Kuhukini Priya
୧
ଅଭୂଲା ଅତୀତ ଉଠଇ ଚେଇଁ ସେ
ଗହନ-ଗୋପନ-କଥା
ବହନ କରିଛି 'କୁହୁକିନି ପ୍ରିୟା'
ମନର ମରମ ବ୍ୟଥା । -0
କେତେ କାଳ ଆଉ ରହିଥିବି ଚାହିଁ
ମୁ ତୋର ଫେରିବା ପଥ
ଜୀବନ ମୁର୍ଚ୍ଛିବି ଅବଶ୍ୟ ବନ୍ଧୁ ରେ
ଯଦ୍ୟପି ନ ହେଉ ଭେଟ -୧
ପ୍ରୀତି ର ଦୀପାଳି ବସିଅଛି ଜାଳି
ଆସିବୁ ନିକରେ ବୋଲି
ପ୍ରାଣର ସ୍ପନ୍ଦନ ଥିମି ଥିମି ଆସେ,
ସଂସାର ରୀତି କୁ ଭାଳି । -୨
ନ ଜାଣେ ଏ ଭାବ କେମନ୍ତେ ବନ୍ଧୁ ରେ
ଚିତ୍ତ ରେ ହେଲା ସଞ୍ଚାର
ନେତ୍ର ପଥେ ଯେବେ ନ ହେଉ ଭେଟ ଲୋ
ହୁଏ ପରାଣ ଅସ୍ଥିର । -୩
ଦେଇଅଛୁ କଥା ସମୀପେ ମୋହର
ନ ମାନିବୁ ବୋଲି ପର
ତୋ ସଙ୍ଗ ବିହୁନେ ପରାଣ ମୋହର
ହୁଏ ମିତଣି ଲୋ ଚୁର । -୪
ଜୀବନରେ ଯେବେ ନାହିଁ ଆନେ ଇଛା
ସ୍ମୃତି ତୋର ରହିଥାଉ
କାଳକାଳକୁ ଏ ଅମର-କାହାଣୀ
ଇତିହାସେ ବଞ୍ଚି ରହୁ । -୫
ଆକାଶ ର ତାରା-ଫୁଲ ଖୋଜୁଅଛି
ସାଗର ହୃଦୟ ଚିରି
ଶୂନ୍ୟ କୋଠରୀରେ ପୂଜା କରୁଅଛି
ପ୍ରତୀକ୍ଷା-ଆଳତୀ ଧରି । -୬
ଅବୁଝା ଏ ମନ ବୁଝେନା ବନ୍ଧୁରେ
ଯେତେ ବୁଝାଇଲେ ତା'କୁ
ସ୍ମୃତି ର ଆକାଶେ ବିହଙ୍ଗ ସଦୃଶ
ଝୁରେ ସଦା ତୋ ସଙ୍ଗ କୁ । -୭
କେଉଁ ଲଗ୍ନେ ତୋତେ ଚିନ୍ତିଲି ଚିତ୍ତେ
ଲୋ
ଥିଲା କେଉଁ ତିଥିବାର
ସହଜେ ସହଜେ ତୋ ପ୍ରୀତି-ବନ୍ଧନ
ହେଲା ମୋ ପାଇଁ ଜଞ୍ଜିର । -୮
ନିର୍ମଳ ଆକାଶେ ଯଥା ଭାସ୍କର ଲୋ
ତୋ ପ୍ରେମ ହେଲା ପ୍ରତୀତ
ଚିତ୍ତ-ବନେ ସଖୀ ତୋ ନିର୍ମଳ ସ୍ମୃତି
ମଣିଲି ମୁ ପାରିଜାତ । -୯
ଭାଙ୍ଗିବାକୁ ସେହି ପ୍ରୀତି ର ବନ୍ଧନ
ଅଛି କାହିଁ ମୋ' ଶକତି
ଭାଙ୍ଗିଯାଏ ସିନା ଏ ମାଟି କଣ୍ଢେଇ
ବଞ୍ଚି ରହେ ସଦା
ସ୍ମୃତି । -୧୦
ମାନିବୁ ଅବା ନ ମାନିବୁ ବନ୍ଧୁ ରେ
ସେ ସିନା ଭାବନା ତୋ'ର
ମାତ୍ର ମୋ' ହୃଦୟେ ତୁ ମୋର ମଣିଛି
ଯେଣୁ ଲାଗୁ ଆପଣାର । -୧୧
ସୁଖର କଣିକା ଲଭିବି ଲେଶ ଲୋ
ବୋଲି କରିଥିଲି ଆଶ
ପିରତୀ ଆଞ୍ଜୁଳା ହୃଦେ ଭରିଦେଲୁ
ଚିତ୍ତେ ହେଲି ମହାତୋଷ । -୧୨
ଦରିଦ୍ର ହାତରେ ସରଗ ସମ୍ପତ୍ତି
କି ଅବା ପଡିଲା ଖସି
ସେହି ପ୍ରାୟେ ତୋର ମୋହ ଭରି ହୃଦେ
ଚିତ୍ତେ ହେଲି ମହାସୁଖୀ । -୧୩
ମରିବି ପଛକେ ଭୁଲିବି ନାହିଁ ରେ
ସେ ମଧୁ ପିରତୀ ଦିନ
ଆନେ ଢ଼ାଲିନାହିଁ ବି ଢାଳିବି ନାହିଁ
ଏ ତୋ'ର ମନ ପରାଣ । -୧୪
ତୋତେ ଗୁଣି ଗୁଣି ଦିନ ବଞ୍ଚେ ଗଣି
ନାହିଁ ସୁଖ କି ଶରଧା
ତୋ' ପ୍ରେମରେ ହେଜି ମୋର ସୁଖ ରାଜି
ଗାଏ ମୁଁ ତୋ' ପ୍ରେମ ଗାଥା । -୧୫
ଯାହାତୁ କରିବୁ କରିଯା ଧନୀ ଲୋ
ନ ହେବି ତିଳେ କାତର
ସହିବି ସବୁତୁ ଦେବୁ ଯେତେ ବାଧା
ହୃଦୟେ ରଖି ପଥର । -୧୫
ପିଣ୍ଡ ଠାରୁ ପ୍ରାଣ ହୁଏ ଯେବେ ଭିନ୍ନ
ଅବା କି ବଞ୍ଚି ହୁଅଇ
ସେହି ପରକାରେ ତୋ' ସମୀପୁ ଦୂରେ
ରହି ତିଳେ ନ ପାରଇ । -୧୬
ଖୋଲିଦେଲୁ ମୋର ହୃଦୟରେ ବନ୍ଧୁ
ମାୟା ପିରତୀ ର ଖଣି
ସୌଭାଗ୍ୟ କି ଅବା ଦୁର୍ଭାଗ୍ୟ ସେ ମୋ'ର
ଏବେ ବି ନ ପାରେ ଗୁଣି । -୧୭
ଯେଉଁ ଦିବସ ରୁ ମାୟା ତୋର ମୋର
ଚିତ୍ତ ରେ ହେଲା ସଞ୍ଚାର
ଚତୁର୍ଦିଗେ ତୋ'ର ମଧୁର ମୂରତି
ହେଲା ମୋ' ନେତ୍ରେ ଗୋଚର
। -୧୮
ନେତ୍ରେ ନେତ୍ର ଭରି ଭାଷୁଥିଲୁ କେତେ
ଅନ୍ତର ଅକୁହା କଥା
ବୁଝିପାରୁଥିଲୁ ସହଜେ ସହଜେ
ଏ ମନ ମରମ ବ୍ୟଥା । -୧୯
ତୃଷାର୍ତ୍ତ ପଥିକ ନେତ୍ରେ ଦୃଶ୍ୟ ହେଲା
ଅବା କି ପଦ୍ମ ପୋଖରୀ
ସେହି ପରକାରେ ପାରୁଶେ ତୋହର
ଲଭିଲି ସୁଖର-ଶିରି । -୨୦
ଦିବସ ଅବା ଶର୍ବରୀ ହେଉ ସଖି
ନେତ୍ରେ ସଦା ତୋ' ସ୍ୱପନ
ଉଠେ ଚେଇଁ ହୃଦେ ଯେବେ ବାର ବାର
ଚିତ୍ତେ ଲଭଇ କଷଣ ।
-୨୧
ସାଜିଲି ବନ୍ଧୁ ମୁ ଅନ୍ତରେ ତୋ ମାୟା-
ପ୍ରତ୍ତିମା କରି ଯତନ
ଆଖି ପତା ତଳେ ରଖିଲି ଖୁନ୍ଦି ମୁ
ଭାବ ତୋହର ନବୀନ । -୨୨
ମନ ପ୍ରାଣ ବୋଲି ଥିଲା କିଛି ଯଦି
ସମର୍ପି ଦେଲି ମୁ ତୋତେ
କେଉଁ ପରକାରେ ମଜ୍ଜିଲି ତୋ ଭାବେ
ହେଜି ନ ପାରିଲି ଚିତ୍ତେ । -୨୩
ଭରି ରହିଥିଲା ଚିତ୍ତ ର ଅନ୍ତରେ
ଅମାପ ଗରବ ମୋର
କ୍ଷଣକୁ ତୋ ପ୍ରେମ-କନକ-ବହ୍ନି ରେ
ହେଲା ଲୋ ସେ ସବୁ ଚୁର । -୨୪
ଦିବାନିଶି ବସି ରହିଲି ମୁ ଭାବି
ତୋର ମଧୁର ପିରତୀ
ମନ-ଆକାଶ ରେ କି ଅବା ମୋହର
ଉଠିଲା ସୁଖର ଶଶୀ । -୨୫
୨
ଅବା କୁହୁକିନି କୁହୁକ ରଚିଲା
ଭୋଳ ହେଲି ବେନି ଡୋଳେ
ବସନ୍ତ ପ୍ରତୀତ ହେଲା ଏ ଜଗତ
ପାରୁଶେ ମୋର ସେକାଳେ । -୧
ହୃଦୟ ଫଳକେ ତୋ ନାମ ଉତ୍ସୁକେ
ଲେଖିଲି ପୀରତି ରଙ୍ଗେ
ବେଲୁବେଳ ଭୋଳେ ହେଲା କିବା ଭୋଳ
ଏ ଚିତ୍ତ ତୋ ଭାବ ରଙ୍ଗେ ।
-୨
ହେବୁ ବୋଲି ମୋର ପ୍ରାଣ ମିତଣି ଲୋ
ଜନମିଲା ଭାବ ଗୋଟି
ପ୍ରୀତି ଦ୍ରୁମ ତଳେ ସହଜେ ସହଜେ
ଗଲା ଏ ପରାଣ ଲୋଟି ।
-୩
ଆଶା ଆକାଶ ରୁ ସୁଖ
ବାରିଧାରା
ଆସେ ଅବିରତେ ଝରି
ନିମିଷକ ମଧ୍ୟେ ଅଙ୍ଗେ ଅଙ୍ଗେ ମୋର
ଯାଏ ଆନନ୍ଦ ସଞ୍ଚରି । -୪
ଗୁଣିଲି ମୁ ଚିତ୍ତେ ସଖି ତୋ ସଙ୍ଗତେ
ବଞ୍ଚିବି ସଂସାରେ ଦିନ
ହୃଦୟ ଅନ୍ତରେ ତହୁଁ
ଜାଗି ଉଠେ
ନିତି କୋଟିଏ ସପନ । -୫
ନିର୍ଝର ସମ ହୃଦଅନ୍ତେ ଝରିଲା
ତୋ ପିରତୀ ମଧୁ
ଝର
ଚାହୁଁ ଚାହୁଁ ସେହି ପିରତୀ ର ଧାରେ
ବହି ଗଲା ଚିତ୍ତ ମୋର । -୬
ବାହୁ ଛାୟା ତଳେ ସରଗର ସୁଖ
ଲଭିବି ସଙ୍ଗତେ ବୋଲି
ହୃଦ ସିଂହାସନେ ଯତନ ରେ ତୋର
ମୁରତି ସାଜି ରଖିଲି । -୭
ନ ହେବୁ କୃପଣ ଚିତ୍ତ ଅନ୍ତରାଳେ
ରଖିଥିବୁ ସଦା ଦୃଷ୍ଟି
ତୁ ଏକା ଏ ଭବେ ଏକଇ ବିଭବ
ବାକି ଲାଗେ ମିଛ ଭେଟି । -୮
ହୃଦୟ ସିନ୍ଦୁକେ ନାଆ କୁ ତୋହର
ରଖିଲି ଯତନେ ସଞ୍ଚି
ପ୍ରାଣ ଥିବା ଯାଏ ପୀରତି ପ୍ରସୂନ
ଅରପିବି ନିତି ନିତି ।
-୯
ତୁ ଏକା ମୋହର ପରାଣେ ସଖିରେ
ବୁହାଇଛୁ ସୁଧା ଝର
ତୋ ଭାବର କାହିଁ ଏ ଭବେ ତୁଳନା
ଗଙ୍ଗା ସମ ପ୍ରୀତି ତୋର । -୧୦
ଶୟନେ ସପନେ ସଦା ଜାଗରଣେ
ମନେ ପଡେ ତୋ ମୂରତି
ତୋ ବିନୁ ସଂସାର ଦରବ ଯେତେକ
ବିଷ ପ୍ରାୟ ମଣେ ମତି । -୧୧
ମନ ଉପବନେ ପୁଷ୍ପ ଲତିକା ଲୋ
ଦେଲୁ ଚହଟାଇ ବାସ
ସେ ସୁରଭି ଯହୁଁ ଛୁଇଁଲା ହୃଦୟ
ହେଲି ମୁ କ୍ଷଣକୁ ବଶ । -୧୨
ନେତ୍ର କୋଣେ ତୋର ନବୀନ ଚାହାଣି
ଫୁଟଇ କ୍ଷଣକୁ କ୍ଷଣେ
ହୃଦୟେ ସାଜିଲୁ କୁସୁମ କଳିକା
ଶୋଭିଲା ଅତି ଯତନେ । -୧୩
ଯହୁଁ ଯହୁଁ ଅଙ୍ଗେ ଅପରୂପ ଶୋଭା
କାଳ କୁ ପ୍ରକାଶ ହେଲା
ସେହି କାଳ ମୋର ହେବ ବୋଲି କାଳ
ପରତେ ହେଉ ନ ଥିଲା । -୧୪
ରୂପ ଭାରେ ଯହୁଁ ଦିନୁ
ଦିନ ସଖି
ହେଲୁ ସଲଜ୍ଜେ ଅଳସୀ
ଶୋଭାରାଣୀ ଯଥା ମନେ ହେଲୁ ଚିତ୍ତେ
ଦେଖି ହେଲି ମହା ଖୁସି । -୧୫
ଆକାଶେ ଉଇଁଲା ଅକସ୍ମାତେ କିବା
ଉଜ୍ଜଳ ପୂର୍ଣ୍ଣିମା ଶଶୀ
ଅଗଣା ମଣ୍ଡିଲୁ ଯଥା କାଳେ ଅପ-
ରୂପ ବିଭବେ ଷୋଡ଼ଶୀ
। -୧୬
ମନ ଉପବନେ ତୋ ରୂପ ମାଧୁରୀ
ଫୁଟି ଦୃଶଇ ଅତୁଳ
ଗଢ଼ିଥିଲା ଧାତା କେତେ ଯତନରେ
ଧନୀ ତୁ ଅମୂଳ ମୂଳ । -୧୭
ତୋ ରୂପ ଵିଭବେ ହେବା ପାଇଁ ତୁଳ
ନାହିଁ ଏ ଭବେ ରୁପସୀ
ସେ ରୂପ ସାଗରେ ଡୁବିଯିବି ହେଜି
ହେଲି ଆଜ ମହା ଦୁଖୀ । -୧୮
ଚଳ ଚଞ୍ଚଳ ନିର୍ଝର ସମ ସଦା
ଭାବ ଷୋହଳ ବୟସୀ
ଭ୍ରମେ ମୁ ପ୍ରସୂନ ଦ୍ରୁମ ବୋଲି ସିନା
ହେଉଥିଲି ଚିତ୍ତେ ସୁଖୀ
। -୧୯
କେଉଁ ଭାବେ ତୋର ଭାବ ଜନମିଲା
ଅନ୍ତରକୁ ବସେ ଦହି
ଅନ୍ତରର କଥା ଅନ୍ତରେ ରହଇ
ଖୋଲି ତ ନ ହୁଏ କହି
। -୨୦
ସାତ ଜନମକୁ ରଖିଲେ କଣ୍ଟ ବି
ଏ ତୋର ପୀରତି ଋଣ
ଶୁଝିବି କହିଲେ ପାରିବି ନାହିଁ ରେ
ସାକ୍ଷୀ ଏ ମନ ପରାଣ । -୨୧
କେଉଁ ସାହସରେ ଏ ସମାଜେ
ବନ୍ଧୁ
ହେବି ମୁ ତୋହରି ସମ
ଦୂରେ ରହି ଚିତ୍ତେ ବାଢୁଛି ଧନୀ ରେ
ମୁ ତୋତେ ଅନନ୍ତ ପ୍ରେମ । -୨୨
ଉଛୁଳା ସରିତ ଯଥା ତୁ ବନ୍ଧୁ ରେ
ପାରିବ କେ ତୋତେ ରୋକି ?
