଭଞ୍ଜ
ଏକାକୀତ୍ୱ କୁ ନେଇ ସାଧନା ର ଶିଖରରେ ସାଧକ ଲକ୍ଷ କରେ ମୁଣ୍ଡ ଉପରେ ସୀମାହୀନ ନୀଳ ଆକାଶ ଓ
ପାଦ ତଳେ ବିଶାଳ ପୃଥିବୀ । ସ୍ରଷ୍ଟା ର ଏହି ଦୁଇଗୋଟି ସୃଷ୍ଟି ଭିତରେ ସାଧକ ନୂଆ ଏକ ସୃଷ୍ଟି ର ରଚନା କରିବସେ ଓ ରହସ୍ୟ ର ସଂସାର ଭିତରେ ତାହା ଅନ୍ୟ ଏକ ରହସ୍ୟ ଭାବେ ବଞ୍ଚି ରହେ ଚିରକାଳ ଅମ୍ଲାନ ହୋଇ । ରହସ୍ୟ ସବୁର ସମାହାର କୁ ନେଇ ସୃଷ୍ଟିକରିବସୁଥିବା ରହସ୍ୟମୟ ସୃଷ୍ଟି ର ସେହି ସ୍ରଷ୍ଟାଙ୍କୁ
କୋଟିଏ ଦଣ୍ଡବତ ।
“ବିତଳକୁ ଆଲିଙ୍ଗନ କରି ଜାହ୍ନବୀ
ଶୋଭନ, ହରେ ସୁରବର ତାପ ଚାରୁ ଧାରା ସେ ।
ବହେ ମକର କେତନ
ଉଚ୍ଛନ୍ନ ରତି ସମାନ, ପୂରିତ ହୋଇଛି ପୁଣି ଅଶେଷ ରସେ ।
ବିଦ୍ୟ ହୈମବତୀ
ପଦରେ,
ବିଷକଣ୍ଠ ତୋଷ ଦାନୀ
ବେନି ମତରେ ।“
-ବୈଦେହୀଶ ବିଳାସ-
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ
ସାହିତ୍ୟ ସ୍ରଷ୍ଟା ଶବ୍ଦ ସଂଯୋଜନା ର ଚାତୁର୍ଯ୍ୟତା ସହିତ ଅଳଙ୍କାର ସବୁ ର ପ୍ରୟୋଗ ଦ୍ୱାରା
କାବ୍ୟ ତରୁଣୀ ର ରୂପଶ୍ରୀ କୁ ସହଜରେ ଅଦ୍ୱିତୀୟ କରି ଗଢି ତୋଳିବାରେ ସିଦ୍ଧହସ୍ତ । କୁଶଳୀ କାରିଗର ଯେଉଁଭଳି ତା’ କୃତି ସମୂହରେ କଳାକୌଶଳତା ର ପରିଚୟ ଛାଡିଦେଇଯାଏ , ସାହିତ୍ୟ ସ୍ରଷ୍ଟା ମଧ୍ୟ ଠିକ୍ ସେହିଭଳି କୁହୁକ ଭରା ତା’ ସୃଷ୍ଟି କୁ ରୂପଲାବଣ୍ୟ ର ଭଣ୍ଡାର ଭାବେ ଚିହ୍ନାଇ ଦେଇଯାଏ । ତେଣୁକରି ତ କବି ଦ୍ୱିତୀୟ ବ୍ରହ୍ମା ଭାବରେ ପରିଚିତ । ସ୍ରଷ୍ଟା ର ଅତୁଳନୀୟ ଦୁର୍ଲଭ ସୃଷ୍ଟି, ସାହିତ୍ୟ-ବିଭବ
ଭଣ୍ଡାର ର ରତ୍ନ ସଦୃଶ ।
“ଦେଖ ରେ ନଳିନି ! ନଲିନୀ ନଲିନୀ ରେ ପୂରିତ । ଭ୍ରମନ୍ତି ଭ୍ରମରେ ଭ୍ରମ ରେ ଭ୍ରମ ରେ ଏ ଶୋଭିତ”
- ଲାବଣ୍ୟବତୀ-
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ
ଅଳଙ୍କାର ଭରା କାବ୍ୟ ରୁପସୀ ର ଶରୀର ରେ ଶବ୍ଦ ଚାତୁର୍ଯ୍ୟତା ର ଭାବ ଭରା ରୂପଲାବଣ୍ୟ ଝଟକି
ଉଠୁଥିବା ସ୍ରଷ୍ଟା ର ଚିତ୍ତମୋହନକାରି ଅଦ୍ୱିତୀୟ ସୃଷ୍ଟି, କୌଣସି କଅଁଳ ତରୁଣୀ
ର ମନ ଚୋରା ଚାହାଣି ଠାରୁ କମ୍ ନୁହଁ । ଏଇଠି ସାହିତ୍ୟ ଲାଭ କରେ ପ୍ରାଣ , ହୋଇଉଠେ ଜୀବନ୍ତ ଆଉ ସମୟ ତାକୁ କରେ କାଳଜୟୀ ।ସେ ହୁଏ ଚିର ଅମର ।
“ବୋଲେ ସୁଗ୍ରୀବେ ରାମ କ୍ଳେଶଭାଷା । ବେନି ଜନେ ପଡିଛି ଏକଦଶା
ବିଭାବସୁ ବଂଶେ ଜାତ
ଆମ୍ଭର । ବିଧିରେ ତ ତୁମେ ତାଙ୍କ କୁମର”
- ବୈଦେହୀଶ ବିଳାସ-
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ
ରୀତିଯୁଗୀୟ ଏହି ଶ୍ରେଷ୍ଠ କବିଙ୍କ ଜନ୍ମ ହୁଏ ଗଞ୍ଜାମ ର ଘୁମୁସର ର ଅଠର ଗଡ ମଧ୍ୟ ରେ ଥିବା
କୁଲାଡ଼ ଗଡ ରେ । ଜେଜେ ଧନଞ୍ଜୟ ଭଞ୍ଜଙ୍କ “ରଘୁନାଥ ବିଳାଶ” ର ଅନୁକରଣରେ “ବୈଦେହୀଶ ବିଳାସ” ରଚନା କରିଥିବା
ଏହି ପ୍ରିୟ କବି ରାମ ତାରକା ମନ୍ତ୍ର ବଳରେ ଅଲୌକିକ ଶକ୍ତି ଲାଭ କରି ଏକ ସଫଳ ସ୍ରଷ୍ଟା ଭାବେ
ଖ୍ୟାତି ଅର୍ଜନ କରିଥିଲେ । ‘ରାମ ତାରକା ମନ୍ତ୍ର ପାରସାଦେ, ମୋହର କବିପଣ ଉଦେ’ ବୋଲି ସେ ନିଜେ
ସ୍ୱୀକାର କରିଥିଲେ ମଧ୍ୟ । ଶତ୍ରୁମାନଙ୍କ ବିତ୍ପାତ ଯୋଗୁଁ ରାଜ୍ୟ ତ୍ୟାଗ କରିଥିବା ତାଙ୍କ ଲେଖା ରୁ ସ୍ପଷ୍ଟ ହୋଇଥାଏ । ରାଜା ନୀଳକଣ୍ଠ ଭଞ୍ଜଙ୍କ ର ଏହି ଜ୍ୟେଷ୍ଠ ଯୋଗ୍ୟ ପୁତ୍ର ପ୍ରଥମେ ନୟାଗଡ ର ରାଜା
ପୁରୁଷୋତ୍ତମ ମାନ୍ଧାତା ଙ୍କ ଭଉଣୀ ଲାବଣ୍ୟବତୀ କୁ ଓ ତଦୁପରେ ବାଣପୁର ରାଜାଙ୍କ ରାଜନନ୍ଦିନୀ କୁ
ବିବାହ କରିଥିଲେ ସୁଦ୍ଧା ପତ୍ନୀ ବିରହ ଦୁଃଖ ରୁ ବଞ୍ଚିତ ହୋଇ ନ ଥିଲେ । କବିଙ୍କ ଭାଷା ରେ -
“ରାଜା କୁ ହେବାର ରାଜ୍ୟ ଭ୍ରଷ୍ଟ, ଯୁବା କୁ ହେବା ର ପତ୍ନୀ କଷ୍ଟ
କହେ ଉପଇନ୍ଦ୍ର
ଭଞ୍ଜ ବୀରବର ଏଥୁଁ ବଳି ଆଉ ନାହିଁ କଷ୍ଟ ।“
- କବିସମ୍ରାଟ୍
ଉପେନ୍ଦ୍ର ଭଞ୍ଜ
ଉଭୟ ଅମର କୀର୍ତ୍ତି “ଲାବଣ୍ୟବତୀ” ଓ “କୋଟୀବ୍ରହ୍ମାଣ୍ଡସୁନ୍ଦରୀ” ତାଙ୍କ ଦୁଇ ପତ୍ନୀଙ୍କ
ସ୍ମୃତି ବହନ କରିଥିବା ବିଚାର କରାଯାଏ । ସଂସ୍କୃତ ର ମହାନ୍ କବି ଶ୍ରୀହର୍ଷ ଙ୍କ ନୈଷଧ କାବ୍ୟ ସହିତ
କବି କୋଟୀବ୍ରହ୍ମାଣ୍ଡସୁନ୍ଦରୀ କୁ ମୂଳ୍ୟଦାନ କରି ‘ଘେନ ନୈଷଧ ପରାୟେ’ ବୋଲି କହିଥିଲେ । ୬୪ ଗୋଟି କାବ୍ୟ ରଚନା କରି ଓଡିଆ ସାହିତ୍ୟ ଇତିହାସ ର ଭଣ୍ଡାର କୁ ସମୃଦ୍ଧ କରିଥିବା ଏହି
ଭଞ୍ଜ ଯୁଗୀୟ କବି ସାହିତ୍ୟ ଆକାଶର ର ଏକ ଅମ୍ଲାନ ତାରକା । କବିଙ୍କୁ ପ୍ରସଂଶା କରି ଗୋପବନ୍ଧୁ କହିଥିଲେ-
“ଗାଏ ତୁମ୍ଭ ଗୀତ ସଭାରେ ପଣ୍ଡିତ ପଥେ
ପାନ୍ଥ ହୃଷ୍ଟ ମନା
ବିଲେ ଗାଏ ଚଷା
ଅନ୍ତଃପୁରେ ଯୋଷା ନୃତ୍ୟ ରଙ୍ଗେ ବାରାଙ୍ଗନା ।“
-ଅବକାଶ ଚିନ୍ତା – ଉତ୍କଳମଣି ପଣ୍ଡିତ