ଚଞ୍ଚଳ ଚିତ୍ତ କୁ ଅସ୍ଥିର ପରାଣେ
ମୁ କାହୁଁ ପାରିବି ରଖି । -୨୩
ରଖିଛି ସାଇତି ହୃଦୟେ ଯତନେ
ଅମ୍ଲାନ ତୋର ପୀରତି
ନିରାଶ ଏ ପ୍ରାଣେ ଆନ କି ଅଛି ଯେ'
ଭେଟି ଦେଵ ସୁଖ ରାଶି । -୨୪
୩
ସୁଖ ର ଦିନ ତ ହେଲାଣି ଶେଷ ଲୋ
କିବା ଆଉ ପିଣ୍ଡେ ଲୋଡ଼ା
ତୋ ସ୍ମୃତି-ପଥରେ ଆତୁର ଏ ମନ
ପରାଣେ ଲଭଇ ପୀଡା । -୧
ନିମିଷେ ନ ହେଲେ ଦେଖା ସଖି ତୋର
ବଢେ ଅନ୍ତରରେ ଖେଦ
ଭେଟ ପରିଯନ୍ତେ ବେଳକୁ ବେଳ ମୁ
ଗୁଣି ବଶଇ ପ୍ରମାଦ । -୨
ଲାଘବ ହେବ ବୋଲି ଚିତ୍ତ କ୍ଳେଶ ମୁଁ
କରିଥିଲି ତୋତେ ଆଶ
ଏଥକୁ ପରଶୁ ଦଣ୍ଡ ଏ ପରାଣେ
ଲାଗଇ ସଂସାର ବିଷ । -୩
ଅନ୍ତର ବେଦନା ସଖୀ ରେ ମୋହର
କିବା ନ ପାରୁଛୁ ବୁଝି
ଦିବାନିଶି ବଞ୍ଚେ ବିଶାଦେ ଧନୀ ଲୋ
ତୋ ନାମ କୁ ଚିତ୍ତେ ହେଜି । -୪
କେତେ ଦର୍ପ ଥିଲା ସମୀପେ କାହାର
ଦେବି ନାହିଁ ବୋଲି ଧରା
ହେଲେ, ମୋତେ ବାନ୍ଧି ରଖିଲୁ ପଣତେ
ପରଶି ପ୍ରେମର ଧାରା । -୫
ଅଙ୍ଗ ବିଷ ସିନା ଗୁଣିଆ ଝାଡେ ଲୋ
ଚିତ୍ତ ବିଷ ପାରେ ନାହିଁ
ଚିତ୍ତରେ ଜହର ହେଲେ ସଞ୍ଚାର ଲୋ
ଅଡୁଆ ଝାଡ଼ିବା ପାଇଁ । -୬
ସ୍ୱପନେ ଦେଖଇ ନିତି ଅର୍ଦ୍ଧରାତ୍ରେ
ମୁଁ ତୋର ଚନ୍ଦ୍ର ବଦନ
ନିଶି ନାଶ କାଳେ ଅନ୍ତରେ ଧନୀରେ
ଭେଦି ବସଇ କଷଣ । -୭
କୁସୁମେ ଭ୍ରମର କୁମୁଦେ ଶଶାଙ୍କ
ଉତ୍ପଳେ ଯଥା ଭାସ୍କର
ରୁତୁରାଜେ ଯଥା ପୀକ ବିହ୍ୱଳିତ
ତଥା ଏ ହୃଦୟ ମୋର । -୮
ଯଥା ବାରିଧାରା ବହେ ସିନ୍ଧୁ ଆଶେ
ତଥା ଏ ପରାଣ ମୋର
ଭାବେ ବହିଯାଏ କ୍ଷଣକୁ କ୍ଷଣ ଲୋ
ଲଭିବାକୁ ପ୍ରୀତି ତୋର । -୯
ଯଥା ଘନ ଅଙ୍ଗେ ଖେଳେ ସୌଦାମିନୀ
ମୋ ଚିତ୍ତ ତୋ ପ୍ରୀତି ବନେ
ନାଚି ଉଠେ ସଖୀ ଅଧୀରେ ପରାଣ
ଝୁମଇ ଅତି ଉଚ୍ଛନ୍ନେ । -୧୦
ନୀଳ ନଭେ ଶଶୀ ପୁଷ୍କରେ ପୁଷ୍କର
ଉର୍ବୀ ଅଙ୍ଗେ ଋତୁରାଜ
ସେହି ପ୍ରାୟେ ଚିତ୍ତେ ନ ଘେନି ଧନୀ ରେ
ଗୁଣୁ କାହିଁ ପରମାଦ । -୧୧
ନିମିଷକ ଦେଖା ଏ ମନେ ସଖୀ ରେ
ଦେଲା କେଉଁ ଭାବ ଭରି
ସେ ଭାବ ମୂରତି ଗୋପନେ ଗୋପନେ
ନିଏ ମୋ ଚିତ୍ତ ଓଟାରି । -୧୨
ପର୍ବତ କନ୍ଦରୁ ସଦା ଅବିରତେ
ଝରଇ ଯେହ୍ନେ ନିର୍ଝର
ଲଭିବାକୁ ତୋତେ ସମୀପେ ସଖୀ ରେ
ହୁଏ ହୃଦୟ ଅସ୍ଥିର । -୧୩
ଗହନ ମନର ଏ ପରା ବନ୍ଧୁରେ
ଗଭୀର ଗୋପନ କଥା
କହିବି କମନ୍ତେ ଆନକୁ ସଖି ରେ
ଭେଦଇ ମରମେ ବ୍ୟଥା । -୧୪
ପଶ୍ଚିମ ଆକାଶେ ସୁରୁଜ ଡୁବିଲେ
ଘୋଟି ଆସଇ ଅନ୍ଧାର
ବିଷ ପ୍ରାୟ ଲାଗେ ପରାଣ ପିଣ୍ଡ ରେ
ଚିତ୍ତ ହୁଅଇ ଅସ୍ଥିର । -୧୫
ହୋଇ ପାରୁଥାନ୍ତି ଯଦ୍ୟପି ବିହଙ୍ଗ
ଆସନ୍ତି ସମୀପେ ତୋର
ପୁଚ୍ଛନ୍ତି ଧନୀ ଲୋ କେଉଁ କାରଣରୁ
କରୁ ମୋତେ ସାତପର । -୧୬
କ୍ଷୁଧାତୁର ପ୍ରାଣ ପାଶେ ଥିଲେ ଅନ୍ନ-
ଥାଳ କିବା ନ ଭୁଞ୍ଜଇ
ସେ ରୀତି ରେ ଘେନି ହେଜି ଅନ୍ତରରେ
କହ ଅଛି ଦୋଷ କାହିଁ । -୧୭
ଯେସନେ ବଳାଏ ନବ ପ୍ରସ୍ଫୁଠିତ
କୁସୁମେ ମତି ଭ୍ରମର
ସେହି ପରକାରେ ତୋ ରୂପ-ବିଭବେ
ଚିତ୍ତ ମୋ ହେଲା ବିଭୋର । -୧୮
ଗୁଣ କୁ ଚିହ୍ନଇ ଗୁଣିଆ ବନ୍ଧୁରେ
ସୁନା କୁ ଯେହ୍ନେ ବଣିଆ
କେଉଁ ଅପରାଧ କରିଛି ତୋ ତୁଲେ
ଚିହ୍ନି ବି ହେଉ ଅଚିହ୍ନା । -୧୯
କାହୁଁ ଆସିହେଲା ଏ ବିଷମ କାଳ
ହରିନେଲା ସବୁ ସୁଖ
ମୋ ତୃଣ-ଜୀବନ କାଳ-ବଇଶାଖୀ
ଝାଞ୍ଜି କରିଗଲା ହତ । -୨୦
ଥିବି ଯେତେ କାଳ ମଣିଷ ପରାଣ
ବହି ଏ ମର୍ତ୍ତ୍ୟ ମଣ୍ଡଳେ
ସୁଖେଦୁଃଖେ ଦିନ ହରିବି ବନ୍ଧୁରେ
ତୋହର ସ୍ମୃତି-କୁଞ୍ଜରେ । -୨୧
ଆକାଶେ ଚନ୍ଦ୍ରମା ତାରା-ଫୁଲ ଯେବେ
ବେନି ନୟନେ ମୋ ଦୃଶେ
ତୋ ରୂପ-ମାଧୁରୀ ସିନ୍ଧୁରେ ବନ୍ଧୁରେ
ଡୁବିବାକୁ ଚିତ୍ତ ଇଛେ । -୨୨
ସୁଖର ସପନ ଏତେ ମିଠା ବୋଲି
ଜଣା ନ ଥିଲା ଏ ମନେ
ଜାଣିଲା ବେଳକୁ ସପନ ଭାଜଇ
ହେଜି ନ ହୁଏ ପରାଣେ । -୨୩
ପ୍ରଥମ ଛୁଆଁ ର କୁଆଁରୀ ପରଶ
ନ ଥିଲା ଲୋ ମୋତେ ଜଣା
ସହଜେ ସହଜେ ତୋ ପୀରତି କୁଞ୍ଜେ
ହେଲି ମୁଁ ତ ବାଟବଣା । -୨୪
ତନୁ-କଳିକା ର ସୌନ୍ଦର୍ଯ୍ୟ-ସୁବାସେ
ହେଲି ମୁଁ ସହଜେ ଘାରି
ସାଜି କୁହୁକିନି ମନ ରାଇଜର
ହରିନେଲୁ ସୁଖ ଶିରୀ । -୨୫
୪
କେତେକାଳ ଆଉ ରହିବି ଅନାଇ
ଢ଼ାଳିବୁ କେବେ ତୋ ନେତ୍ର
କିବା ବଞ୍ଚିବି କାଳ ଏହି ପରାଏ
ବିନା ତୋ କୃପା କଟାକ୍ଷ । -୧
ବୁଝିବି ବୋଲି ଚିତ୍ତେ କରି ପ୍ରୟାସ
ନ ପାରିଲି ଲବେ ବୁଝି
ତୋ ମନ-ସମୁଦ୍ର ଗଭୀରତା କେତେ
କେମନ୍ତେ ପାରିବି ହେଜି ? -୨
ଭାବିଥିଲି ଚିତ୍ତେ ତୋହର ସଙ୍ଗତେ
ଲଭିବି ଅନନ୍ତ ସୁଖ
କୋଳେ ତୋର ରଖି ଭୁଲି ଯିବି ମଥା
ଜୀବନ ଜଞ୍ଜାଳ ଦୁଃଖ । -୩
ଜାଣେ ଲୋ ମୋ ଭାବେ ରହିଛି ଅଭାବ
ତୋ ପ୍ରତି ଭାବରେ, ଉଣା
ନହେଲେ ତୋ ଚିତ୍ତେ କାହିଁ କୋମଳାଙ୍ଗୀ
ମୋତେ କରିଥାନ୍ତୁ ଉଣା । -୪
ଦେବୀ ତ ନୋହୁ ରେ ନୋହୁ ତ ମାନବୀ
ଅଟୁ ନିଶ୍ଚେ କୁହୁକିନି
ନିରିମମ ଭାବେ ବାନ୍ଧିରଖି ଚିତ୍ତ
ହୃଦୟ କୁ ଦେଉ ହାଣି । -୫
କା ଆଗେ କହିବି ମନ ର ଏ ଦଶା
ହେଲୁ କୃପଣ ରେ ସହୀ
ପୁଷ୍କରିଣୀ ତୁଠେ ରହି ବି ହାୟରେ
ତୃଷ୍ଣା ମୋ ମେଣ୍ଟଇ ନାହିଁ । -୬
ନିଶି ଆସେ ନିଶି ପାହେ ସିନା ନେତ୍ରେ
ନିଦ୍ରା କ୍ଷଣେ ନ ଆସଇ
ତୁ ବୁଝିବୁ ସଖି ମନ ର ଏ ଭାବ
ଠିକେ ଠିକେ ଦେଲି କହି । -୭
ଆତ୍ମା ଅନ୍ତରାଳେ ବନ୍ଧୁ ବୋଲି ତୋତେ
ବାଢୁଛି ନିରତେ ପ୍ରେମ
ତଥାପି ରକତ ମାଉଁସ ର ହୃଦେ
ନ ଭେଦେ ଧିକ ତୋ ପ୍ରାଣ । -୮
ଜନମ ନେଇଛି ଯେବେ ଏ ସଂସାରେ
ଅବଶ୍ୟ ଲଭିବି ମୃତ୍ୟୁ
ତା’ ହେତୁ ଏ ଚିତ୍ତେ ନାହିଁ ଲବେ ଦୁଃଖ
ଦୁଃଖ ତୁ ହେଉ ମୋ ଶତ୍ରୁ । -୯
ସୁଖର କଣିକା ସପନ ଥିଲା ରେ
ବୋହିଛି ଦୁଃଖର ଭାର
ସମୀପେ ଲଭିଲି ବୋଲି ସୁଖରାଜି
ଯାଉ ଦୂର କରି ପର । -୧୦
ଅଭେଦ ଏ ତୋର ମାୟା ବାନ୍ଧି ବନ୍ଧେ
ପର କରି ଦେଉ ଚିତ୍ତେ
ଏକା ବସିଅଛି ମନ ମାରି ଆଜି
ନାହିଁ କେ ମୋହର ସାଥେ । -୧୧
ମନ କଥା ଯା’କୁ ବାର ବାର ଇଚ୍ଛି
ନ ହୁଏ ଥରଟେ କହି
ତା’ରେ କାହିଁ ତା’ର ମାୟା
ବାନ୍ଧି ରଖେ
ଏ ଭାବ ଗମ୍ୟ ନୁହଇ । -୧୨
ଦୂରେ ଥିଲେ ଲାଗେ ସମୀପେ ଅଛଇ
ସମୀପେ ଲାଗଇ ଦୂର
ବୁଝି ତ ନୁହଇ ଓଲଟା ଏ ଭାବ
ଅଭେଦ୍ୟ ପ୍ରୀତି ବେଭାର । -୧୩
ଆଗକୁ ନ ଗୁଣି ବଢ଼ାଇଛି ପାଦ
ଯାହା ହେବା କଥା ହେଉ
ଦୁଃଖ ଅବା ସୁଖ ଭୋଗିବି ମୋ କର୍ମ
ଗଲେ ବି ଜୀବନ ଯାଉ । -୧୪
ଫୁଟିବା ଆଗରୁ ମୋ ପ୍ରୀତି-କୁସୁମ
ଗଲା ମଉଳି ଅକାଳେ
ଭାବନା କୁ ମୋର ମିଛ ବୋଲାଇ ତୁ
ପର କରିଯାଉ ଦୂରେ । -୧୫
କେଉଁ ସୁଖ ପାଇଁ ହୋଇ ମନେ ବାଇ
ବାନ୍ଧି ମୁଁ ହାରିଲି ତୋତେ
ଯେତେ ଇଚ୍ଛା କଲେ ପାସୋରିବି ବୋଲି
ପଡୁ ମନେ ମୋର ସେତେ । -୧୬
ଏହି ପରକାରେ ଅସ୍ଥିର ପରାଣ
ଯିବ ଟି ଦିନେକ ଜାଣେ
ମନର କଥାକୁ କେ ମୋର ବୁଝିବ
ସଦା ରହିଅଛି ମନେ । -୧୭
ଦିବସ ଶର୍ବରୀ ଯାଏ ବିତି ନିତି
ତୋ ସ୍ମୃତି କୁ ପାନ କରି
ତୁ କେହ୍ନେ ବୁଝିବୁ ହୃଦ ଅନ୍ତରାଳେ
ମରୁଛି ମୁଁ ତୋତେ ଝୁରି । -୧୮
ସ୍ଵର୍ଣ୍ଣ କଳସ ରୁ ପିଇଥିଲି ପାଣି
ତୃଷ୍ଣା ମୋ ମେଣ୍ଟିବ ବୋଲି
ଓଲଟି ଏ ଭାବ ହେଉଛି ବେଳକୁ
ବେଳ ଯାଏ ତୃଷ୍ଣା ବଳି । -୧୯
ଆନେ ନାହିଁ ଯେବେ ଇଚ୍ଛା ଏ ପରାଣେ
ଯାଉ ଏହି ଭାବେ କାଳ
ଭାଳେ ଅଛି ହେଲେ ନ ଭାଲିବି ଆଉ
ସେ ତ କପାଳ ର ଗାର । -୨୦
ଗଙ୍ଗା ସମ ତୁ ପବିତ୍ର ମୁଁ ନର୍ଦ୍ଧମା
ପ୍ରାୟେକ ରେ ହେମ ବର୍ଣ୍ଣି
ମିଶିଥିଲେ ଧନୀ ହୋଇଥାନ୍ତୁ ନିଶ୍ଚେ
ମୋ ବିଜୁଁ ତୁ
କଳଙ୍କିନୀ । -୨୧
ଯାହା ତୁ ଦେଇଛୁ ସେ ଅମୂଳ ମୂଳ
ଲଭି ନ ଥିଲି ମୁଁ କେହ୍ନେ
ରଖିବି ସାଇତି ଶାମୁକା ଗରଭେ
ସଞ୍ଚଇ ମୁକୁତା ଯେହ୍ନେ । -୨୨
ପ୍ରୀତିର ସାଗର ବୋଲି ମନେ ମୋର
ହେଜୁଥିଲି ସଦା କାଳେ
ତୋ କୋଳ କାଙ୍ଗାଳ ହେବାରୁ ବନ୍ଧୁରେ
କିବା ଛାଡ଼ି ଯାଉ ଦୂରେ । -୨୩
ଜନମ ନେଇଛି ଯେବେ ଏ ମଣ୍ଡଳେ
ଅବଶ୍ୟ ଫଳ ଭୋଗିବି
ସୁଖ ହେଉ ଅବା ସେ ଦୁଃଖ ପସରା
କିମ୍ପା ଚିତ୍ତେ ଗୁଣି ହେବି । -୨୪
ଗୁଣି ହେଉଅଛି ସିନା ମୁଁ ବନ୍ଧୁରେ
ଦେଇଥିଲୁ ଯେଉଁ କଥା
କେତେ କାଳ ଯାଏ ରଖିବୁ ଗୋପନ
ସେ ଏକା ମରମ ବ୍ୟଥା । -୨୫
୫
ଜାଣେ ବନ୍ଧୁ ମୁ ଲୋ ଭାବ ରେ ତୋହର
ହେବି କେମନ୍ତେ ଯୁକତ
ମୋ କର୍ମ ବୋଲାଏ ମାଙ୍କଡ ପଥର
ମଣି ତୁ ଲୋ ମରକତ । -୧
ଜାଣେ ଏ ଜନମେ ଧାତା କାଟିଅଛି
ନାହିଁ ମୋ କରମେ ସୁଖ
ବୟସ ର ରବି ଧୀର ଧୀର ହୋଇ
ପଶ୍ଚିମେ କରଇ ମୁଖ । - ୨
ପର୍ବତ ପରାୟ ପାଷାଣ-ପରାଣେ
ବୁହାଇଛୁ ସୁଧା-ଝର
ସେ ଭାବକୁ କାହିଁ ତୁଳନା ବନ୍ଧୁରେ
ଗଙ୍ଗା ସମ ପ୍ରୀତି ତୋର । - ୩
ନେତ୍ରେ ନେତ୍ର ଢାଳି ସତୃଷ୍ନେ ଥରଟେ
ଏ ତୋର ପ୍ରାଣ କୁ ଚାହାଁ
ବିପତ୍ତି କାଳକୁ ଚାହିଁଛି କାତରେ
ଦେଏ ସଖି ଥରେ ରାହା । - ୪
ମୁକତି ଲଭିବି ବୋଲି ସିନା ବନ୍ଧୁ
ରଖିଥିଲି ଦୃଢ ଆଶା
ଭାଙ୍ଗିଦେଉଅଛୁ କେଉଁ କାରଣରୁ
ସକଳ ମୋର ଭରଷା । - ୫
ସାହା ବୋଲିବାକୁ ନାହିଁ କେହି ମୋର
ବନ୍ଧୁରେ ଥିଲୁ ତୁ ଏକା
ମଝି ଦରିଆ ରେ ଛାଡି ହାତ ମୋର
ଚାଲିଯାଉ କରି ଏକା । - ୬
କେ ଅବା ଜିଣିବ ସଙ୍ଗତେ ଦଇବ
ଘେନି ସଂଘର୍ଷ ସଂସାରେ
ଲାଗଇ ଯେଣିକି ଇଛା ତା ତେଣିକି
କାଳ-ଦଉଡି ଓଟାରେ । - ୭
ଦଇବ ର ଦଣ୍ଡ ସହି ନ ହୁଏ ରେ
ସହିବି ମୁ ତୋର ଦଣ୍ଡ
ଦୈବ ଦଣ୍ଡ ଭାର ଶିଳା ସଦୃଶ ରେ
ପୁଷ୍ପ ସମ ତୋର ଦଣ୍ଡ । - ୮
ସୁଧା ବୋଲି ଯାହା ଦେଲୁ ଯାଚି ମୁଖେ
ସେ ହେଲା ଅଙ୍ଗେ ମୋ ବିଷ
କେମନ୍ତେ କହିବି ସେକଥା ବନ୍ଧୁରେ
ଏ ତ କରମର ଦୋଷ । - ୯
ତୁ ସିନା ମୋ ଚିତ୍ତେ ରହିଛୁ ଯତନେ
ମୁ କି ଅଛି ତୋର ମନେ
କିଏ ସେ କହିବ ଗୋପନ ଏ କଥା
ଚିତ୍ତ ବଦଳଇ କ୍ଷଣେ । - ୧୦
ତୋ କୋଳ କାଙ୍ଗାଳ ହେବାରୁ କି ଅବା
ସଖି ଗଲୁ ମୋତେ ଛାଡି ,
ଜାଣିବୁ ବନ୍ଧୁରେ ତୋ ବିନା ଏ ପ୍ରାଣ
ଦୁଃଖେ ରହିଅଛି ବୁଡି । - ୧୧
ନିରର୍ଥକ ମୋର ଜନମ ବନ୍ଧୁରେ
ଜହର ପ୍ରାୟ ଏ କାଳ
କେହିତ ନ ହେଲେ ଆପଣା ବନ୍ଧୁରେ
ତୁ ବି ହେଲୁ ସାତ ପର । - ୧୨
କରମେ ପଲକ ପାଇଁ ଆସେ ସୁଖ
ଦୁଃଖ ତ ଜନମ ପାଇଁ
ଲଭି ହାରିଗଲେ ରତନ ଧନୀରେ
ଏ ମନ କେତେ ଭାଜଇ । - ୧୩
ତୋ ବିନା କାହିଁ ରେ ନ ଲାଗଇ ତିଳେ
ଅବୁଝା ଏ ମୋର ମନ
ସତ କହୁଛି ଲୋ ଅର୍ଦ୍ଧ-ରାତ୍ରେ ନିତି
ଦେଖୁଛି ତୋର ସପନ । - ୧୪
କେତେ ଆଶା ଥିଲା ଧରି ତୋର ହାତ
ବଞ୍ଚିବି ସୁଖରେ ଦିନ
ଆଶା ସିନା ମୋର ଆଶା ରେ ରହିଲା
ଭାଜି ଗଲା ସଖି ମନ । - ୧୫
କି ଅବା ଲିହିଛି ଦଇବ ମୋ ଭାଳେ
ଅସହ୍ୟ -ବେଦନା -କଥା
ଅବଶ୍ୟ କରିବି ଭୋଗ ଯଦି ଭାଳେ
ହୋଇଥାଏ ମୋର ଲେଖା । - ୧୬
ଏ କେମନ୍ତ ଭାବ ବନ୍ଧୁ ତୁ କହରେ
ମନେ ନ ପାରୁଛି ଗୁଣି
ନୋହୁ ତୁ କେ ମୋର ଜାଣିଛି ହେଲେ ବି
ଲାଗୁ ମୋ ହୃଦୟ ମଣି । -୧୭
ମରୁ ମରୀଚିକା ପରାୟ ସପନ
ଠିକେ ଠିକେ ଅଛି ଜଣା
ମୃଗ ତୃଷ୍ନା ବୋଲି ତୋତେ ଏହି ଚିତ୍ତେ
ତଥାପି ଗୁଣି ପାରେନା । -୧୮
ହାରିବି ଜୀବନ ନିଶ୍ଚୟ ଧନୀରେ
ଯଦି ନ ହେବୁ ତୁ ମୋର
ଅପବାଦ ହେଲେ ହେବ ସିନା ସଖି
ନେବି ତୋ ନାମେ ଜହର । -୧୯
ପ୍ରାଣ ବୋଲି ଯାହା ଥିଲା ଏହି ପିଣ୍ଡେ
ବନ୍ଧା ଲୋ ତୋର ପଣତେ
ମୁର୍ଦ୍ଧାର ସମ ମୁ ବଞ୍ଚିଛି ଜଗତେ
ଚାହାଁ ତୋର ବେନି ନେତ୍ରେ । -୨୦
ରଖିଥିଲି କାଳ କାଳ କୁ ମୁ ଆଶ
ରଖିଥିବୁ ବୋଲି ଦୃଷ୍ଟି
ନିରାଶ-ଅନ୍ଧାରେ ମୋ ପ୍ରାଣ ସଖିରେ
ଯାଉଅଛି ସିନା ଲୋଟି । -୨୧
ଯେତେଭାବେ ପରବୋଧି ଆସୁଅଛି
ନ ବୁଝଇ ଚିତ୍ତ ତିଳେ
ସଦା ତୋ ସମୀପ ଇଛଇ ଅନ୍ତରେ
ବିହି ଏ ଲିହିଛି ଭାଳେ । -୨୨
ଭଗ୍ନୀ ଭ୍ରାତୃ ଅବା ପିତା ମIତI ତୁଲେ
ହୋଇନାହିଁ ଦିନେ ଯୋଗ୍ୟ
ତୁ କେମନ୍ତେ ମୋତେ ବୋଳିବୁ ଆପଣା