ଗୋପବନ୍ଧୁ ଦାସ
ଦିନ ଥିଲା ବାଳକୃଷ୍ଣ ଦାସ ଙ୍କ ସୁମଧୁର କଣ୍ଠରେ କବି କବିସମ୍ରାଟ୍ ଙ୍କ ରଚିତ ଅମୂଲ୍ୟ ସୃଷ୍ଟି ବେତାର ଯନ୍ତ୍ର ରେ ଶୁଣୁଥିବା ବେଳେ ଗଙ୍ଗା ଯେଉଁଭଳି ହୃଦୟ କନ୍ଦର ରୁ ଝରିପଡୁଥିଲା
ବୋଲି ମନେ ହେଉଥିଲା । କବିଙ୍କ ସୃଷ୍ଟି ର ନୈସର୍ଗିକ ସଂସାର ଭିତରେ ଏ ମନ ଆପେ ହଜିଯାଏ । ଏହି ମର୍ମ ରେ
ନିମ୍ନଲିଖିତ ଦୃଷ୍ଟାନ୍ତ ନିଶ୍ଚିତ ପଠନୀୟ ।
"ବିଷ୍ଣୁପଦୀ
ବିଷ୍ଣୁପଦ ଈକାର ଭେଦ ଶବଦ
ତରଣୀ ର ଗତାଗତ ତହିଁ ଉଚିତ ।
ବିଶାରଦ ସେ ସାମନ୍ତ ମତ୍ତରେ ଦାସ ସେବିତ
ଡାକୁଁ ନ ଶୁଣନ୍ତେ ରଘୁନାଥ କଥିତ ।
ବିଷଧର ପ୍ରାୟେ କି
ତୁହି ।
ବେଳେ ନେତ୍ର ଢାଳି
ଶୁଣ ଉଦାର ନୋହି ।
ବଧିର ନୁହଇ ବୀର ବୋଇଲା ତହିଁ ଧୀବର
ଶୁଣିଲିଣି ପଥରେ ପଥର ଅବଳା ।
ବାଲି ପଡି ତୋ ଚରଣୁ ଆଶଙ୍କା ଉପୁଜେ ଏଣୁ
ନଉକା ନାୟିକା ହେଲେ ବୁଡିବ ଭେଳା ।
ବୃତ୍ତି ଏ ମୋ ପୋଷେ କୁଟୁମ୍ବ ।
ବସାଇ ନ ଦେବି ପାଦ ନ ଧୋଇ ନାବ ।"
- ବୈଦେହୀଶ ବିଳାସ-
କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ
ଓଡିଆ ସାହିତ୍ୟ ଇତିହାସ ବଞ୍ଚିଥିବା ଯାଏ କବିସମ୍ରାଟ୍ ଉପେନ୍ଦ୍ର ଭଞ୍ଜ ପାଠକ ପାଠିକା ଙ୍କ
ମନ ଭିତରେ ବା ସାହିତ୍ୟ ପିପାସୁ ମାନଙ୍କ ହୃଦୟ ସିଂହାସନ ରେ ଅଧିଷ୍ଠିତ ହୋଇ ରହିଥିବେ ଏହା କିଏ
ବା ଅସ୍ଵୀକାର କରିପାରିବ ? ଏହି ମହାନ୍ ସାହିତ୍ୟ ସାରଥୀଙ୍କ ଚରଣ ତଳେ ଶତ ପ୍ରଣାମ ।
ଓଡ଼ିଆ ସାହିତ୍ୟ ଇତିହାସ ର ଗଗନ କୁ ମଣ୍ଡନ କରି ଉଇଁ ଆସିଥିବା ଅଦ୍ୱିତୀୟ ଦିପ୍ତିମନ୍ତ ଏହି
ତାରକା, ଭଞ୍ଜ ବଂଶ ର ମଉଡ଼ମଣି ଉପେନ୍ଦ୍ର ଭଞ୍ଜ, କବିସମ୍ରାଟ୍ ଉପାଧି ମଣ୍ଡନ କରି ରୀତିଯୁଗୀୟ କବିତ୍ଵ ର ଯାଦୁକାରୀ ସ୍ପର୍ଶ ରେ ଗଢିଯାଇଥିଲେ
ଅମର-ସାହିତ୍ୟ-ସୌଧ । ବୀରବର ଉପାଧି ଲାଭ କରିଥିବା କାବ୍ୟଜଗତ ର ଏହି ମଉଡ ମଣି ଓଡ଼ିଆ ସାହିତ୍ୟ କୁ ଗର୍ବ ଓ ଗୌରବମୟ କରି
ତାଙ୍କ ପ୍ରତିଭା ର ପରିଚୟ ଛାଡ଼ିଯାଇଛନ୍ତି । ରୀତିଯୁଗୀୟ ଏହି ପ୍ରତିଭା ଙ୍କ ରସ-ଭରା ସାହିତ୍ୟ
ସୃଷ୍ଟି ରେ ଅଳଙ୍କାର ଅଳଙ୍କୃତ କାବ୍ୟକବିତା ର ସମାହାର ସବୁ ଅମୂଲ୍ୟ ଅବଦାନ ଭାବେ ସାହିତ୍ୟ ଜଗତ
କୁ ମଣ୍ଡନ କରିଥାଏ । ଶବ୍ଦ ଭଣ୍ଡାର ପାର କରିଥିବା ଛନ୍ଦ ଯୁଗ ର ଏହି ସାହିତ୍ୟ-ସାଧକ ଙ୍କ ସମସ୍ତ
ସୃଷ୍ଟି ରେ ଅସାଧାରଣ ଶବ୍ଦ ସଂଯୋଜନା ତାଙ୍କର ପ୍ରାଥମିକ ବୈଶିଷ୍ଟ୍ୟ । ସମସାମୟିକ କବି
ଦୀନକୃଷ୍ଣଙ୍କ ରସ-କଲ୍ଲୋଳ କୁ ଲକ୍ଷ କରି କବି କଳା କୌତୁକ ରଚନା କରି ଚମତ୍କାରିତା ଦେଖାଇଥିଲେ । ଅବନାରସତରଙ୍ଗ ତାଙ୍କର ଅଦ୍ଵିତୀୟ କଳାକୌଶଳତା ର ନିଦର୍ଶନ କୁ ବୁଝାଏ । ଜୀବନବ୍ୟାପି ଦୁଃଖକଷ୍ଟ ରେ ଛନ୍ଦିହୋଇ ଏହି
ଭଞ୍ଜ କବି ସାହିତ୍ୟ ପ୍ରେମୀ ମାନକ ପାଇଁ ଛାଡ଼ିଯାଇଛନ୍ତି ସାହିତ୍ୟ ର ଅମୂଲ୍ୟ ଉପହାର ।
ଶତୃମାନଙ୍କ ଷଡଯନ୍ତ୍ର ଯୋଗୁଁ ରାଜ୍ୟ ତ୍ୟାଗ କରି ଅରଣ୍ୟ ରେ କାଳ ଅତିବାହିତ କରୁଥିବା ସମୟରେ
ରାମ ତାରକା ମନ୍ତ ସିଦ୍ଧ କରି ଏହି ମଧ୍ୟ ଯୁଗୀୟ ପ୍ରତିଭା ଅଲୌକିକ କବିତ୍ଵ ଶକ୍ତି ପ୍ରାପ୍ତି
କରିଥିଲେ ବୋଲି କୁହାଯାଏ ।
କବିଙ୍କ ଅନବଦ୍ୟ ସାହିତ୍ୟ ସୃଷ୍ଟି ମଧ୍ୟରେ ବୈଦେହୀଶ ବିଳାସ, କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ, ଲାବଣ୍ୟବତୀ, ରସିକ ହାରାବଳୀ, ସୁଭଦ୍ରା ପରିଣୟ ଆଦି କାଳଜୟୀ ଲେଖା । ଜେଜେବାପା ଧନଞ୍ଜୟ ଭଞ୍ଜ ଙ୍କ “ରଘୁନାଥ ବିଳାସ” କୁ ଅନୁସରଣ କରି କବି ବୈଦେହୀଶ ବିଳାସ ଲେଖିଥିବା ଜଣାଯାଏ । ଏହା ଚାରି ଭାଗରେ ବିଭକ୍ତ । କୋଟି ବ୍ରହ୍ମାଣ୍ଡ
ସୁନ୍ଦରୀ କାବ୍ୟ କୁ ସଂସ୍କୃତ କବି ଶ୍ରୀହର୍ଷ ଙ୍କ “ନୈଷଧ“ କାବ୍ୟ ସହ ସମାନ
ଭାବେ ଗ୍ରହଣ କରିବାକୁ କବି କହିଛନ୍ତି । ଉଭୟ ଲାବଣ୍ୟବତୀ ଓ କୋଟୀବ୍ରହ୍ମାଣ୍ଡ ସୁନ୍ଦରୀ କାବ୍ୟ କବି ହାରି ବସିଥିବା ଦୁଇ ପତ୍ନୀଙ୍କ ସ୍ମୃତି କୁ ବହନ କରିଥାଏ ବୋଲି କୁହାଯାଏ ।
କବିଙ୍କ ବିଷୟରେ ଅଧିକ ଜାଣିବା ଲାଗି -
୧. ସମ୍ପର୍କିତ ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ ।
୨. ଛାତ୍ର /ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ
ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ ।
୩. ଅଧିକ ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ
ବିଜ୍ଞାନ ଉପରେ ନିର୍ଭର କରିବାକୁ ହେବ ।
୪. କବିଙ୍କ ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ
ପଢିବା ଅତ୍ୟାବଶ୍ୟକ ।