କାହିଁ ମୋର ସେହି ଭାଗ୍ୟ । -୨୩
ଦୋଷ ଠୁ ବଳିଲା ଦଣ୍ଡ ତୋ ଅଧିକ
କେହ୍ନେ ମୁ ପାରିବି ସହି
ଘେନା ହେଉ ବାରେ ହେଉ ଉଣା ଦଣ୍ଡ
ମିନତି କରୁଛି ସହୀ । -୨୪
ମନେ ରଖି କେତେ ଆଶା ଭରଷା ମୁ
ଆସିଛି ନିକରେ ଧାଇଁ
ନିଷ୍ଠୁର ବଚନ ଭାଷି ଖେଦ ଚିତ୍ତେ
ଧନୀ ଲୋ ଯାଚିବୁ ନାହିଁ । -୨୫
୬
ନ ପIରି ସମ୍ଭାଳି ହୃଦୟ ଆବେଗ
କଲି ତୋତେ ଗଲା ମାଳ
ଦୋଷ ମୋ କେଉଁଠି ମଣିଲୁ ବନ୍ଧୁରେ
ଦେବୁ ଠିକେ ତୁ ଉତ୍ତର । -୧
ମୋ ମନେ ଅମୃତ ବୋଲି ଭାବିଥିଲି
ବିଷ ଠୁଁ ବଳିଲା ତାହା
ସେ ବିଷ ଜ୍ୱାଳା ରେ ଦହି ହେଉଅଛି
କେ ଅଛି କରିବ ଆହା । -୨
ମନର ଆକାଶେ ଛାଇ ଗଲା ମେଘ
ବୁଡ଼ିଲା ସୁଖ ର ଶଶୀ
ପରାଣେ ମୋର ଲୋ ଘୋଟିଲା ଅନ୍ଧାର
ଯଥା ଘନ-ଅମା-ନିଶି । -୩
ଜୀବନେ ମୋର ଲୋ ନିରାଶ ର ବହ୍ନି
ପ୍ରଜ୍ବଳିତ ବେଳୁ ବେଳ
ହାୟରେ ବିଧାତା ଏ ରୂପେ କଷଣ
କିମ୍ପା ଦେଉ ବାର ବାର । - ୪
ପୂରୁବ ଜନମେ କରିଛି କି ଅବା
ପାପ ଭୋଗୁଅଛି ଫଳ
ତେଣୁକରି କିବା ପ୍ରାଣ ମିତଣିରେ
ରହିଅଛୁ ଆନ କୂଳ । -୫
ବୃଥା ସିନା ଆଶା ତୁଟିଲା ଭରସା
ଅଶ୍ରୁ ନିଗାଡିବା ସାର
ଏକ ପାଦ ଯହୁଁ ଉଠାଏ ଆରେକ
ପାଦ ହୁଏ ଥର ଥର । -୬
ଦ୍ରୁମ କୁସୁମ କୁ ଦେଖି ମୁ ନୟନେ
ହେଲି ଚିତ୍ତେ ମହା ଖୁସି
ରହିଥିଲା ଛୁଁପି କେଉଁ ମାୟା ତହିଁ
ହେଲି ତା କାରଣେ ଦୁଖୀ । -୭
ଜାଣେଲୋ ତୁ ମୋର ନୋହୁ ଆପଣାର
ତଥାପି ଚିତ୍ତ ନ ବୁଝେ
ଯେତେ ବୁଝାଇଲେ ସେତେକ ବନ୍ଧୁରେ
ସଦା ତୋ ସମୀପ ଇଛେ । -୮
ଯେତେ ପରକାରେ ପ୍ରବୋଧିଲେ ସଖି
ହେଉ ନ ବୁଝିଲା ପ୍ରାୟ
ତୁ ଯେବେ ନ ବୁଝୁ ମନର କଥା କୁ
କେ ଅଛି ବୁଝିବ କହ । -୯
ତୋ ମନେ ବନ୍ଧୁ ତୁ ପଚାରି ବୁଝିବୁ
ମୁ କି ନୁହେଁ ତୋ ଆପଣା
ଯଦି ଲାଗେ ମନେ ଆପଣା ବନ୍ଧୁରେ
କିଆଁ ହେଉ ଲୋ ଅଚିହ୍ନା ।-୧୦
ମୁ ତୋର ପ୍ରୀତି ରେ ମନ ଜିଣିବାରେ
କରିନି ତ କେବେ ଉଣା
କେଉଁ କାରଣରୁ ରହୁ ସଦା ଦୂରେ
ସେ କଥା ଗୁଣି ପାରେନା । -୧୧
ବହିଯାଏ ସିନା ସମୟର ସ୍ରୋତ
କଥା ରହେ କାଳକାଳ
ଏ ପ୍ରାଣେ ମମତା କାହିଁ ଆଉ ବନ୍ଧୁ
ତୁଟିଲା ଆଶା ସକଳ । -୧୨
ପ୍ରେମ ପାରିଜାତ କୁସୁମ କୁ ଦଳି
ଯାଉ ସିନା ତୁ ଲୋ ଚାଲି
ସେ ଦଳା କୁସୁମେ ମାଳ ଗୁନ୍ଥି ମୋର
ହୃଦୟେ ରଖିବି ତୋଳି । -୧୩
ବିଚିତ୍ର ଏ ପ୍ରାଣ ବନ୍ଧୁ ଲୋ ସଂସାରେ
ତିଳେ ନ ପାରଇ ହେଜି
କାହିଁ ସୁଖ କି ଶରଧା ନ ଜାଣଇ
ଯେବେ ଯାଏ ଚିତ୍ତ ଭାଜି । -୧୪
ଜାଣେ ବନ୍ଧୁ ତୋର ରହିଅଛି ଶଙ୍କା
ହେବୁ କଳୁଷିତ ବୋଲି
ତହିଁ ପାଇଁ ରହୁ ଦୂରେ ବହୁଦୂରେ
ବୁଝିପାରୁଛି ରେ ଆଳି । -୧୫
ହୋଇ ଥାନ୍ତି ଯଦି ରାଜା ର ତନୟ
ଅବା ଧନୀର କୁମର
ଲଭିଥାନ୍ତି ନିଶ୍ଚେ କନକ ଗୋରୀରେ
ତୋ ପ୍ରୀତି କୁସୁମ ହାର । -୧୬
ନୀଚ କୂଳେ ବନ୍ଧୁ ଜନମ ମୋହର
ସ୍ୱଭାବେ ତୁ ଉଚ୍ଚ ଜାତି
ଅନ୍ଧ ସମାଜରେ ଆନ କେଉଁ ନ୍ୟାୟେ
ଲଭିବି ମୁ ତୋର ପ୍ରୀତି । -୧୭
ଲଭିଥାନ୍ତି ଯଦି ତୋ ମନେ ଶରଧା
ରହିଥାନ୍ତା ବନ୍ଧୁ ପ୍ରତି
ଛଳନାମୟୀ ତୁ ଠିକେ ମୁ ବୁଝିଛି
କାହିଁ ଲଭିବି ତୋ ପ୍ରୀତି । -୧୮
ଜାଣଇ ଏ ଧୃବ ବକ୍ଷ ରେ ମୋର ଲୋ
ରଖିବୁ ଦିନେ ତୁ ପାଦ
କାହା ବଳ ନେଇ ଯୁଝିବି ସମାଜେ
ଯଦ୍ୟପି ହୁଏ ପ୍ରମାଦ । -୧୯
ଶୋଇଯିବି ଯେବେ ଏ ମାଟି ରେ ବନ୍ଧୁ
ହେଜିବୁ ଦିନେ ଯତନେ
ଏବେ କହୁଅଛି ଯେତେକ କଥା ମୁ
ପ୍ରତୟ ନ କରୁ ମନେ । -୨୦
ପାଖେ ଅଛି ବୋଲି ବନ୍ଧୁ ରେ ମୁ ତୋର
ନ ହେଜୁ ପ୍ରୀତି ର ମୂଳ
ଜାଣିଛି ଯେବେ ମୁ ଯିବି ଦୂର ହୋଇ
ସେକାଳେ ବୁଝିବୁ ମୂଳ । -୨୧
ବିଶ୍ୱାସେ ଯଦି ମୁ ହୋଇଅଛି ବାନ୍ଧି
ହେବି ବୋଲି ବନ୍ଧୁ ତୋର
କେଉଁ କାରଣରୁ ବିଶ୍ୱାଶକୁ ମୋର
କରିଯାଉଅଛୁ ଚୁର । -୨୨
ଉଚ୍ଚ ବୋଲି ମୋର ପ୍ରୀତି ର ରଜ୍ଜୁ କୁ
କରିଯାଉଅଛୁ ଛିନ୍ନ
ଉଚ୍ଚ ନୀଚ୍ଚ ଭେଦ ଭାବ ପ୍ରୀତି ମଧ୍ୟେ
କାହିଁ ଲୋ ତୁ ଦେଉ ଧ୍ୟାନ । -୨୩
ଚିତ୍ତରେ ଭାବିବୁ ତୋ ହୃଦୟ ମଧ୍ୟେ
ନାହିଁ କିବା ମୋ ମୂରତି
ଯଦି ଏହା ସତ ତେବେ କିଆଁ ବନ୍ଧୁ
ଦେଉ ମୋ ହୃଦୟେ କାତି ।-୨୪
ପିଣ୍ଡ ଠାରୁ ପ୍ରାଣ କନକ ଗୋରୀ ରେ
ସଙ୍ଗତେ ତୁ ମୋର ନେଲୁ
ଅନୁକ୍ଷଣେ ଦୁଃଖ ଉପୁଜେ ହୃଦୟେ
କାହିଁ ଏତେ ସରି କଲୁ । -୨୫
୭
ଦିବସେକ ଦେଖା ନ ହେଲେ ବନ୍ଧୁରେ
ପ୍ରାଣ ହୁଏ ଛଟପଟ
ସାରା ରାତି ଭାବେଁ ଆନ ଦିବସରେ
କେମନ୍ତେ ହେବ ତୋ ଭେଟ । -୧
ଥିଲା କି ତୋ ସାଥେ ବନ୍ଧନ ବନ୍ଧୁରେ
ଅବା ପୂରୁବ ଜନମେ
ସେହି ହେତୁ କିବା ଆସିଛୁ ଆବୋରି
ମାନମୟୀ ମୋର ମନେ । -୨
ତୁ ଚାଲିଗଲୁ ତୋ ଚଳା ପଥେ
ଅନ୍ତର ତଳର କଥା
କାହାକୁ ନ ପାରେଁ କହି ମୁଁ ଏ ମୁଖେ
ସେ ସିନା ମରମ ବ୍ୟଥା । -୩
କହିଲେ କହିବ ସମାଜ ଅବୁଝା
କରୁଅଛି ଦୋଷ ବୋଲି
ସଂସାରେ ବଞ୍ଚିବି କେମନ୍ତେ ତୋ ବିନା
ସେ କଥା ହେଉଛି ଭାଳି । -୪
ଯିବୁ ସିନା ଦୂରେ ସମୀପୂ ମୋର ଲୋ
ରହିଥିବ ସ୍ମୃତି ବଞ୍ଚି
ଅମୃତ ବୋଲିଣ ସଖୀ ରେ ଏକାନ୍ତେ
ପିଉଥିବି ବିଷ ନିତି । -୫
ଯାଉଛି ତୋ ବିନା ଜୀବନ ମୋର ଲୋ
ଲାଗଇ ଜହର ସମ
ହେଲେ କେହ୍ନେ ତୋତେ ଲଭିବି ମାନିନୀ
ବିହି ଲିହିଅଛି ଆନ । -୬
ସୁଖ ଅବା ସଉଭାଗ୍ୟ ସେ ସପନ
ଅଲୋଡ଼ା ଏଇ ଜୀବନେ
ସଞ୍ଚି ରଖିଅଛି ଦେଇଛୁ ଯେତେକ
ହୃଦୟ ମଧ୍ୟେ ଯତନେ । -୭
କେଉଁ ଅପରାଧ ଫଳେ ଏତେ ଦଣ୍ଡ
ଦେଉଛୁ ନ ପାରେ ଜାଣି
ଅପରାଧ ପାଇଁ ନାହିଁ କିବା କ୍ଷମା
ଠିକେ କହିଦେବୁ ଧନୀ । -୮
ଜାଣି କଣ୍ଟା ପଥେ ରଖିଅଛି ପାଦ
ସହିବି ସବୁ ଦରଦ
ଭ୍ରମେ ଗୁଣିଥିଲି ତୁ ଏକା ମୋହର
ହାରିବୁ ଚିତ୍ତର ଖେଦ । -୯
ବହୁ ଦିନୁ ଚାହିଁ ରହିଛି ଏକାନ୍ତେ
ମୁଁ ତୋର ଫେରିବା ପଥ
ଜୀବନ ମୂର୍ଛିବି ବନ୍ଧୁ ଏହା ସତ
ଯଦ୍ୟପି ନ ହେଉ ଭେଟ । -୧୦
ନାହିଁ ତୋର ଦୋଷ ସ୍ୱଭାବେ ଦୋଷ ରେ
ଗୁଣେ ଏକା ସବୁ ମୋର
ଜାଣି ଜାଣି ଯେଣୁ ସାଜିଛି ମୁଁ ମନେ
ତୋତେ ମୋ ଗଳାର ହାର । -୧୧
କୁଣ୍ଡଳୀ ପ୍ରାୟେକ ଦଁଶେ ବାରବାର
କୃତଘ୍ନ ସେ ଭାବ ତୋର
ଜ୍ଵାଳା ଅଙ୍ଗେ ଅଙ୍ଗେ ଦହି ଆସଇ ଲୋ
ଦୁର୍ଭାଗ୍ୟ କୁ ହେଲୁ ପର । -୧୨
ପ୍ରାଣେ ବାଢି ଏତେ ମମ’ତା ବନ୍ଧୁରେ
ପାସୋରିଲେ କେଉଁ ଯଶ
ଲଭିବୁ ତୋ ଚିତ୍ତ ତୋତେ ଅନ୍ତରାଳେ
ବୋଲାଇବ ଅପଯଶ । -୧୩
କାହାକୁ କହିବି ଅନ୍ତର କଥା ମୁଁ
ହେଲେ ସବୁ ସାତ ପର
ବୋଲି ସିନା ତୋତେ କହିଲି ବନ୍ଧୁ ରେ
ତୁ ବି ହୋଇଯାଉ ପର । -୧୪
ଫେରିବୁ ବୋଲି ତୁ ଏ ପ୍ରାଣେ ବନ୍ଧୁ ରେ
ରଖିଅଛି ଆଶ ଦିନେ
ନ ଆସିଲେ କାହିଁ ଅଛି ଲୋ ମମ’ତା
ଭାଜିଲା ଏହି ପରାଣେ । -୧୫
ଚାଲିଗଲୁ ସିନା ନିକରୁ ତୁ ମୋ’ର
ସ୍ମୃତି ରହିଅଛି ଚେଇଁ
ପାସୋରି ନ ହୁଏ ଯଦି ପାସୋରଇ
ତୋତେଲୋ ଶଶାଙ୍କ ମୁହିଁ । -୧୬
ପ୍ରୀତି ନୁହେ ପାପ ନୁହେଁ ଅଧରମ
ନୁହଇ ଲୋ ଅପରାଧ
ପୀରତି ପବିତ୍ର ନିର୍ଝର ବନ୍ଧୁରେ
ନ ଚିହ୍ନି ରୋଧିଲୁ ପଥ । -୧୭
କାହାକୁ କହିବି ଆପଣ ଚିତ୍ତେ ମୁ
କେହି ତ ନୁହନ୍ତି ମୋର
ଭାବୁଥିଲି ସଖି ଚିତ୍ତେ ଚିତ୍ତ ଦେଇ
ତୁ ଏକା ସଂସାରେ ମୋର । -୧୮
ଅସ୍ତାଚଳେ ରବି କାଳକୁ ମିତରେ
ଚାହିଁ ରହୁଅଛି ତୋତେ
ତୁ କେଡେ ନିଷ୍ଠୁର ଜାଣି ନ ଜାଣିଲା
ପରାୟେ ହେଉଛୁ ମୋତେ । -୧୯
ମୋ ପ୍ରତି ଛଳନା ନାହିଁ ଯେବେ ବନ୍ଧୁ
ଆସିବୁ ନିଶ୍ଚେ ନିକର
ଅଲୋଡ଼ା ପରାଣେ କରିଛି ପ୍ରତୀକ୍ଷା
ନ ହେବୁ ସଖି ପଥର । -୨୦
ଏ ପ୍ରାଣେ ସ୍ପନ୍ଦନ ଭରି ଯେବେ ଧନୀ
ସମିପୁ ହେବୁ ଅନ୍ତର
କାହା ପାଇଁ ଆଉ ବଞ୍ଚିବି ସଂସାରେ
ଧିକ ସିନା ପ୍ରାଣ ମୋର । -୨୧
କେହି ନ ଜାଣନ୍ତି ସିନା ପ୍ରାଣବନ୍ଧୁ
ତୋର ମୋର ପ୍ରୀତି ଭାବ
ହେଲେ ଜାଣେ ଜଣେ ତୋହରି ରାଣ ଲୋ
ତୋ’ ହୃଦୟେ ମୋର ଠାବ । -୨୨
ରହିଅଛି ଚାହିଁ କାଳକାଳକୁ ଲୋ
ଦିବାନିଶି ଏକ କରି
ଛାଡିଯିବୁ ଯେବେ ତୋ ନାମେ ଜହର
ଅବଶ୍ୟ ଘେନିବି ଗୋରୀ । -୨୩
ପ୍ରାଣେ ଅଛି ଯଦି ମୋ ପାଇଁ ଦରଦ
ଆସିବୁ ତୁ ମୋ ନିକରେ
ତୋ ପାଇଁ ଏ ପ୍ରାଣେ ସର୍ବଦା ମୋହ ରେ
ଆନ ନ ବସେ ଚିତ୍ତରେ । -୨୪
ମିନତି ମୋହର ତୋତେ ପ୍ରାଣ ସହୀ
ନ ଘେନିବୁ ମୋତେ ପର
ଜୀବନ ମୂର୍ଛିବି ଚିତ୍ତେ ଚିନ୍ତିବୁ ଲୋ
ଏ କଥା ପଥର ଗାର । -୨୫
୮
ଯଦି ବଞ୍ଚି ରହେଁ ଏକଥା ଧୃବ ଲୋ
ତୋ ନାମେ ନେବି ଜହର
ଅପବାଦ ହେବ ଯେବେ ଫିଟିବ ଲୋ
ସମାଜ ରେ ଏ ଗୁମର
ସେ ଦୁଃଖ ଶ୍ରାବଣ ଧାରା
ସୁଖେ ପାଦ ରଖୁ ରଖୁ ଦୁଃଖ ପରେ
ପଡଇ ଚରଣ ଭାରା
ଚାଲିଯାଉ କାହିଁ ଦୂରେ
ଅବା ଏ ତୋହର ରୀତି ପ୍ରାଣ ବନ୍ଧୁ
ବୁଝି ନ ହୁଏ ଚିତ୍ତରେ
ପ୍ରାଣ ଆଉ କାହା ପାଇଁ
ମୋ ସାଥେ ଛିଣ୍ଡାଉ ମନର ଭାବ ଲୋ
ଏ କଥା ବୁଝି ନୁହଇ
ନ ବାଢେ କି ଲବେ ତାପ
ଏ କେଉଁ ପୀରତି ଗୁଣି ନ ହୁଅଇ
ହୃଦୟେ ଉଠଇ ଶୋକ
ତୋ ସାଥି ରେ ଭାବ କଲି
ଜଳନ୍ତା ଜୁଇ ରେ ନିକ୍ଷେପିତ ହୋଇ
ପରାଣ ଵିସର୍ଜି ଦେଲି
ଥିଲୁ ଏକା ତୁ ହିଁ ମୋର
ତୁ ଯେବେ ଅନ୍ତର କରି ଚାଲିଯାଉ
ହେବି ମୁଁ ଆଉ
କାହାର ?
ସୁଖ ଲୋଡିଥାନ୍ତି ଜନେ
କେଉଁ ପରକାରେ ତୁ ହେବୁ ଆନ ଲୋ
ବିଧି କୁ ତଡି ତୋ ମନେ
କେ ତାକୁ କରିବ ଚୁର
କମଳ ଭାସ୍କର ଭାବ ସିନା ମଧୁ
ହରି ନିଅଇ ଭ୍ରମର
କଲୁ ମୋ ସଙ୍ଗତେ ଭାବ
ସତ ମଣି ମଣି ପ୍ରାଣ ମିତଣିରେ
ହାରିଲି ଚିତ୍ତ ବୈଭବ
କଥା ଦେଲୁ ଧନୀ ଜନମେ ଜନମେ
ସଦା ଥିବୁ ତୁ ମୋ’ କରେ
କେଉଁ କାଳ ବଳେ
ପାସୋରିଦେଲୁ ଲୋ
ବୁଝି ନ ହୁଏ ଅନ୍ତରେ
ହାରିଲା ସବୁ ସଂସାରେ
ତୁ କାହୁଁ ହେବୁ ଲୋ ତା’ର ସୁଖ ଶିରି
ଛଳନା ଭରା ଅନ୍ତରେ
ମିଛ ପ୍ରୀତି ପଥେ ଧାଇଁ
ମାୟା ମରୀଚିକା ସଦୃଶ ତୁହି ଲୋ
ଭ୍ରମିଲି ଥୋକାଏ ମୁହିଁ
କରି ତ ନାହିଁ ଅନ୍ତର
ଭରି ରଖିଥିଲୁ ଭାବନା କି ଚିତ୍ତେ
ଯେଣୁ କଲୁ ସାତ ପର
ସତ କଥା ମୋ ନିକରେ
ଆଜି ଏ ଜନମ ପାଉଁଶ ସମ ଲୋ
ନ ହୋଇଥାନ୍ତା ସଂସାରେ
ପ୍ରୀତିରେ ବାନ୍ଧିଲୁ ଚିତ୍ତ
ପ୍ରୀତି ଦଉଡ଼ିକୁ କାଳ-ପାସ କରି
କିମ୍ପା କରୁ ପ୍ରାଣେ ହତ
ଅନ୍ତରେ ନ ଆଶେ ଖେଦ ?
ବଡ ଅବିବେକୀ ବୋଲି ପୁଣି କହ
ନ ଜାଣି ତା’ର ଦରଦ
କରୁଛୁ କେତେ ବିବାଦ
ଅକାରଣେ ସଖୀ ଏତେ କଥା କହି
ଦିଅ କିମ୍ପା ଅପବାଦ ?
ଦୃଢେ ବାଢିଥିଲୁ ଆଶା
କେଉଁ ଭାବେ ପୁଣି ଆଜି କହୁଅଛୁ
ଏତେ ବଡ କଟୁ ଭାଷା
ଆଜି ପୀରତି କୁ ମୋର
ଦେଖିବୁ ଦିନେ ଏ ପୀରତି କାହାଣୀ
କରିବ ତୋ ମନ ଚୁର
ଯେବେ ଜାଣିବୁ ଏ ସତ
ହେଲେ ନ ଥିବି ମୁଁ ସେ କାଳେ ବନ୍ଧୁ ରେ
ଏ କଥା ନୁହଇ ମିଛ
ଯଦି ପ୍ରୀତି ମୋର ହୋଇଥାଏ ସତ
ଦେବୁ ନିଶ୍ଚେ ତା’ର
ମୂଳ
ଶୋକ ଛାୟା ତଳେ ଡୁବି ରହିବୁ ଲୋ
ସ୍ମୃତି କରି ଜପା-ମାଳ
ପାରୁଶେ ନାହିଁ କି ଦୂରେ ନାହିଁ ସାଥି
ଏ କଥା କେ ବୁଝିବାକୁ
ଅନ୍ତର କଥା ମୋ ଅନ୍ତର ରେ ରହି
ଭେଦେ କଷଣ ହିଆକୁ
ଗୃହକର୍ମ ଜଞ୍ଜାଳରୁ ମୁକ୍ତି ଲଭି
ଥିଲି ବୋଲି ପାରୁଶ ରେ
ସେହି ବିଜୁ କିବା ନିକରୁ
ମୋହର
ଛାଡ଼ିଗଲୁ ବହୁଦୂରେ
କାରଣ ନ ବାଢି ଦଣ୍ଡକ ରେ ହେଲୁ
ସଖୀ ରେ ସମୀପୁ ଦୂର
ଯାହାକୁ ରତନ ମଣି ଗୁଣୁଥିଲୁ
ଗଣିଲୁ ତାକୁ ଅସାର
୯
ପାସୋରି ପାରିବୁ କିବା ସେ ଅତୀତ
ବନ୍ଧୁ ରେ ଅନ୍ତରୁ ତୋର
ପାରିବୁ ଯେବେ ତୁ ଧିକ ଏ ପରାଣ
ପ୍ରୀତି ବୋଲାଉ ଅସାର
ସହିଆସିଅଛି କଷଣ ସଙ୍ଗତେ
ଏ ପ୍ରାଣେ ଜଞ୍ଜାଳ ଦାଉ
ଆଉ ନ ହୁଅଇ ସହି ରେ ସୁମୁଖୀ
କିମ୍ପା ପୁଣି ଯାଚି ଦେଉ
ପଥର ହୃଦୟେ କାହିଁ ଆଲୋଡନ
ସଙ୍ଗତେ କଟିଲା ଦିନ
ତେଣୁ କରି ସିନା ପର କରୁ ମୋତେ
ଭୁଞ୍ଜିବି ବୋଲି
ଦୁର୍ଦ୍ଧିନ
ଡାଳେ ଝୁଲା ଏକ ନୀଡ ସିନା ମୁଁ ରେ
ତୁ ଅଟୁ ତହିଁ ର ପକ୍ଷୀ
ଯେବେ ଛାଡିଯିବୁ ସେ ବସାର ମୂଳ
କାହିଁ ଅଛି ଲୋ ସୁମୁଖୀ ?