କବିତା ର ପୃଷ୍ଠଭୂମି :-
ରାଜା ଦଶରଥଙ୍କ ପ୍ରାଣ ରକ୍ଷା କରିଥିବା କାରଣରୁ କୈକେୟୀ ଅଯୋଧ୍ୟା ନରେଶ ଙ୍କ ନିକଟରୁ ଦୁଇଗୋଟି ବର
ପ୍ରାପ୍ତ କରିଥିଲେ ଏବଂ ଯେବେ ଆବଶ୍ୟକ ମନେହେବ ରାଜା ତାଙ୍କୁ ପ୍ରଦାନ କରିବେ ବୋଲି ବଚନ ମଧ୍ୟ
ମାଗିଥିଲେ । ପରବର୍ତ୍ତୀ ସମୟରେ ରାମଚନ୍ଦ୍ରଙ୍କ ରାଜ୍ୟ ଅଭିଷେକ ପର୍ବ ର ଠିକ୍ ପୂର୍ବରୁ ଦାସୀ
ମନ୍ଥରା ର ଚକ୍ରାନ୍ତ ରେ ପଡି ରାଣୀ ଦଶରଥଙ୍କ ନିକଟରେ ଅତୀତ ର ପ୍ରାପ୍ତ କରିଥିବା ବର କଥା ମନେ
ପକେଇ ପ୍ରଥମ ବର ସ୍ୱରୂପ ରାମଚନ୍ଦ୍ର ୧୪ ବର୍ଷ ବନବାସ ଯିବାକୁ ଓ ଦ୍ୱିତୀୟ ବର ସ୍ୱରୂପ ଭରତ ଅଯୋଧ୍ୟା
ର ରାଜା ହେବାକୁ ବଚନ ଦେବାକୁ କହିଥିଲେ ।
ବନବାସ ସମୟରେ ରାମଚନ୍ଦ୍ର ଲ କ୍ଷ୍ମ ଣ ଓ ସୀତାଙ୍କ ସହିତ ପଞ୍ଚବଟୀ ରେ କାଳ ଅତିବାହିତ
କରୁଥିବା ସମୟରେ ଦୁର୍ମତି ରାବଣ କୁଟୀରରୁ ସୀତାଙ୍କୁ ଅପହରଣ କରି ଲଙ୍କା ଗଡକୁ ନେଇଯାଇଥିଲା ।
ଜଟାୟୁ ନିକଟରୁ ଦେବୀ ସୀତାଙ୍କ ବାର୍ତ୍ତା ଲାଭକରି ସୁଗ୍ରୀବଙ୍କ ସହିତ ମିତ୍ରତା ସ୍ଥାପନ
କରି ଓ ହନୁମାନ କୁ ପ୍ରାପ୍ତ କରି ଅଙ୍ଗଦ ସହିତ ଭେଟ ହେଲା ପରେ, ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ସମସ୍ତଙ୍କ ସହାୟତା ଲାଭ କରି ଲଙ୍କାଗଡରୁ ସୀତାଙ୍କୁ ଉଦ୍ଧାର
କରିବା ର ଆଶା ଓ ଇଚ୍ଛା ମନ ମଧ୍ୟ ରେ ସଞ୍ଚାର କଲେ । ସମୁଦ୍ର ପାର ହେବାକୁ ଅନୁଚରମାନଙ୍କ ସହାୟତାରେ
ସମୁଦ୍ର ବକ୍ଷ ଦେଶରେ ପଥର ସେତୁ ନିର୍ମାଣ କରି ଲଙ୍କାଗଡ କୁ ପ୍ରବେଶ କରିବାର ଯୋଜନା କୁ ଫଳବତୀ
କରିବାକୁ ଆଗ୍ରହ ପ୍ରକାଶ କଲେ ।
କବିତା ର ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ
ବଳିଲା ରାଘବ ଆଶା
ସୀତା ପ୍ରାପତି ରେ
ବିଚାରିଲେ ସିନ୍ଧୁ
ପୋତି ଯିବା ପର୍ବତ ରେ ଯେ ।
ବୁଡିଗଲା ପକାଇଲେ କପି
ଯେତେ ଗିରି
ବୁଦ୍ ବୁଦ ନ ଦିଶେ
ଜଳେ ଫି ଫି କୃତ କରି ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବଳିଲା - ଅନ୍ତର ମଧ୍ୟରେ
ଇଚ୍ଛା ସୃଷ୍ଟିହେଲା, ଦେଖାଦେଲା
ପ୍ରାପତି - ଲାଭ କରିବା
ପର୍ବତ - ବିରାଟ ପ୍ରସ୍ତର
(ଏଠାରେ)
ସିନ୍ଧୁ - ସମୁଦ୍ର
କପି - ବାନର
ଗିରି - ବିରାଟ ପ୍ରସ୍ତର
(ଏଠାରେ)
ବୁଦ୍ ବୁଦ - ପାଣି ଫୋଟକା
କବି ଓ କଳା:-
ଅପହୃତ ହୋଇ ଲଙ୍କା ଗଡ ରେ ବାସ କରୁଥିବା ଜନକ-ନନ୍ଦିନୀ ଜାନକୀ ଙ୍କୁ ଉଦ୍ଧାର କରିବା
ନିମିତ୍ତ ରଘୁକୁଳ-ଶ୍ରେଷ୍ଠ ପୁରୁଷୋତ୍ତମ ରାଘବଙ୍କ ଅନ୍ତର ମଧ୍ୟରେ ଭାବ ଭରା ଇଚ୍ଛା ଜାଗ୍ରତ
ହେଲା । ସମୁଦ୍ର ଆର ପାରି ରେ ଲଙ୍କାଗଡ ଥିବାରୁ ସମୁଦ୍ର ପାର ହୋଇ ସିଂହଳ ଦ୍ଵୀପ କୁ
ପହଞ୍ଚିବାକୁ ସେହି ସିନ୍ଧୁ ବକ୍ଷ ରେ ପଥରର ସେତୁ ନିର୍ମାଣ କରିବାକୁ ସେ ଯୋଜନା କଲେ ।
କୌଶଲ୍ୟା ନନ୍ଦନ ରାମଚନ୍ଦ୍ରଙ୍କ ଆଜ୍ଞା ଲାଭକରି ସମସ୍ତ ଅନୁଚର ସହିତ ବାନର ସେନା ସେତୁ
ନିର୍ମାଣ ର ଉଦ୍ଧେଶ୍ୟ ନେଇ ପର୍ବତ ପ୍ରମାଣ ପ୍ରସ୍ତର ଖଣ୍ଡ ସବୁ ସମୁଦ୍ର ଗର୍ଭ ଭିତରକୁ ନିକ୍ଷେପ
କଲେ କିନ୍ତୁ ସେସବୁ ପରିଶ୍ରମ ଓ ସେତୁ ନିର୍ମାଣର ଉଦ୍ଧେଶ୍ୟ ବିଫଳ ପ୍ରାୟ ମନେ ହେଲା । ଅଗାଧ
ସମୁଦ୍ର ଭିତରେ ପ୍ରସ୍ତର ଖଣ୍ଡ ସବୁ ଡୁବି ଅଦୃଶ୍ୟ ହୋଇଗଲା । ଜଳ ରାଶି ର ସ୍ତର ଉପରକୁ ଫୋଟକା
ଟିଏ ମଧ୍ୟ ଦେଖାଗଲା ନାହିଁ । ସେହି ସମୁଦ୍ର ଜଳ ରାଶିର ବକ୍ଷ ଉପରେ ନିକ୍ଷେପିତ ହେଉଥିବା ପ୍ରସ୍ତର ଖଣ୍ଡ ସବୁ ର ନିକ୍ଷେପ ଶବ୍ଦ ହିଁ କେବଳ ଶ୍ରୁତିଗୋଚର
ହେଉଥିଲା ।
ବର୍ଣ୍ଣନା:-
ପୁରୁଷୋତ୍ତମ ଶ୍ରୀରାମଚନ୍ଦ୍ର ଲ କ୍ଷ୍ମ ଣ ଓ ସୀତାଙ୍କ ସହ
ବନବାସ ରେ ଥିବା ସମୟରେ ମୃଗୟା କୁ ଯାଇଥିବା ବେଳେ ପଞ୍ଚବଟୀ ବନ ରୁ ଲଙ୍କପତି ରାବଣ ସୀତାଙ୍କୁ
ଚୋରି କରି ନେଇଯାଇଛି ଲଙ୍କାଗଡ କୁ ।ପକ୍ଷୀ ଜଟାୟୁ ସୀତାଙ୍କ ର କ୍ରନ୍ଦନ ଶୁଣି ଆକାଶ ମାର୍ଗ ରେ
ରାବଣ ସହିତ ଯୁଦ୍ଧ କରି ସୀତାଙ୍କୁ ମୁକ୍ତି ଦେବାକୁ ଚେଷ୍ଟା କରି ରାବଣ କର୍ତ୍ତୃକ ଡେଣା ହରାଇ
ତଳେ ପଡି ମୃତ୍ୟୁ କୁ ଅପେକ୍ଷା କରୁଥିବା ସମୟରେ ରାମଚନ୍ଦ୍ରଙ୍କ ଦେଖା ହୁଏ । ସେ ସବୁ କଥା
ପକ୍ଷୀବର ଶ୍ରୀ ରାମଚନ୍ଦ୍ରଙ୍କୁ କହିଛି ଓ ପ୍ରାଣ ତ୍ୟାଗ କରିଛି । ତଦୁପରେ ସମ ଦଶା ଭୋଗ
କରୁଥିବା ସୁଗ୍ରୀବଙ୍କ ସହ ରାମଚନ୍ଦ୍ରଙ୍କ ଦେଖା ହୁଏ । ଜ୍ୟେଷ୍ଠ ଭ୍ରାତା ବାଳୀ ତାଙ୍କ ପତ୍ନୀ
କୁ ଅପହରଣ କରିନେଇଥିବା କଥା ଦୁଃଖୀ ଭାବେ ରାମଚନ୍ଦ୍ରଙ୍କୁ ଅବଗତ କରାଏ । ରାମଚନ୍ଦ୍ର ବାଳୀ କୁ
ବଧ କରି ତାଙ୍କ ପତ୍ନୀ କୁ ମୁକ୍ତି କରିବାର ଆଶ୍ୱାସନା ଦିଅନ୍ତି । ସେଇଠି ହନୁମାନ କୁ