ମୁଁ ନୁହେଁ କାହାର ଅବା କିଏ ମୋର
ଅନୁମାନ ହୁଏ ବନ୍ଧୁ
ମାଟିର ମାଙ୍କଡା ପଥର ମୁଁ ସିନା
ଆହା ଲୋକେ ମୋତେ
ବିନ୍ଦୁ
ସୁଖର ପସରା ସପନ ରାଇଜୁ
ଗୋଟେଇ ନିଏ ମୁଁ ସିନା
ଭାବେ ଆପଣାର ଯା’କୁ, ହୁଏ ପର
ଭାଗ୍ୟର ଏ ବିଡମ୍ବନା
ନ ଜାଣି ହେଲେ ମୁଁ ନିନ୍ଦୁଛି ତୋତେ ଲୋ
ନ ଘେନିବୁ ତୋ’ର ଚିତ୍ତେ
ମୁଁ କାହିଁ ଲଭିବି ତୋ ପ୍ରୀତି ପରଶ
ମୋର କରମ ଲୋ କେତେ ?
ପାଞ୍ଚ ପଚିଶ ରେ ମହତ ତୋ’ର
ଲୋ
ରହିବ କି ହେଲେ ମୋ’ର
ବାଡ଼ି ତୁଳସୀ ର କରମ ରେ କାହିଁ
ଦ୍ରବ୍ୟ ପୂଜା ଉପଚାର ?
ଏଡେ ନିରିଦୟ ହେବୁ ଯେବେ ସଖୀ
କେହ୍ନେ ଅଛି ମୋର ଗତି
ଜାଣେ ତୋ’ ବିହୁନେ ଏ ପରାଣେ ଧନୀ
ନାହିଁ କାହିଁ ଲୋ ମୁକତି
ଦୋଷ ଯଦି ମନେ ଘେନିବୁ ସ୍ଵଭାବେ
ନୁହଇ ମୁଁ ଉଚ୍ଚ ଜାତି
ଅଧିକାର ନାହିଁ କିବା ଗୁଣୁ ତହୁଁ
ତୋ ସାଥେ ଭାବ ପିରତୀ
ଅନ୍ଧ ମଣିଷ ର ରୀତି ସିନା ବନ୍ଧୁ
ଗୁଣନ୍ତି ଜାତି ଅଜାତି
ପ୍ରେମ କି ପୁଚ୍ଛଇ ଜାତି ଅଜାତି ରେ
ଉଚ୍ଚ ନୀଚ ଭୟ ଭ୍ରାନ୍ତି
ବୁଝି ତ ନ ଥିଲି ବୁଝି ମୁଁ ପାରୁଛି
ସମୟ ହିଁ ନିଦାରୁଣ
ତା’ ବିଜୁଁ ଧନୀରେ ସମୀପ ରୁ ମୋର
ଆଜି ହୋଇଯାଉ
ଭିନ୍ନ
ଥିଲା ଯେବେ ମନେ ଏତେ ଭାବ ତୋର
କେହ୍ନେ ତୁ ଘେନିଲୁ ଚିତ୍ତେ
?
ଛାଡି ଯିବୁ ଯେବେ କରି ଅନ୍ତର ଲୋ
ବଞ୍ଚିବି ମୁଁ କେଉଁ ମତେ
ଅବଶ୍ୟ ମୁଁ ତୋର ନୁହେଁ ଆପଣାର
ଏ କଥା ଅଟଇ ସାର
ତେଣୁକରି ସିନା ଅନ୍ତରୁ ତୋହର
କରୁ ମୋତେ ସାତ ପର
ଛଳନାର ଛନ୍ଦେ ବାନ୍ଧି ରଖି ହୃଦେ
କଲୁ ପ୍ରୀତି ଅକାରଣ
ସାକ୍ଷୀ ମୋର ସଦା ଚନ୍ଦ୍ର ସୂର୍ଯ୍ୟ ତାରା
ଆନେ ଢାଳି ନାହିଁ ପ୍ରାଣ
ଏ ବିଷମ କାକେ କି ବୁଦ୍ଧି କରିବି
ଲବେ ନ ହୁଅଇ ହେଜି
ଭାଗ୍ୟ ସାଥେ କାହିଁ ମଣିଷ ଶକତି
ପାରିବ ସଯତ୍ନେ ଯୁଝି ?
ତୋ’ ପରଶେ ସୁଖ ଲଭିବି ବୋଲି ମୁଁ
ରଖିଅଛି ମନେ ଆଶ
ନିଷ୍ଠୁରେ କେସନେ ଏକା କରି ମୋତେ
ଭାଙ୍ଗି ଯାଉ ମୋ ବିଶ୍ଵାସ
କରିଥିଲି ଆଶ ପ୍ରୀତି ପିୟୁଷ ରେ
ଲଭିବି ଆନନ୍ଦେ ସୁଖ
କରମ ଅବଳୁ ଧାତା ମୋ ନିଷ୍ଠୁର
ଯାଚୁଅଛି ଘୋର ଦୁଃଖ
ନାହିଁ ମୋ ସାହସ ଅବା ଦୁଃସାହସ
ସମାଜେ ଯୁଝିବା ପାଇଁ
ଅଛବ ଜାତିରେ ଲଭିଛି ଜନମ
ତୋ ତୁଳ ହେବି ମୁଁ କାହିଁ
କାହାକୁ ଆପଣା ଚିତ୍ତେ ଚିତ୍ତ ଦେବା
କେବେ ନ ବୋଲାଏ ପାପ
ପ୍ରୀତି ପାରିଜାତ ପାଦେ ଦଳିଦେଇ
ଯାଚୁଅଛୁ
ମହା ତାପ
ଜାତି ଜାତି ବୋଲି ସମାଜ ବନ୍ଧୁରେ
ପିଟି ଉଠଇ ଡିଣ୍ଡିମ
ଧାତା କି ଜଗତେ ଜାତି ନାମେ ଭେଦ
କରି ଅଛଇ ଭିଆଣ 20
ଜାତି ଅର୍ଥେ ଘେନ ହେ ସଂସାର ନର
ପ୍ରକୃତି ପୁରୁଷ ବେନି
ତାଙ୍କ ଛଡା କାହିଁ ତୃତୀୟ ଜାତି ରେ
ବୁଝ ହୃଦୟରେ ଗୁଣି
କେତେ କାଳ ଜାତି କଥା କୁ ଭ୍ରମରେ
ବାଢୁଥିବ ହେ ସମ୍ମାନ
କଳଙ୍କିତ କରି ପବିତ୍ର କନ୍ୟା କୁ
ବୋଳୁଛ ଶୁଦ୍ଧ ରତନ
ପ୍ରାଣୀ ସମାଜରେ ମଣିଷ ଏ ମର୍ତ୍ତ୍ୟେ
ଜାଣ ଦୁର୍ଲଭ ଜନମ
ତଥାପି ଭରୁଛ ନିରର୍ଥକ ଜ୍ଞାନ
ହୃଦୟେ କରି ଯତନ
ପବିତ୍ର ପ୍ରେମକୁ କହ କେଉଁ
ଭାବେ
କାହିଁ ଅଛି ତା’ର ମୂଳ
ପ୍ରାଣେ ପୀଡା ଦେଇ ଭାବୁଛ ଅନ୍ତରେ
ସବୁ ଆପଣେ ହିଁ ମୂଳ 25
୧୦
ସୃଷ୍ଟି ଆରମ୍ଭରେ ପ୍ରକୃତି ପୁରୁଷ
ଥିଲେ ଯେବେ ବେନି ଜାତି
କେଉଁ ଭାବେ ଗୁଣି ବିଚାର ଶତେକ
କାହିଁ ତାର ଉତପତି ?
ଏକ ରକ୍ତ ମାଂସ ହାଡ ସର୍ବ ଅଙ୍ଗେ
ସଦା ରହିଅଛି ସଜ୍ଜି
ତଥାପି କେସନେ ଭିନ୍ନ ଭିନ୍ନ ବୋଲି
ଘେନ କେଉଁ ଗୁଣ ବୁଝି
ଗୋଟିଏ ମାଆ ର ସନ୍ତାନ ହୋଇ ରେ
ବୋଲ କିମ୍ପା ଭିନ୍ନ ଭିନ୍ନ
ଗୋଟିଏ ପିତା ର ଔରସୁ ଜନମି
ଭାବ ଚିତ୍ତେ ଆନ ଆନ
ଭୁଲିଯାଇ ସବୁ ଏ ବିଶ୍ୱାସ ଅନ୍ଧ
ସଭିଙ୍କୁ ନିଜର ଭାବ
ଭେଦ ଭାବ ରଜ୍ଜୁ ଛିଣ୍ଡାଇ ଦୃଢ଼ରେ
ରଖ ଲବେ ଗଉରବ
କର୍ମେ ଥିଲା ଭୋଗ କରୁଛି ମୁଁ ସିନା
ପୁଣି ଆଗକୁ ଲୋ କେତେ
କେମନ୍ତେ କହିବି ଅନ୍ତରକୁ ଖୋଲି
ରହିଛି ଦରଦ ଯେତେ
ବିଚାର କରିବୁ ଧନୀ ଲୋ ତୋ ଚିତ୍ତେ
ଭାଙ୍ଗି ମୋର ହୃଦୟକୁ
ଛାଡି ଯାଉଅଛୁ ଚାଲି ଯେବେ ସାଥି
କେ ଆନ ଗଢିବ ତାକୁ
କେତେଦିନ ମନେ ସାଇତି ବନ୍ଧୁରେ
ରଖିଥିବି ସେଇ କଥା
ଆନ କିଏ ଅଛି ବୁଝିବ ଏ ମୋର
ମନର ମରମ ବ୍ୟଥା
ନୁହେଁ ରେ ନିର୍ଦ୍ଧୟ ନୁହେଁ ଅବିବେକୀ
ହେଲେ ମନେ ବିଚାରିଲୁ
ଛୋଟ କଥା କେହ୍ନେ ‘ମୁଁ ହେବି ତୁମର’
ଦିନେ କିଆଁ ନ କହିଲୁ
କି ଲାଭ ଜନମ ମାୟା ସେନେହର
ଯାଏ ସେ ଯେବେ ମଉଳି
ଅନଳେ ଦହିଲା ପ୍ରାୟେକ ଗୋପନେ
ଚିତ୍ତ ହୁଏ ସିନା ଘାରି
ଭାବିଥିଲି ସୁଖ ପାଇବି ନିଶ୍ଚୟ
ତୋର ପୀରତି କୁ ଲଭି
ଜୀବନ ସାରା ମୁଁ ଜଲିବି ସିନା ରେ
ଏବେ ପାରୁଛି ମୁଁ ଭାବି
ଦିନେ କହିଥାନ୍ତୁ ସାଥିରେ ସଧୀରେ
‘ମିଳନ ନୁହେଁ ଯୁକତ’
ସମାଜ କହିବ ଅପରାଧ ବୋଲି
ହୋଇଥାନ୍ତି ସନମତ
କେଉଁ ସୁଖେ ଆଉ ବଞ୍ଚିବି ସଂସାରେ
ଯେବେ ତୁ ଛାଡ଼ିବୁ ମୋତେ
ତୋ ବିନା ବନ୍ଧୁରେ କିଏ ମୋ ନିଜର
ଅଛି ଆଉ ଏ ଜଗତେ
ଥିଲା ଯେବେ ମନେ ଏହି ଭାବନା ଲୋ
ବାନ୍ଧିଲୁ କାହିଁ ଏ ବନ୍ଧ
ଏବେ କି କରିବି ଏକା କରି ଯାଉ
ନେତ୍ର ମୋ ହୁଅଇ ଅନ୍ଧ
ଆକାଶ କୁସୁମ ବୋଲି ଭାବୁଥିଲି
ତୁ କାହୁଁ ହେବୁ ତା ତୁଳ
ଗଙ୍ଗ ଶିଉଳି ତୁ ବୁଝିବୁ କେମନ୍ତେ
ଅନନ୍ତ ପ୍ରେମ ର ମୂଳ
ପାଷାଣ ହୃଦୟ ତୁ କେହ୍ନେ ବୁଝିବୁ
ତୋ ପ୍ରୀତି ଝରା ଶେଫାଳି
ଅବା ଲଭିଥାନ୍ତି ଶ୍ରଦ୍ଧା ଚିତ୍ତେ ଯଦି
ହୋଇଥାନ୍ତୁ ବନ ମଲ୍ଲୀ
ସାଗର ସାମୁକା ମୁକୁତା ମୁଁ ବୋଲି
ମନେ ଭାବୁଥିଲି ତୋତେ
ମୁକୁତା ର ମୂଳ ତୁ କାହୁଁ ବୁଝିବୁ
ଦେଖୁ ଯେବେ ଆନ ନେତ୍ରେ
ମୋ ମନେ ମୁଁ ତୋତେ ମଣି ବୋଲି ବନ୍ଧୁ
ଭ୍ରମେ ସଦା ଗୁଣୁଥିଲି
ରଙ୍ଗ ରଞ୍ଜିତ ତୁ କାଚ ଖଣ୍ଡେ ସଖି
ଏବେ ସିନା ମୁଁ ଚିହ୍ନିଲି
ଅନନ୍ତ ଆକାଶ ତୋ ହୃଦୟ ବୋଲି
ଥିଲା ସିନା ମୋତେ ଜଣା
ଉର୍ମି ଭରା ସିନ୍ଧୁ ହୃଦୟ ତୋର ଲୋ
ଆଜ ମୁଁ ବୁଝିଲି ସିନା
ଅନ୍ଧର ଲଉଡ଼ି ସମ ଚିନ୍ତିଥିଲି
ତୋତେ ଏ ପରାଣେସଖି
ବାଜିକର ଦଣ୍ଡ ସଦୃଶ ତୁ ବନ୍ଧୁ
ଚିତ୍ତେ ଆସୁଛି ପ୍ରବୋଧି
ଶୁଭ୍ର ଜ୍ୟୋତ୍ସ୍ନା ବୋଲି ପିରତୀ ମୁଁ ତୋର
ଥିଲା ମନେ ଭାବ ମୋର
ରଙ୍ଗଧନୁ ତୋର ପିରତୀ ବନ୍ଧୁରେ
କ୍ଷଣିକ ସମୟ ସାର
ଶିଉଳି ର ଘେରେ ତୁ ଗଙ୍ଗ ଶିଉଳି
ସହଜରେ ହେଲୁ ଚିହ୍ନା
କାସାରେ କମଳ ବୋଲି ତୋତେ ଧନୀ
ଥିଲା ଏ ମନେ ଧାରଣା
ଚଇତି ପବନ ତୋ ପୀରତି ବୋଲି
ହେଉଥିଲି ଲୋ ଉଲ୍ଲାସ
ବଇଶାଖ ଝାଂଜି ମନେ ବିଚାରୁଛି
ହରିନିଏ ସବୁ ସୁଖ
ନିରିମଳ ଜଳ ବୋଲି ମନେ ମୋର
ତୋତେ ଲୋ ଥିଲା ଧାରଣା
ନିରିମଳ ମୂଳ ତୁ କାହୁଁ ବୁଝିବୁ
ହେବୁ କଳୁଷିତ ସିନା
ଏ ପରାଣ ଦୃମେ ବଲ୍ଲରୀ ବୋଲି ମୁଁ
ସଦା ତୋତେ ହେଜିଥିଲି
କାହିଁ ବଲ୍ଲରୀର ଭାବ ପୀରତି ଲୋ
ତୁ ସଖୀ ବନ୍ଧା ଶିଙ୍କୁଳି
ସୁବର୍ଣ୍ଣର ଜ୍ୟୋତି ଅଙ୍ଗେ ତୋର ଦେଖି
ଭାବୁଥିଲି ଶୁଦ୍ଧ ସୁନା
ଶୁଦ୍ଧ କି ଅଶୁଦ୍ଧ ବଣିଆ ଚିହ୍ନେ ଲୋ
କଷଟି ପଥରେ ସିନା
୧୧
ନୀଳ ନୀରିମଳ
ନଭେ ପୂର୍ଣ୍ଣ ଶଶି
ବୋଲି ତୋତେ
ଗୁଣୁଥିଲି
ପ୍ରତିବିମ୍ବ
ସିନା ସାଗର ଜଳେ ତୁ
ଏବେ ଠିକେ ମୁଁ ଚିହ୍ନିଲି
ରୌଦ୍ର କ୍ଳେଶ
ଭରା ଅବନୀର ଅଙ୍ଗେ
ପ୍ରଥମ ବରଷା
ବୋଲି
ମନେ ଭାବିଥିଲି ବଇଶାଖୀ ତୁ ଲୋ
ଭାଜେ ମୋ ମନ
ବଲ୍ଲରୀ
ଦୁଃଖର ପରାଣେ ସୁଖର ସକାଳ
ଭାବିଥିଲି
ସଦା ମନେ
ସୁଖର ସକାଳ
କାହିଁ ମୋ କରମେ
ଦୁଃଖ ଭରା ଏ ପରାଣେ
କେବେ ଲାଗୁ ଆପଣାର କେବେ ଲାଗୁ
ତୁ ଲୋ ବନ୍ଧୁ ସାତ ପର
କି ଭାବ
ରଖିଛୁ ତୋ’ ମନେ ଧନୀ ରେ
ନାହିଁ ଚିତ୍ତେ ମୋ ଉତ୍ତର
ଚପଳା ଝରଣା ବୋଲି ଛନ୍ଦେ ଛନ୍ଦେ
ତୋ ପ୍ରେମ ରେ ଗଲି ମଜ୍ଜି
ଝରଣାର ସୂର କେତେ ଲୋ ମଧୁର
ତୁ କାହୁଁ ପାରିବୁ ବୁଝି
ଘର ଅଗଣାର ତୁଳସୀ ବୃକ୍ଷ ମୁଁ
ବୋଲି ଭାବୁଥିଲି ତୋତେ
ବଣ ବିଛୁଆତି ସିନା ତୁ ରେ ବନ୍ଧୁ
ଆଜ ବୁଝିଲି ମୁଁ ଚିତ୍ତେ
ମୃଗ ତୃଷ୍ଣା ପଛେ ଧାଇଁ ଭାବୁଥିଲି
ତୃଷା ମୋ ମେଣ୍ଟିବ ବୋଲି
ଜଳ ସିନା ତୃଷା କରେ ନିବାରଣ
ମୃଗତୃଷ୍ଣା ତୁ ରେ ଆଳି
ଦିନ ଥିଲା ସଖୀ ଅଳପ କଥାରେ
ରୁଷି ବସୁଥିଲେ ଦୂରେ
ଯେ ଯେତେ କହିଲେ ମୁଁ ନ ପ୍ରବୋଧିଲେ
ବୁଝୁ ନ ଥିଲୁ ଅନ୍ତରେ
କାଳକୁ ନିରେଖି ଏକା ପଣ ଦେଖି
ମାଡି ଆସୁଥିଲୁ କରେ
କରେ କର ରଖି ତୋଷ ମନେ ତହୁଁ
ଚାହୁଁ ଥିଲୁ ନେତ୍ର ଧାରେ
କାହିଁ କେବେ ଲବେ ବୋଇଲେ ମୁଁ ଯିବି
ଓଗାଳୁ ଥିଲୁ ମୋ ପଥ
ମନ ମାରି କ୍ଷଣେ ବସି ରହିଲେ ମୁଁ
ପଚାରୁଥିଲୁ ତ୍ୱରିତ
ଛପି ଛପି ସଖି ସମୀପରେ ଆସି
ବାନ୍ଧୁଥିଲୁ କର ମାଳେ
ଅଳପ କଥା ନ ହେଲେ ବାରମ୍ବାର
ପୁଛୁଥିଲୁ ମୋ ନିକରେ
ଖାଇବି ବୋଲନ୍ତେ ସ୍ୱହସ୍ତେ ବ୍ୟଞ୍ଜନ
ଅନ୍ନ ଦେଉଥିଲୁ ବାଢି
ଆଉ ଅବା କିଛି ହେବ ବୋଲି ଲୋଡ଼ା
ରହିଥିଲୁ ପାଶେ ବେଢ଼ି
ଦୁର୍ଯୋଗ କାଳକୁ ଯେବେ ଲବେ ଖୁସି
ମିଳୁ ନ ଥିଲା ତୋ ଚିତ୍ତେ
ଅଭିମାନେ ରୁଷି ଚାଲିଯାଉଥିଲୁ
ଛାଡି ଏକା କରି ମୋତେ
ସାଥେ ଯେବେ ତୋତେ ଆସୁଥିଲି ଛାଡି
ବାନ୍ଧି ବସୁଥିଲୁ ବନ୍ଧ
ଆସିବ ଆସିବ କହୁଥିଲୁ ଯେବେ
ହୋଇଯାଉଥିଲି ଅନ୍ଧ
ହେଉ ଜଳ ଅବା ଆନ ଦରବ ଲୋ
ଆନ ହସ୍ତୁ ତୋଳି ଆଣି
ମନ୍ଦ ମନ୍ଦ ହସେ ଢଳି ଢଳି ପାଶେ
ଯତ୍ନେ ଦେଉଥିଲୁ ଆଣି
ସେ କି ନୁହେଁ ତୋର ଚୋରା ପିରତୀ ଲୋ
ବୁଝିବୁ ହୃଦୟ ତଳେ
ଆଜ କାହିଁପାଇଁ ରହୁ ଏତେ ଦୂରେ
ମୁଁ କି ନୁହେଁ ତୋର ତୁଲେ
ଗାଁ ଛାଡି ଗାଁ ଯିବା କାଳକୁ ଲୋ
କହୁଥିଲୁ ଦୁଃଖେ କଥା
ନୂଆ ହୋଇ ଆସି ଆନନ୍ଦେ ମୋ କୋଳେ
ଯାଚି ରଖୁଥିଲୁ ମଥା
ଏ ନୁହେଁ କି ତୋର ପ୍ରୀତି ର କାରଣ
ବୁଝିବୁ ହୃଦୟ ମଧ୍ୟେ
ଆଜ କିମ୍ପା ସେଇ ଭାବ ପଡେ ମ୍ଳାନ
ଏଥକୁ ମୋ ମନ ବାଧେ
ପ୍ରୀତି ନାମେ ଅଛି ଯାହା ଏ ସଂସାରେ
ବନ୍ଧୁ ରେ ବଡ ବିଚିତ୍ର
କାହିଁ ତା’ର ଛନ୍ଦ କାହିଁ ଭଲ ମନ୍ଦ
କାହିଁ ତା’ର କୁଳ ଗୋତ୍ର
ଦେହ ଦରଦ କୁ ବଇଦ ସିନା ରେ
ମନ ଦରଦ କୁ କାହିଁ
ବଣ ପୋଡି ଗଲେ ଜାଣନ୍ତି ସରବେ
ମନ ପଡେ ରହି ରହି
ଉଛୁଳା ପ୍ରେମ ର ଏ ଚଞ୍ଚଳ ଗତି
କେ ଅବା ପାରିବ ରୋକି
ଜଳ ଅଗ୍ନି ବାୟୁ ନାହିଁ ଭୟ ତାକୁ
ଆନ କେ ପାରିବ ରୋକି
ସେନେହ ସମ୍ମାନ ମୂଳ ତା ସମ୍ମୁଖେ
କେବେ ହେଁ ନ ହୁଏ ଗଣା
ବଡ ସାନ ଭେଦ ଭାବ ନ ଜାଣଇ
ବୁଦ୍ଧି ହୋଇଥାଏ ବଣା
ଧନ ଦରବ ରତନ ସମ୍ପଦରେ
ନାହିଁ ତା ଭାବର ମୂଳ
ଭାବ କୁ କାହିଁ ଲୋ ପ୍ରାଚୁର୍ଯ୍ୟ ସମ୍ପତ୍ତି
ଭାବୁ ହେବ ବୋଲି ତୁଳ
ଦମ୍ଭ ଗର୍ବ ମିଥ୍ୟା ଅହଂକାର ସମ
ହୁଏ ତା କରେ ପ୍ରତୀତ
ବିଚିତ୍ରମୟ ଏ ସଂସାରରେ ବନ୍ଧୁ
ଏ ଅଟେ ବଡ ବିଚିତ୍ର
ଅନନ୍ତ ଆକାଶ ମୁକ୍ତ ପକ୍ଷୀ ଯଥା
ନାହିଁ କାହିଁ ତା ବନ୍ଧନ
କ୍ଷୁଧା ତୃଷା ସିନା ଜନେ ବୋଲୁଥାନ୍ତି
ସମ୍ମୁଖେ ତା ଅକାରଣ
୧୨
ଯେଉଁ ଭାବେ ଭାବ ବନ୍ଧନ ରେ ମନ
ଦିବାନିଶି ହୁଏ ଛନ୍ଦି
ବିଚ୍ଛେଦ କାଳକୁ ସେହି ଭାବେ ହୃଦେ
କଷଣ ଆସଇ ଭେଦି
ପୀରତି ପଥରେ ଯେ ଜନ ଚାଲଇ
କାହିଁ ହିତାହିତ ଜ୍ଞାନ
ସେହି କାଳେ କିବା ବିବେକ ଆଦେଶ
ରଖିପାରେ କ୍ଷଣେ ମନ
କୋଟି ବ୍ରହ୍ମାଣ୍ଡର ରାଜକୀୟ ସୁଖ
ଥିବା ସିନା ପାଦ ତଳେ
ଶୋକ ର ଲହରୀ ମାଡି ଆସେ ଯେବେ
ପ୍ରାଣ ଭାସେ ଅଶ୍ରୁ ଜଳେ
କୋରଡ ମୁହଁ ରେ ଅଗ୍ନି ସଂଯୋଜିଳେ
ମାର୍ଜ୍ଜାର ଥିଲେ ଯେମନ୍ତ
ସମ ଭାବେ ପ୍ରାଣ ହୁଏ ଛଟ ପଟ
ଅଟେ ଏ ବଡ ବିଚିତ୍ର
ହେଉ ବକ୍ଷ ଶିଳା ସଦୃଶ ବନ୍ଧୁରେ
ପ୍ରୀତି ବଜ୍ର ସମ ତା’ରେ
କ୍ଷଣେ ଭାଙ୍ଗିଦିଏ ଦମ୍ଭ ଅହଂକାର
ଗର୍ବ କୁଳିଶ ପ୍ରହାରେ
ଯଥା ବରଷା ରେ ଉଛୁଳା ସରିତ
ଡେଇଁ ଚାଲେ ଶତ ବନ୍ଧ
ନିନ୍ଦା ଅପମାନ ବିବେକ ମହତ
ରୋଧି ନ ପାରଇ ପଥ