ସୁଗ୍ରୀବଙ୍କ ନିକଟରୁ ପ୍ରାପ୍ତ କରନ୍ତି । ତଦୁପରେ ଅଙ୍ଗଦ ଓ
ଅନ୍ୟାନ୍ୟ ବୀର ଗଣଙ୍କ ସହ ଅନୁଚରମାନଙ୍କୁ ନେଇ ସେତୁ ବନ୍ଧ ନିର୍ମାଣ କରି ଲଙ୍କାଗଡରୁ ଦୁଃଖିନୀ
ସୀତାଙ୍କୁ ଉଦ୍ଧାର କରିବା ପାଇଁ ମନ ମଧ୍ୟରେ ଚିନ୍ତା କରନ୍ତି । ଏହି ସେତୁ ବନ୍ଧ ନିର୍ମାଣ
କାର୍ଯ୍ୟ ଆରମ୍ଭ କରିବା ପାଇଁ ବିରାଟ ବିରାଟ ପ୍ରସ୍ତର ଖଣ୍ଡ ସବୁ ସମୁଦ୍ର ଗର୍ଭ ଭିତରକୁ କପି
ଗୋଷ୍ଠୀ ତଥା ଅନ୍ୟ ଅନୁଚର ମାନେ ନିକ୍ଷେପ କରନ୍ତି କିନ୍ତୁ ସମସ୍ତ ପଥର ଖଣ୍ଡ ସମୁଦ୍ରର ଗଭୀର
ଜଳରାଶି ଭିତରେ ଅଦୃଶ୍ୟ ହେବା ମନେହୁଏ ।
ବିସ୍ମୟ ନିଃଶ୍ୱାସ
ତେଜି ବରୁଣ ପ୍ରସନ୍ନେ
ବିନାଶନରେ ଶୟନ ସେ
ଦର୍ଭଶୟନେ ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଵିସ୍ମଇ – ବିସ୍ମଯ ପ୍ରକାଶ
କରି
ବରୁଣ – ଜଳ ଦେବତା
ବିନାଶନରେ – ନ ଅଶନରେ ବା ଉପବାସ
ରେ
ଦର୍ଭଶୟନେ – କୁଶ ଶଯ୍ୟା ରେ
କବି ଓ କଳା:-
ପ୍ରସ୍ତର ଖଣ୍ଡ ସବୁ
ଗଭୀର ସିନ୍ଧୁ ବକ୍ଷ ରେ ଅଦୃଶ୍ୟ ହୋଇଯାଉଥିବା ଲକ୍ଷ କରି ରାମଚନ୍ଦ୍ର ବିସ୍ମୟ ପ୍ରକାଶ କଲେ ।
ତାଙ୍କ ଭିତରେ ଚିନ୍ତା ଜାଗ୍ରତ ହେଲା । ସେତୁ ନିର୍ମାଣରେ ବାଧା ସୃଷ୍ଟି ହେଉଥିବା ଲକ୍ଷ କରି
ଜଳଦେବତା ବରୁଣଙ୍କୁ ପ୍ରସନ୍ନ କରିବାକୁ ସେ ସ୍ଥିର କଲେ ।
ବରୁଣ ଦେବଙ୍କ କୃପା ବିନା ସେତୁ ନିର୍ମାଣ ସମ୍ଭବ ହେବନାହିଁ ବୋଲି ସେ ନିଶ୍ଚିତ ହେଲେ ।
ତେଣୁକରି, ବିଧିବିଧାନ ପୂର୍ବକ ଶ୍ରୀରାମଚନ୍ଦ୍ର ବରୁଣ ଦେବଙ୍କୁ ତୁଷ୍ଟ କରିବାକୁ ଦିବସ ରେ ଉପବାସ ରହି
ରାତ୍ରିରେ ଶୟନ ନିମନ୍ତେ କୁଶ ଶଯ୍ୟା ଗ୍ରହଣ କଲେ ।
ବର୍ଣ୍ଣନା:-
ଅଗାଧ ସମୁଦ୍ର ଭିତରେ ପ୍ରସ୍ତର ସବୁ ଅଦୃଶ୍ୟ ହୋଇଯାଉଥିବାରୁ ରାମଚନ୍ଦ୍ର ବିସ୍ମିତ ହେଲେ ।
ସେତୁ ନିର୍ମାଣ ନ ହେଲେ ଲଙ୍କା ଗଡ କୁ ସେ କେଉଁଭଳି ଯିବେ ଓ ସୀତାଙ୍କୁ ଉଦ୍ଧାର କରିବେ ବୋଲି
ତାଙ୍କ ଭିତରେ ଚିନ୍ତା ଦେଖାଦେଲା । ଜଳଦେବତା ବରୁଣ ଦେବଙ୍କୁ ତୁଷ୍ଟ କରି ତାଙ୍କ କରୁଣା ଲାଭ
କରିପାରିଲେ ଅବଶ୍ୟ ସେ ସେତୁ ନିର୍ମାଣ ରେ ସଫଳ ହେବେ ବୋଲି ମନ ମଧ୍ୟରେ ସ୍ଥିର କଲେ । ତେଣୁକରି
ବରୁଣ ଦେବଙ୍କୁ ସନ୍ତୋଷ କରିବାର ବିଚାର ଧାରା ନେଇ, ବିଧି ପୂର୍ବକ ପୂଜା
ଅର୍ଚ୍ଚନା କରି ଓ ଉପବାସ ରହି, ପଲ୍ଲବ ର କୋମଳ ଶଯ୍ୟା ବଦଳରେ କର୍କଶ କୁଶ ଶଯ୍ୟା ମଧ୍ୟ ଗ୍ରହଣ କଲେ ।
ବୁଧେ ଶୁଣ ଅନ୍ୟ
ପ୍ରସଙ୍ଗକୁ ଦଶଶିର
ବରଗିଲା ସେ ଶୁକ
ସାରଣେ କରି ଚାର ଯେ ।
ବିଭୀଷଣେ କହ ଜ୍ୟେଷ୍ଠ
ଭ୍ରାତା ପିତା ସରି
ବୁଝି ନ ବୁଝି କୋପୀ
ତା ବାଣୀ ପିତା କରି ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବୁଧେ - ଜ୍ଞାନୀ ଜନମାନଙ୍କ
ପ୍ରତି କୁହାଯାଇଛି
ଦଶଶିର- ରାବଣ
ବରଗିଲା – ପଠାଇଲା
ଚାର – ବାର୍ତ୍ତା ବହ
ଶୁକ ସାରଣ – ଦୁଇଗୋଟି ରାକ୍ଷସ
ବା ରାବଣଙ୍କ ମନ୍ତ୍ରୀ ଦ୍ୱୟ
ପିତା – କଟୂ, ତିକ୍ତ
କୋପୀ – ବିରକ୍ତ ଅନୁଭବ
କରିବା
କବି ଓ କଳା:-
ସମୁଦ୍ର ର ଏହି କୂଳରେ ଶ୍ରୀରାମଚନ୍ଦ୍ର ସୁଗ୍ରୀବ, ଅଙ୍ଗଦ ଓ ହନୁମାନ
ସହିତ ଅନୁଚର ମାନଙ୍କୁ ନେଇ ସେତୁ ନିର୍ମାଣ କାର୍ଯ୍ୟ ରେ ବ୍ୟସ୍ତ ଥିବା ସମୟରେ ସମୁଦ୍ର ର ଆନ ପଟେ ଥିବା ଲଙ୍କାଗଡ ରେ ଦୁର୍ମତି ଦଶଶିର ଶୁକ ଓ ସାରଣ ନାମକ ଦୁଇ ରାକ୍ଷସ କୁ
ବିଭୀଷଣ ଓ ଅଙ୍ଗଦ ନିକଟକୁ ବାର୍ତ୍ତା ପହଞ୍ଚାଇବା କୁ ଆଜ୍ଞା କରିଛି । ଜ୍ୟେଷ୍ଠ ଭ୍ରାତା ପିତା
ସମ ଏ କଥା ବିଭୀଷଣ କୁ ବୁଝାଇବ ବୋଲି ରାବଣ ଶୁକ ସାରଣ କୁ କହିଛି । ସେହି କାରଣରୁ, ଯେହେତୁ ଜ୍ୟେଷ୍ଠ
ଭ୍ରାତା ପିତା ସଦୃଶ ତାଙ୍କର କ୍ରୋଧଭରା ବାଣୀ କୁ ଅଗ୍ରହଣୀୟ ଓ ତିକ୍ତ ବୋଲି ବିଚାର କରିବା
ଅନୁଚିତ । ଜ୍ୟେଷ୍ଠ ଭ୍ରାତା ଭାବେ ତାଙ୍କର କହିବାର ଅଧିକାର ଅଛି ଓ ତଦନୁସାରେ କନିଷ୍ଠ ଭାବେ
ପ୍ରତିକ୍ରିୟା ପ୍ରକାଶ ନ କରି ବିଭୀଷଣ ତାଙ୍କ ନିକଟକୁ ଫେରିଆସିବା ଉଚିତ ବୋଲି ବିଶ୍ରବା ନନ୍ଦନ
ରାବଣ ଉଭୟ ଶୁକ ଓ ସାରଣ ହାତରେ ସନ୍ଦେଶ ପଠାଇବାର ବ୍ୟବସ୍ଥା କରିଛି ଓ କୂଟନୀତି କୁ ପ୍ରଧାନ
ଅସ୍ତ୍ର ଭାବେ ବ୍ୟବହାର କରିଛି ।
ବର୍ଣ୍ଣନା:-
ସମୁଦ୍ର ର ଏହି ପଟେ ଶ୍ରୀରାମଚନ୍ଦ୍ର ସୁଗ୍ରୀବ, ବିଭୀଷଣ ଓ ଅଙ୍ଗଦ
ସହିତ ଅନୁଚର ମାନଙ୍କୁ ନେଇ ସେତୁ ନିର୍ମାଣ କାର୍ଯ୍ୟ ରେ ବ୍ୟସ୍ତ ଥିବା ସମୟରେ ସମୁଦ୍ର ର ସେହି
ପଟେ ଥିବା ଲଙ୍କାଗଡ ରେ ଲଙ୍କପତି ରାବଣ ଶୁକ ଓ ସାରଣ ମନ୍ତ୍ରୀ ଦ୍ବୟ କୁ ଡାକି ଚାର ଭାବରେ
ବାର୍ତ୍ତା ନେଇ ବିଭୀଷଣ ଓ ଅଙ୍ଗଦ ନିକଟକୁକୁ ପ୍ରେରଣ କରିବାକୁ ସ୍ଥିର କରିଛି । ବିଭୀଷଣ କୁ