ନିନ୍ଦା ର ବାଇଦ ବାଜୁ ପଛେ ବନ୍ଧୁ
ତା’ରେ କାହିଁ ତା’ର ଭିତି
କାହିଁ ଲଜ୍ଜା କାହିଁ ନିର୍ଲଜ୍ଜତା ଗୁଣ
ନାଆ ପରା ତା’ର ପ୍ରୀତି
ନେତ୍ରେ ନେତ୍ର ଯହୁଁ ମିଳେ ବନ୍ଧୁ ତହୁଁ
ମସ୍ତକ ହୁଅଇ ନିମ୍ନ
କ୍ଷୀଣ ହାସରେଖା ଲଳିତ ଅଧରେ
ଦିଶେ କେଡେ ଶୋଭାବନ
ନୁହେଁ ବୈଶାନର ଦହଇ ଶରୀର
ଏମନ୍ତ ସ୍ୱଭାବ ତା’ର
ଅସ୍ତ୍ର ନୁହେଁ ବନ୍ଧୁ ଭେଦ କରେ ବକ୍ଷ
ତା ତୁଳେ କେ ବଳିୟାର
ମୁନି ରୁଷି ଜପି ତପୀ ସାଧୁ ସନ୍ଥ
ସର୍ବେ ହୋନ୍ତି ତାର ବଶ
ରକତ ମାଉଁସ ବହି କିଏ ବନ୍ଧୁ
ଲଭିବ ବିଜୟ ବେଶ
ଚକ୍ଷୁ କହେ ସିନା ଅନ୍ତର କଥା ଲୋ
ତା ଠୁଁ ବଳି କହେ ଓଠ
ତହୁଁ ନେତ୍ର ଧାରା କହଇ ଅଧିକ
ଏ କଥା ନୁହଇ ମିଛ
ଅକୁହା ଏ କଥା ବୁଝେନା ଯେ ଜନ
ଜନମ ତା’ର ଅସାର
ବୁଝିଥିଲି ବୋଲି କଲି ବନ୍ଧୁ ତୋତେ
ହେଲେ ହେଲୁ ସାତ ପର
ଆପଣାରେ ଯେବେ ଅଶାନ୍ତ ଗ୍ରହ ମୁଁ
ନୁହଁ କି ଅଶୁଭ ତୋତେ
ସବୁ ଜାଣି ଜାଣି କେଉଁ ମାୟା ପାଇଁ
ଆଦରିବୁ ବନ୍ଧୁ ମୋତେ
ମନ ପ୍ରାଣ ଢାଳି ପୂଜିଥିଲି ଦିଅଁ
ପାଇବି ବୋଲି ଲୋ ବର
ଅଭିଶାପ ହୋଇ ଅକାଳରେ ଆଜ
ଖସିଲା ମସ୍ତକେ ମୋର
ଲଭିବିନି ଯେବେ ପରାଣେ ତୋତେ ଲୋ
କାହିଁ ଏତେ ଭାବ ହେଲା
ଆହାରେ ଦାରୁଣ ବିଧାତା ଏ କାଳେ
ସୁଖ ଶିରି ମୋ ସରିଲା
ଆତ୍ମା ଅନ୍ତରାଳେ ବିଚାର କରିବୁ
ମୁଁ କି ନୁହେଁ ତୋର ସମ
ଆନ ଜନ ଠାରୁ କେଉଁ ଗୁଣେ ସଖି
ଭାବୁ ମୁଁ ଅଟଇ ହୀନ
ବଞ୍ଚିବା ପାଇଁ ରେ ମୁଠାଏ ସୁଖର
ହୋଇଥାଏ ସିନା ଲୋଡ଼ା
ଧନ ସମ୍ପଦ ର ସୁଖ କି ନିଶ୍ଚିତ
ପ୍ରାଣ କି ତା’ ପାଇଁ ଗଢା
ଶାସ୍ତ୍ର ଧରି ଯେବେ ଏ କିଞ୍ଚିତ ଜ୍ଞାନ
ନ ଲଭୁ ରେ ହେମବର୍ଣ୍ଣି
ଜୀବନ ଯାକରେ ଦହି ହୋଇ ଅନ୍ତେ
ମରିବି ତୋ ଗୁଣ ଗୁଣି
ଦମ୍ଭ ଅହଂକାର ନୁହେଁ ଚିରକାଳ
ନୁହେଁ ଯଥା ଯଥ ସାଥି
ଭାବ ଏକା ସାର ବାକି ସବୁ ମିଛ
ତୋ ମନେ ଥିବୁ ସାଇତି
ଶୋକ ର ଶ୍ରାବଣ କେବେ ସରିବ ଲୋ
ଅନ୍ତରେ ନ ପାରେ ହେଜି
ସୁଖର ସପନ ଗୁଣିଥିଲି ଯାହା
ଅଶ୍ରୁ ଧାରେ ଯାଏ ଭିଜି
ଆଶା ସିନା ମୋର ଆଶା ରେ ରହିଲା
ମନସା ମେଣ୍ଟିଲା ନାହିଁ
ହୃଦୟେ ଦାବାଗ୍ନି ଜଳଇ ସହୀ ରେ
ବଞ୍ଚିବି କେମନ୍ତେ ମୁହିଁ
କି ଅବା ସଖି ଏ କଠୋର ପରୀକ୍ଷା
ତିଳେ ନ ପାରଇ ବୁଝି
ମୁଁ କେହ୍ନେ ତୋ ବିନା ରଖିଅଛି ଚିତ୍ତ
ତୁ କିମ୍ପା ନ ପାରୁ ହେଜି
କହିବି ଯଦ୍ୟପି ବଞ୍ଚିଛି ତୋ ପାଇଁ
ମାନିବୁ କି ବନ୍ଧୁ ଗୀର
ସତ କହୁଛି ମୁଁ ତୋ ବିନାଏକା ରେ
ନାହିଁ କେହି ଆପଣାର
ପ୍ରୀତି ମଞ୍ଜି ମୋର ହୃଦେ ପୋତିଦେଇ
ଚାଲିଯାଉଅଛୁ ଦୂରେ
ହୃଦୟ ତୋହର କେଡେ ନିଷ୍ଠୁର ଲୋ
ଫେରି ନ ଚାହୁଁଛୁ ଥରେ
କନ୍ଦୁକ ସମ ତୁ କ୍ରୀଡା କଲୁ ମୋତେ
ନ ଘେନିଲି ଦିନେ ଚିତ୍ତେ
ସହଜେ ସହଜେ ଫିଙ୍ଗି ଚାଲିଯାଉ
କେଡେ ନିଷ୍ଠୁର ତୁ ସତେ
୧୩
କହିତ ପାରୁନି
ପାରିବିନି ମଧ୍ୟ
ଏ କେମନ୍ତ ପ୍ରୀତି ଭାବ
ସୁଖ ବାଛି ନେଇ ଦୁରେଇ ଯାଉ ଲୋ
ଯାଚି ମୋ ହୃଦେ ଦରଦ
କମଳ କଲ୍ହାର ବୋଲି ଭାବୁଥିଲି
ହୃଦୟ ତୋର ପାଷାଣ
ନିଷ୍ଠୁର ସ୍ୱଭାବ କେମନ୍ତେ ତୋର ଲୋ
ତୁ ପରା ଏ ହୃଦ-ରତ୍ନ
ପୂର୍ଣ୍ଣ ଶଶି ବୋଲି କହୁଥିଲି ତୋତେ
ଭ୍ରମେ ଥିଲା ଚିତ୍ତ ମୋର
ତୋତେ ପୂଜା କରି ବନ୍ଧୁ ମୋ ସଂସାରେ
ଘଟିଲା ଅମା ଅନ୍ଧାର
ସୁଖର ସଂସାରେ ତୋର ଖେଳା ଘର
ଜଞ୍ଜାଳ ଜୀବନ ମୋର
ରାଜା ଝିଅ ପ୍ରୀତି ଆଚରୁଛୁ ସଖୀ
ମୁଁ ତ ଦାଣ୍ଡର ଫକୀର
ଆପଣାର ବୋଲୁଥିଲି ଆପଣାରେ
ହେଲୁ ଲୋ ସାଥି କୃପଣ
ଆନ କାହା ପାଖେ ବାଣ୍ଟିବି ଏ ଦୁଃଖ
ଏ କି ପ୍ରୀତି ପରିଣାମ
ଚିତ୍ତେ ରଖି ଏତେ ଛଳନାର ଗନ୍ଧ
ବାନ୍ଧିଲୁ ପ୍ରେମ ବନ୍ଧନ
ଜାଣିଥାନ୍ତି ଯଦି ତୋ ପ୍ରୀତି କୁଞ୍ଜରେ
ହରି ନ ଥାନ୍ତି ମୁଁ ଦିନ
କେସନେ ତୋ ଅଙ୍ଗେ ନ ଘେନୁ
ସଖୀ ରେ
ମୋ ଅନ୍ତର ଆତ୍ମା କ୍ଳେଶ
କେ କଲା ଏତିକି ନିଷ୍ଠୁର ତୋତେ ଲୋ
ଗୁଣି ନ ପାରେ ମୁଁ ଲେଶ
ତୋ ବିନା ବନ୍ଧୁରେ ବିଷାଦ
ମଣ୍ଡଳେ
ବିତେ ଦିବସ ଯାମିନୀ
କିମ୍ପା ନ ବୁଝୁଛୁ ହୃଦୟେ ତୋର ଲୋ
ତୁ ମୋର ହୃଦୟ ମଣି
ଛାଡି ମୋତେ ଯେବେ ଚାଲିଯାଉ ବନ୍ଧୁ
ଆନ କେଉଁ ରାଇଜ କୁ
କେଉଁ ଭାବେ ପିଣ୍ଡେ ରହିବ ଲୋ ପ୍ରାଣ
ଦେବୁ ଉତ୍ତର ଏଥକୁ
ଫେରି ତ ପାରୁନି ଆସିଛି ତୋ ପଥେ
ଆଗେ କି ହେବ ନ ଜାଣେ
ମନ କଥା ମନେ ପଡିଛି ବନ୍ଧୁରେ
ଦିନ ବଞ୍ଚେ ଅକାରଣେ
ତୋ କୋମଳ ବାହୁଛାୟା ଘେରେ ସଖୀ
ରହିବାକୁ ଚିତ୍ତ ଇଚ୍ଛେ
କାହାକୁ କହିବି ସେ ଗୋପନ କଥା
ହସିବେ ସଂସାର ଲୋକେ
ପୁଷ୍ପ ପାରିଜାତ ବୋଲି ସିନା ବନ୍ଧୁ
ତୋତେ ଗୁଣିଥିଲି ଚିତ୍ତେ
ପାରିଜାତ ମୂଳ ତୁ କାହୁଁ ବୁଝିବୁ
ଘେନୁ ଯେବେ ଆନ ଚିତ୍ତେ
ନାହିଁ ସିନା ପ୍ରାଣ-ମିତ ତୁ ପାରୁଶେ
ସ୍ମୃତି ରହିଅଛି ବଞ୍ଚି
ସେ ସ୍ମୃତି କୁ ତୋଳି ଭାବ ରଙ୍ଗ ଗୋଳି
ବସି ଦେଖୁଅଛି ନିତି
ହାରିନାହିଁ ତୋର ପିରତୀ ଏ ପ୍ରାଣେ
ରଖିଅଛି ସଦା ସାଜି
ହାରିବି ନାହିଁ ରେ ଲେଖିଦେଇଅଛି
ରହୁ କଥା ହୋଇ ବାଜି
କହି ତ ଆସିଛି ବନ୍ଧୁ ବାରବାର
ସଦା ଏହି ପ୍ରାଣ ତୋର
ଆନ କି ଶୋହେ ରେ ଦୋଷ କାହିଁପାଇଁ
ବନ୍ଧା ତୋର ପ୍ରୀତି ଡୋର
କାହାକୁ ସୁଖର ସାଗର ମିଳଇ
କାହାକୁ ବିନ୍ଦୁ ମିଳେନା
କର୍ମେ ଯାହା ଥାଏ ଆନ କେ ଭୋଗିବ
ସଂସାର ରୀତି ଏ ସିନା
ନୀଳ ନଭେ ଯଥା ପୁନେଇ ଜହ୍ନ ରେ
ନୀଳ ସାଗରେ କମଳ
ଅବନୀ ର ଅଙ୍ଗେ ଯଥା ଋତୁରାଜ
ତଥା ତୁ ହୃଦୟେ ମୋର
ଭାବର ବନ୍ଧନ ରହେ ସଦା କାଳ
ଭାବେ ତୋର ମୋର ବନ୍ଧା
ଭିନ୍ନ କରୁଅଛି ସମାଜ ସିନା ରେ
ଆତ୍ମା କୁ କାହିଁ ଏ ବାଧା
ଏ ଜନମେ ସିନା କେଉଁ ପାପ ବିଜୁ
ସମାଜ କରଇ ଭିନ୍ନ
ଆର ଜନମ କୁ ଚାହିଁ ରହିଥିବି
ତୋର ତନୁ ମନ ପ୍ରାଣ
ପିରତୀ ପ୍ରାଣକୁ ଏ ସମାଜ ଆହା
କାଳସର୍ପ