ଜ୍ୟେଷ୍ଠ ଭ୍ରାତା ପିତା ସମ ଓ ଏହି କାରଣରୁ ତାର କ୍ରୋଧ ଭରା ବାଣୀ କୁ ଅଗ୍ରହଣୀୟ ବୋଲି ମନ
ମଧ୍ୟରେ ବିଚାର କରିବା ଅନୁଚିତ । ଜ୍ୟେଷ୍ଠ ଭ୍ରାତା ସହିତ କନିଷ୍ଠ ଭ୍ରାତା ର ତିକ୍ତ ଭାବ ରଖିବା
ଶାସ୍ତ୍ରୀୟ ସମ୍ମତ ନୁହଁ ବୋଲି ସେ ଶୁକ ଓ ସାରଣ କୁ ବିଭୀଷଣ ଙ୍କ ନିକଟରେ ବଖାଣିବାକୁ କହିଛି । କନିଷ୍ଠ ଭ୍ରାତା ଙ୍କ ଉପରେ କରିଥିବା ଦୁର୍ବ୍ୟବହାର କୁ ରାବଣ ନିଜ ମତରେ ନିର୍ଭୁଲ୍ ବୋଲି
ସାବ୍ୟସ୍ତ କରିବା ର ପ୍ରୟାସ କରିଛି ।
ବିଭୁତିକୁ
ଭୁଞ୍ଜୁଥିଲୁ ବିଭୁତି ଭୂଷଣେ
ବଡ କୂଳେ ଜନମି ଶରଣ
କି କାରଣେ ଯେ ।
ବୋଳ ଅଙ୍ଗଦଙ୍କୁ ପିତା
ଶତ୍ରୁ ଭକ୍ତି ପୁଣ୍ୟ
ବାଦ ରଚାଇ ପିତୃବ୍ୟ
ବାହୁଡା଼ଅ ସୈନ୍ୟ ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବିଭୁତି – ସମ୍ପଦ ବା
ଐଶ୍ଚର୍ଯ୍ୟ
ବିଭୁତି ଭୂଷଣେ – ରାମଚନ୍ଦ୍ରଙ୍କ
ପ୍ରତି (ବନରେ ବାସ କରିବା ହେତୁ ଶରୀର ଧୁଳି ମଳି ହୋଇଥିବାରୁ)
ବାଦ – ଝଗଡା, ମତାନ୍ତର, ମନାନ୍ତର, କଳହ, କନ୍ଦଳ
ରଚାଇ – ସୃଷ୍ଟି କରି
ପିତୃବ୍ୟ – କାକା
କବି ଓ କଳା:-
ରାବଣ, ଅନୁଜ ପାଇଁ ବାର୍ତ୍ତା ଦେଉଥିବା ପ୍ରସଙ୍ଗରେ ଶୁକ ସାରଣଙ୍କୁ କହିଛି କି, ସୁବର୍ଣ୍ଣ ଲଙ୍କା ଅଧିପତି ରାବଣ ର ଛତ୍ରଛାୟା ତଳେ ଐଶ୍ୱର୍ଯ୍ୟ ର ଭୋଗ ଭିତରେ ଦିନ ଅତିବାହିତ କରିଆସିଥିବା ଭ୍ରାତା ଧୂଳି ମଳି ବୋଳା ଦେହ ଧାରୀ ଏକ ସାଧାରଣ
ବନଚାରୀ ନିକଟରେ ଶରଣ ପଶିବା ଅପମାନ ସଦୃଶ । ଉଚ୍ଚ କୁଳ ରେ ଜନ୍ମ ଲାଭ କରି ବିଭୀଷଣ ଏହି କଥା
ବିଚାର କରିବା ଉଚିତ୍ । ଏତାଦୃଶ ଭାବେ ରାବଣ ଅଙ୍ଗଦ କୁ ମଧ୍ୟ ଖବର ଦେବାକୁ କୂଟନୀତି ର ଆଶ୍ରୟ
ନେଇ ଶୁକ ସାରଣ କୁ କହିଛି କି, ରାମଚନ୍ଦ୍ର ଅଙ୍ଗଦ ଙ୍କ ପିତା ବାଳୀକୁ ଯେହେତୁ ବଧ କରିଛନ୍ତି ସେ ପିତା ଶତ୍ରୁ ଓ ସେହିଭଳି ପିତା ଶତ୍ରୁ ଙ୍କ ନିକଟରେ ଭକ୍ତିଭାବ ଦେଖାଇବା ପୁଣ୍ୟ ନୁହେଁ । ଏକ ପଟେ
ବିଭୀଷଣ ଙ୍କୁ ରାମଚନ୍ଦ୍ରଙ୍କ ନିକଟରୁ ଦୂର କରି ଅନ୍ୟ ପଟେ ରାମଚନ୍ଦ୍ର ଓ ଅଙ୍ଗଦଙ୍କ ମଧ୍ୟରେ
ବାଦ ସୃଷ୍ଟି କରି ସୈନ୍ୟସାମନ୍ତ ସହ ଅଙ୍ଗଦଙ୍କୁ ଲଙ୍କାପୁରୀ କୁ ଫେରାଇଆଣିବାକୁ ରାବଣ ରାଜଧର୍ମ
ଅନୁସାରେ କୂଟନୀତି ପ୍ରୟୋଗ କରି ଶୁକ ସାରଣକୁ ଦାୟିତ୍ୱ ଅର୍ପଣ କରିଛି ।
ବର୍ଣ୍ଣନା:-
ଅନୁଜ ବିଭୀଷଣ କୁ ବାର୍ତ୍ତା ପ୍ରେରଣ କରିବା ପ୍ରସଙ୍ଗ ରେ ରାବଣ ଶୁକ ସାରଣ କୁ ନିଜ ଭିତରେ
ସମ୍ପଦ ର ମୋହ କୁ ନେଇ ଗର୍ବ ଅନୁଭବ କରି ବିଭୀଷଣ ପାଇଁ ନିରର୍ଥକ ବାର୍ତ୍ତା ପ୍ରେରଣ କରିଛି ।
ରାବଣ ର ଛତ୍ରଛାୟା ତଳେ ବିଭୀଷଣ ଐଶ୍ଚର୍ଯ୍ୟ ର ପରିଧି ମଧ୍ୟରେ ସର୍ବ ସୁଖ ଭୋଗ କରିବା ପୂର୍ବକ
ନିର୍ଭୟରେ କାଳ ଅତିବାହିତ କରୁଥିବା କଥା ଶୁକ ସାରଣକୁ ବିଭୀଷଣକୁ ମନେପକେଇଦେବାକୁ କହିଛି । ବନ
ଚାରୀ ରାମଚନ୍ଦ୍ରଙ୍କ ନିକଟରେ ବିଭୀଷଣ ଆତ୍ମ ତୃପ୍ତି ଭାବେ ରହିଥିବା ବେଳେ ସେ ବିଭୀଷଣ କୁ
ବ୍ୟର୍ଥ ବାର୍ତ୍ତା ପ୍ରେରଣ କରିଛି । ଅବଶ୍ୟ ଜଣେ ବିଚକ୍ଷଣ ରାଜା ର କର୍ତ୍ତବ୍ୟ ରାବଣ ତୁଲାଇଅଛି
ଓ ପ୍ରତିପକ୍ଷ ଶତ୍ରୁ କୁ ବଳହୀନ କରିବାକୁ ସମସ୍ତ ପ୍ରକାର ଉପାୟକୁ ବିନିଯୋଗ କରିଛି । ବିଭୀଷଣ ଓ
ଅଙ୍ଗଦଙ୍କୁ ରାମଚନ୍ଦ୍ରଙ୍କ ଠୁଁ ଭିନ୍ନ କରିପାରିଲେ ରାମଚନ୍ଦ୍ରଙ୍କ ବଳ ନ୍ୟୁନ ହୋଇଯିବ ବୋଲି ଜଣେ
ବୁଦ୍ଧିମାନ୍ ରାଜା ଭାବେ ନିଜର ପରିଚୟ ରାବଣ ପ୍ରଦାନ କରିଛି । ତେଣୁକରି ରାଜା କୂଳରେ ଜନ୍ମ ଲାଭ
କରି ଜଣେ ସାମାନ୍ୟ ବନବାସୀ ଙ୍କ ନିକଟରେ ଶରଣ ପଶିବା ନିରର୍ଥକ ତଥା ଅନୁଚିତ ବେଭାର ବୋଲି
ବିଭୀଷଣ କୁ କହିବାକୁ ରାବଣ ଶୁକ ଓ ସାରଣ ସମ୍ମୁଖ ରେ ଉକ୍ତି ପ୍ରକାଶ କରିଛି ।
କୂଟନୀତି ପ୍ରୟୋଗ କରି ଅଙ୍ଗଦ କୁ ମଧ୍ୟ ରାମଚନ୍ଦ୍ର ଙ୍କ ନିକଟରୁ ଦୂର କରିବାକୁ ରାବଣ ନିଜର
ପ୍ରୟାସ ଛାଡ଼ିନାହିଁ । ରାମଚନ୍ଦ୍ର ଅଙ୍ଗଦ ଙ୍କ ପିତା ବାଳୀ କୁ ବଧ କରିଥିବାରୁ ସେ ପିତୃହନ୍ତା ଓ ପିତୃହନ୍ତା ନିକଟରେ ସେବାକରିବାରେ କୌଣସି ପୁଣ୍ୟ
ପ୍ରାପ୍ତି ହେବ ନାହିଁ ବୋଲି ଅଙ୍ଗଦଙ୍କୁ ବାର୍ତ୍ତା ଦେବାକୁ ଶୁକ ଓ ସାରଣ କୁ ସେ କହିଅଛି ।
ଏହିଭଳି ଭାବେ ରାମଚନ୍ଦ୍ର ଓ ଅଙ୍ଗଦ ଙ୍କ ମଧ୍ୟରେ ସମ୍ପର୍କ ତିକ୍ତ କରି ଅଙ୍ଗଦଙ୍କୁ ସୈନ୍ୟ
ସାମନ୍ତ ସହ ଲଙ୍କା କୁ ଫେରାଇଆଣିବାକୁ ରାବଣ ଶୁକ ଓ ସାରଣ କୁ ମାଧ୍ୟମ କରିଛି ।
ବିହାୟସେ ବିହରି
ସାଗର ଜିଣି ଯାଇ
ବର୍ତ୍ତକ ସ୍ୱରୂପ
ଧୃତ କେଁ କେଁ ଟିହୋ କରି ଯେ ।
ବିଖ୍ୟାତ କରୁ
ବିଂଶତିକର କହିବାର
ବୋଧ ଉଭୟ ଭୟରେ
ପଳାଇ ସତ୍ୱର ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବିହାୟସେ – ଆକାଶ ମାର୍ଗରେ
ବିହରି – ଭ୍ରମଣ କରି, ବିହାର କରି
ଜିଣି ଯାଇ – ପାରି ହୋଇ
ଧୃତ – ଧାରଣ କରି (ଏଠି
ଛଦ୍ମ ବେସ ଧାରଣ କରିଥିବାରୁ )
ବିଖ୍ୟାତ କରୁ – କହିବାରୁ
ବିଂଶତିକର – ରାବଣ ଙ୍କ ପ୍ରତି
କୁହାଯାଇଛି
ବୋଧ – ଜାଣିପାରି
ସତ୍ୱର – ଶିଘ୍ର
କବି ଓ କଳା:-
ଉଭୟ ଶୁକ ଓ ସାରଣ ଲଙ୍କା ନରେଶ ଙ୍କ ବାର୍ତ୍ତା ବହନ କରି ଆକାଶ ମାର୍ଗରେ ବର୍ତ୍ତକ ପକ୍ଷୀ ର
ରୂପ ଧାରଣା କରି ସିନ୍ଧୁ ପାର ହେଉଥିବା ସମୟରେ କାଳେ ସନ୍ଦେହ କ୍ରମେ ଧରାପଡିଯିବେ ବୋଲି କେଁ କେଁ ଟି ହୋ ଉଚ୍ଚାରଣ କରି ଉଡିଯାଉଥିଲେ । ବିଂଶ ବାହୁ ବିଭୀଷଣ ଓ ଅଙ୍ଗଦଙ୍କ ପାଇଁ ଯେଉଁ ବାର୍ତ୍ତା
ପ୍ରେରଣ କରିଥିଲା, ତାକୁ ସେମାନଙ୍କ ସମ୍ମୁଖ ରେ କହିବାରୁ ପରିସ୍ଥିତି ଏତିକି ମାତ୍ରା ରେ ଭୟାବହ ହୋଇପଡ଼ିଥିଲା
କି ସେମାନେ କୌଣସି ମତେ ନିଜ ଜୀବନକୁ ରକ୍ଷା କରି ଲଙ୍କା ଗଡ କୁ ଫେରିଯାଇଥିଲେ ଓ ଲଙ୍କପତିଙ୍କ
ସମ୍ମୁଖ ରେ ଯାହା ଘଟିଯାଇଥିଲା ଗୋଟି ଗୋଟି କରି ବଖାଣିବା କଲେ ।
ବର୍ଣ୍ଣନା:-
ଶୁକ ସାରଣ ରାବଣଙ୍କ ବାର୍ତ୍ତା ନେଇ ଶୂନ୍ୟ ମାର୍ଗ ରେ ବର୍ତ୍ତକ ରୂପ ଧାରଣ କରି ସମୁଦ୍ର
ପାର ହେବା ବେଳେ ସନ୍ଦେହ ଏଡ଼ାଇବା ପାଇଁ କେଁ କେଁ ଟି ହୋ ଉଚ୍ଚାରଣ କରି ଉଡିଯାଉଥିଲେ । ସମୁଦ୍ର ପାର ହୋଇ ରାବଣ କହିଥିବା କଥା କୁ ବିଭୀଷଣ ଓ ଅଙ୍ଗଦ କୁ କହିବା
ଫଳରେ ପରିସ୍ଥିତି ଭୟାବହ ହୋଇଯାଇଥିବାରୁ ନିଜ ଜୀବନକୁ କୌଣସି ପ୍ରକାରରେ ବଞ୍ଚାଇ ସ୍ଥାନ ତ୍ୟାଗ
କରି ସେମାନେ ଚାଲିଯାଇଥିଲେ । ରାବଣ ର କୂଟନୀତି ର କୌଣସି ସୁଫଳ ମିଳିପାରିନାହିଁ । ଅନୁଭୂତି
ଲାଭ କରିଥିବା ଭୟାବହ ପରିସ୍ଥିତି ବିଷୟରେ ଶୁକ ଓ ସାରଣ ଲଙ୍କପତି କୁ ଅବଗତ କରାଇଲେ ।
ବାହୁଡ଼ି ରାବଣେ କହି
ଶୁଣ ଦେବ ରିପୁ
ବୋଇଲା ଅନୁଜ ଯିବି
ସୀତାଙ୍କୁ ସମର୍ପୁ ଯେ ।
ବଞ୍ଚିଲୁଁ ଅଙ୍ଗଦେ ଅଙ୍ଗ ଦେବାରୁ କି ଧର୍ମେ
ବଜ୍ରାଘାତ ସମ ତଳ
ପ୍ରହାରୀଲା ବ୍ୟୋମେ ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଦେବ ରିପୁ –ଦେବତା ମାନଙ୍କ ଶତ୍ରୁ (ରାବଣ ଙ୍କ ପ୍ରତି)
ଅନୁଜ – ଛୋଟ ଭାଇ
ସମର୍ପୁ – ସମର୍ପଣ କରିଦେଉ (ସୀତାଙ୍କୁ ଫେରାଇ ଦେବା ପ୍ରସଙ୍ଗରେ)
ବଞ୍ଚିଲୁଁ – ରକ୍ଷା ପାଇଲୁ
ତଳ – ହାତର ରେଖା ଯୁକ୍ତ
କୋମଳ ଅଂସ (ଏଠି ଚାପୁଡା କୁ ବୁଝାଉଛି)
ବ୍ୟୋମେ – ଆକାଶ ମାର୍ଗରେ
କବି ଓ କଳା:-
ଶୁକ ଓ ସାରଣ ବିଭୀଷଣ ଓ ଅଙ୍ଗଦଙ୍କ ନିକଟରୁ କୌଣସି ପ୍ରକାରରେ ନିଜ ଜୀବନକୁ ରକ୍ଷା କରି
ଲଙ୍କପତିଙ୍କ ନିକଟରେ ପହଞ୍ଚି ସେମାନଙ୍କ ଦୁର୍ଦ୍ଧଶା ବିଷୟରେ ଅବଗତ କରାଇଲେ । ସମ୍ମାନ ର ସହିତ ଦେବୀ ସୀତାଙ୍କୁ ରାଘବ
ଙ୍କୁ ସମର୍ପଣ କଲେ ଅନୁଜ ପ୍ରତ୍ୟାବର୍ତ୍ତନ କରିବେ ବୋଲି ରାବଣକୁ କହିଲେ ଓ ତାଙ୍କର ବାର୍ତ୍ତା
ଅଙ୍ଗଦଙ୍କୁ କହିବାରୁ ଅଙ୍ଗଦ ଶୂନ୍ୟ ମାର୍ଗରେ ହସ୍ତ ଉଠାଇ ମାରିବାକୁ ଉଦ୍ୟତ ହେଉଁ ହେଉଁ ଜୀବନକୁ
ରକ୍ଷା କରିବା ନିମିତ୍ତ କୌଣସି ପ୍ରକାରରେ ଖସି ଚାଲିଆସିଲେ ବୋଲି ତାଙ୍କ ସମ୍ମୁଖରେ ପ୍ରକାଶ କଲେ
। କେବଳ ଧର୍ମ ବଳରୁ ଅଙ୍ଗଦଙ୍କ ବଜ୍ର ସମ ଚାପୁଡ଼ାରୁ ନିଜ ଜୀବନକୁ ବଞ୍ଚାଇପାରିଲେ ବୋଲି ଶୁକ ସାରଣ ବିସ୍ତୃତ
ଭାବେ ବର୍ଣ୍ଣନା କଲେ ।
ବର୍ଣ୍ଣନା:-
ଭୟାବହ ପରିସ୍ଥିତି ର ଅନୁଭୂତି ଶୁକ ସାରଣ ଲାଭ କରି ଜୀବନକୁ ବଞ୍ଚାଇ ଲଙ୍କା ଗଡ ରେ ପହଞ୍ଚି
ଘଟି ଯାଇଥିବା ବିଷମ ପରିସ୍ଥିତି ବିଷୟରେ ରାବଣଙ୍କ ଆଗରେ ବର୍ଣ୍ଣନା କଲେ । ମାଁ ଜାନକୀଙ୍କୁ
ସମ୍ମାନ ସହିତ ରାମଚନ୍ଦ୍ରଙ୍କୁ ଫେରାଇଦେଲେ ବିଭୀଷଣ ଅବଶ୍ୟ ଲଙ୍କା ପ୍ରତ୍ୟାବର୍ତ୍ତନ କରିବେ
ବୋଲି ଶୁକ ସାରଣ ଲଙ୍କପତି ଙ୍କ ସମ୍ମୁଖରେ ଖବର ପ୍ରକାଶ କଲେ । ଯେତେବେଳେ ଅଙ୍ଗଦ କୁ ବାର୍ତ୍ତା
ଦେଲେ ବିରକ୍ତ ହୋଇ ଶୂନ୍ୟ ମାର୍ଗରେ ବଜ୍ର ସମ ସେ ହସ୍ତ ଚାଳନା କରିବାରୁ ଜୀବନ ବିକଳରେ ସେମାନେ
ପ୍ରାଣ ଧରି ସ୍ଥାନ ତ୍ୟାଗ କରି ଆସିଲେ ବୋଲି ରାବଣ ନିକଟରେ ବର୍ଣ୍ଣନା କଲେ । କେବଳ ଧର୍ମ ବଳ ରୁ ସେମାନେ ଜୀବନ ରକ୍ଷା କରିପାରିଲେ ବୋଲି ରାବଣ ଙ୍କୁ ଖବର ଦେଲେ ।
ବାଜିଥିଲେ ଚୂର୍ଣ୍ଣ
ବା ପାତାଳେ ଭଜିଥିବ
ବିନ୍ଧ୍ୟ ଭାନୁ ତୋଷି
ହେଲେ ବଞ୍ଚାଇ ଦଇବ ଯେ ।
ବଳ କେତେ ବୋଲୁଁ ବୋଲେ
ଯେତେ ଶଙ୍ଖ ସେହି
ବାରି ରାଶି ରେ ଜନିତ
ତେତେ ଶଙ୍ଖ ନାହିଁ ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଚୂର୍ଣ୍ଣ – ଗୁଣ୍ଡ ବା ଧୁଳି ସମ
ପାତାଳେ – ରସା ତଳରେ ବା
ପୃଥିବୀ ତଳେ
ଭଜିଥିବ – ଡୁବି ଯାଇଥିବ
ବିନ୍ଧ୍ୟ – ପର୍ବତ ର ନାମ
ଭାନୁ – ସୂର୍ଯ୍ୟ
ତୋଷି ହେଲେ –ତୃପ୍ତି ଲାଭ କାଲେ
ଦଇବ – ଭାଗ୍ୟ ବିଧାଟା
ବଳ – ଶକ୍ତି (ଏଇଠି
ଶ୍ରୀରାମଙ୍କ ସୈନ୍ୟ ସାମନ୍ତ ପ୍ରତି)
ବାରି ରାଶି ରେ – ସମୁଦ୍ର ଜଳରାଶିରେ
ଜନିତ –ସୃଷ୍ଟି ହୋଇଥିବା
କବି ଓ କଳା:-
ଅଙ୍ଗଦ ଙ୍କ ବଜ୍ର ସମ ଚାପୁଡ଼ା ର ପ୍ରହାର ଏଭଳି ମନେ ହେଉଥିଲା କି ତାହା ଯଦି ବିନ୍ଧ୍ୟ
ପର୍ବତ ରେ ବାଜିଥିବ ତେବେ ସେ ଚୁର୍ଣ୍ଣ ହୋଇଯାଇଥିବା କିମ୍ବା ପାତାଳ ପୁର କୁ ଭେଦି ଯାଇଥିବ ଏବଂ
ସୂର୍ଯ୍ୟଙ୍କ ଗତି ପଥର ଏହି ପ୍ରତିବନ୍ଧକ ର ଏତାଦୃଶ ଅବସ୍ଥା ଦେଖି ସୂର୍ଯ୍ୟଦେବ ଅବଶ୍ୟ ପ୍ରୀତ ହୋଇଥିବେ
ବୋଲି ଶୁକ ସାରଣ ରାବଣଙ୍କ ସମ୍ମୁଖ ରେ ବଖାଣିଲେ । ସୂର୍ଯ୍ୟ ଦେବଙ୍କ ଗତି ପଥରେ ଏହି ବିନ୍ଧ୍ୟ
ପର୍ବତ ଅନ୍ତରାୟ ସମ ମନେ ହେଉଥିଲା ।
ନିଜ କୂଟନୀତି ରେ ବିଫଳ ହୋଇ ଶଙ୍କା ଉତ୍ପନ୍ନ କରି ରାବଣ ରଘୁବରଙ୍କ ସୈନ୍ୟ ସାମନ୍ତଙ୍କ
ସଂଖ୍ୟା ବିଷୟରେ ଜାଣିବାକୁ ଶୁକ ସାରଣ କୁ ପୁଚ୍ଛା କଲା ଓ ପ୍ରତ୍ୟୁତ୍ତରରେ ସେମାନଙ୍କ ସୈନ୍ୟ
ସଂଖ୍ୟା ଏତିକି ସଂଖ୍ୟକ କି ସେତିକି ସଂଖ୍ୟକ ଶଙ୍ଖ ସେହି ସମୁଦ୍ର ରାଶି ରେ ଏଯାବତ୍ ସୃଷ୍ଟି
ହୋଇପାରିନାହାନ୍ତି ବୋଲି ଶୁକ ସାରଣ କହିଲେ ।
ବର୍ଣ୍ଣନା:-
ଅଙ୍ଗଦ ର ବଜ୍ର ସମ ଚାପୁଡ଼ା ଯଦି ବିନ୍ଧ୍ୟ ପର୍ବତ କୁ ବାଜିଥିବ ହେଲେ ତାହା ଚୂର୍ଣ୍ଣ
ହୋଇଯାଇଥିବ କିମ୍ବା ପାତାଳ କୁ ଭେଦି ଯାଇଥିବ ବୋଲି ଶୁକ ସାରଣ ଅଙ୍ଗଦ ଙ୍କ ଭୟାବହ ମୂର୍ତ୍ତି ବିଷୟରେ ରାବଣଙ୍କ ନିକଟରେ
ବିବରଣି ପ୍ରଦାନ କଲେ । ଯଦି ବିନ୍ଧ୍ୟ ପର୍ବତ ଚୂର୍ଣ୍ଣ ହୋଇଥିବ କିମ୍ବା ପାତାଳ କୁ ଭେଦି
ଯାଇଥିବ, ତେବେ ଚଲାପଥ ର ପ୍ରତିବନ୍ଧକ ହଟି ଗଲା ବୋଲି ସୂର୍ଯ୍ୟଦେବ ଅତ୍ୟନ୍ତ ପ୍ରୀତ ହେବେ ବୋଲି ସେମାନେ କହୁଥିଲେ ।
ରାବଣ ଯେତେବେଳେ ରାମଚନ୍ଦ୍ରଙ୍କ ସୈନ୍ୟ ସଂଖ୍ୟା ବିଷୟରେ ଶୁକ ସାରଣ ଙ୍କୁ ପୁଚ୍ଛା କଲେ ଶୁକ
ସାରଣ ଏକପ୍ରକାର ଗାଣିତିକ ସଂଖ୍ୟା ମାଧ୍ୟମରେ ତାକୁ ପ୍ରକାଶ କଲେ । ରାମଚନ୍ଦ୍ରଙ୍କ ସୈନ୍ୟ
ସଂଖ୍ୟା ଶଙ୍ଖ ରୁ ଅଧିକ ବୋଲି ସେମାନେ ଉତ୍ତର ଦେଲେ । ସେହି ସମୁଦ୍ର ଗର୍ଭରେ ଏଯାବତ୍ ଯେତେ ସଂଖ୍ୟକ ଶଙ୍ଖ ସୃଷ୍ଟି ହୋଇପାରିନାହାନ୍ତି ତା' ଠାରୁ
ରାମଚନ୍ଦ୍ରଙ୍କ ସୈନ୍ୟ ସଂଖ୍ୟା ବହୁଗୁଣରେ ଅଧିକ ବୋଲି ବିଂଶବାହୁ ଙ୍କ ଆଗରେ ସେମାନେ
ବଖାଣିଲେ ।
ବିତରଣେ ସାଗର କି
ପାଞ୍ଚ ପଚାରିଲା
ବିହେ ରାମ କୁଶ ଶଯ୍ୟା
ପ୍ରତ୍ୟୁତ୍ତର ଦେଲା ଯେ ।
ବିରସ କୁ ମନ୍ଦ କରି
ମନ୍ଦ ହାସ ଜନ୍ମେ
ବୋଲେ କି କରିବ ଏଡ଼େ
ହୀନ ପରାକ୍ରମେ ଯେ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ବିତରଣେ – ପାରିହେବା ରେ
ପାଞ୍ଚ – ଯୋଜନା
ବିହେ – ବିଧି ଅନୁସାରେ
ବିରସ – ଅପ୍ରସନ୍ନ ଭାବ
ମନ୍ଦ – ମିଛ
ହୀନ ପରାକ୍ରମେ – ଶକ୍ତି ରେ ହୀନ ବା
ନିର୍ବପୁ
କବି ଓ କଳା:-
ଭୟାତୁର ରାବଣ କୂଟନୀତି ରେ ବିଫଳ ହୋଇଯାଇଥିବାରୁ ନିଜର ଅନ୍ତର ମଧ୍ୟରେ ନାନା ଶଙ୍କା ଲାଭ
କରିଅଛି । ସୁଗ୍ରୀବ ଓ ଅଙ୍ଗଦ କୁ ବାର୍ତ୍ତା ପଠାଇଲେ ମଧ୍ୟ କୌଣସି ପ୍ରକାର ର ସୁଫଳ ପ୍ରାପ୍ତ
କରିପାରି ନାହିଁ । ତା' ଛଡା ଅସଂଖ୍ୟ ସୈନ୍ୟ ସାମନ୍ତ କଥା ଅବଶ୍ୟ ଲଙ୍କପତି କୁ ଚିନ୍ତାମଗ୍ନ କରାଇଦେଲା । ତଦୁପରେ, ସେ ସିନ୍ଧୁ ପାର ହେବା ବିଷୟରେ ରାମଚନ୍ଦ୍ରଙ୍କ ଯୋଜନା ଉପରେ ଶୁକ ସାରଣ ଙ୍କ ନିକଟରୁ
ଜାଣିବାକୁ ଆଗ୍ରହ ପ୍ରକାଶ କଲା ଓ ଯେତେବେଳେ ବିଧି ଅନୁସାରେ ଶ୍ରୀରାମଚନ୍ଦ୍ର ଉପବାସ ରହି କୁଶ
ଶଯ୍ୟା ରେ ରାତ୍ରି ଯାପନ କରି ବରୁଣ ଦେବତାଙ୍କୁ ତୁଷ୍ଟ କରିବାର ପ୍ରକ୍ରିୟା ଆରମ୍ଭ କରିଛନ୍ତି
ବୋଲି ଉଭୟଙ୍କ ନିକଟରୁ ଶ୍ରବଣ କରିଛି, ବିଶ୍ରବା ନନ୍ଦନ ରାବଣ ମନ ମଧ୍ୟରେ ଭରି ରହିଥିବା ସବୁ ଶଙ୍କା
କୁ ମିଥ୍ୟା ବୋଲି ତ୍ୟାଗ କରିଦେଇଛି ଓ ରାମଚନ୍ଦ୍ର ନିର୍ବପୁ ତଥା ବଲହୀନ ଭାବି ସେ ତା'ର କୌଣସି କ୍ଷତି ସାଧନ କରିପାରିବ ନାହିଁ ବିଚାର ପୂର୍ବକ ତାତ୍ସଲ୍ୟ ଭରା ହସ ହସିବସିଛି ।
ବର୍ଣ୍ଣନା:-
ବିଂଶ ବାହୁ ପ୍ରୟୋଗ କରିଥିବା ସମସ୍ତ କୂଟନୀତି ନିରର୍ଥକ ହେବା ଜାଣି ଗମ୍ଭୀର ହୋଇପଡିଥିଲା
। ଚିନ୍ତା ମଗ୍ନ ହୋଇ ଶୁକ ସାରଣ ଙ୍କୁ ଶେଷ ବେଳକୁ ବନଚାରୀ ରାମଚନ୍ଦ୍ର ସମୁଦ୍ର ପାର ହୋଇ
ଲଙ୍କାଗଡ କୁ ଆସିବା ନିମିତ୍ତ କି ପ୍ରକାର ଉପାୟ ଅବଲମ୍ବନ କରୁଛନ୍ତି ବୋଲି ଜାଣିବାକୁ ପୁଚ୍ଛା
କଲା । ନିୟମ ପାଳନ ପୂର୍ବକ ସେତୁ ବନ୍ଧ ନିର୍ମାଣ କରିବାକୁ ରାମଚନ୍ଦ୍ର ଜଳଦେବତା ବରୁଣ ଦେବଙ୍କୁ
ତୁଷ୍ଟ କରିବାକୁ ଉପବାସ ରହିବା ସହିତ କୁଶଶଯ୍ୟା କୁ ଗ୍ରହଣ କରିଛନ୍ତି ବୋଲି ଶୁକ ସାରଣ କହିଲେ ।
ଏତିକି ଶୁଣିବା ମାତ୍ରେ ରାବଣ ମୁହଁ ରେ ଅଟ୍ଟହାସ୍ୟ ଦେଖାଦେଲା ଓ ସମସ୍ତ ସନ୍ଦେହ ଭାବନା କୁ ମନ
ମଧ୍ୟରୁ ପୋଛିଦେଇ ରାମଚନ୍ଦ୍ର ବଳହୀନ ଓ ତା' ର କୌଣସି କ୍ଷତି
ସାଧନ ସେ କରିପାରିବେ ନାହିଁ ବୋଲି ନିଜକୁ ଦୃଢ ମନେକଲା । ରାବଣ ନିଜକୁ ବଳଶାଳୀ ଓ ପରାକ୍ରମୀ
ବିବେଚନା କରି ଶ୍ରୀରାମଙ୍କୁ ବପୁହୀନ ବୋଲି ମନେମନେ ଗ୍ରହଣ କରିନେଲା ।
READ OUR
OTHER POSTS
1.
ମଙ୍ଗଳେ ଅଇଲା ଉଷା -CLASS-X- କବିତା
ର ସମ୍ପୂର୍ଣ୍ଣ ବର୍ଣ୍ଣନା
2.
ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା
ର ସମ୍ପୂର୍ଣ୍ଣ ବର୍ଣ୍ଣନା
3.
ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4.
ସର୍ବଂସହା ମାଟି -CLASS-X- କବିତା
ର ସମ୍ପୂର୍ଣ୍ଣ ବର୍ଣ୍ଣନା
5.
ଭୀମଙ୍କ ସିଂଘନାଦ ରଡି -CLASS-X- କବିତା
ର ସମ୍ପୂର୍ଣ୍ଣ ବର୍ଣ୍ଣନା
6.
ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା
ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8.
ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9.
ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10.
କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11.
କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12.
ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13.
କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X-
ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14.
ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15.
ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16.
ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17.
ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18.
ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19.
ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20.
ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21.
The Road Not Taken- CLASS-IX- An analytical description in English
22.
The Ant and The Cricket- CLASS-VIII- An analytical description in English
23.
Squirrel- CLASS-VII- An analytical description in English
24.
ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25.
How the camel got his hump- CLASS-VIII- An analytical description in
English
26.
THE LOST CHILD- CLASS-IX- An analytical description in English
27.
କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28.
Fire and Ice-Class-X-ଉଗ୍ରତା ଓ ଉଦାସୀନତା-
ଓଡିଆ ଭାଷା ରେ
29.
Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା
ରେ
30.
THE FUN THEY HAD- CLASS-IX- An analytical description in English
31.
A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ
ଭାଷା ରେ
32.
FIRE AND ICE- CLASS-X- An analytical description in English
33.
୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ
୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା
ପ୍ରଶ୍ନପତ୍ର ପ୍ରଘଟ ଘଟଣା
34.
DUST OF SNOW- CLASS-X- An analytical description in English
35.
A LETTER TO GOD-CLASS-X- An analytical description in English
36.
ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN
ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ
ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା
ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43.
ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment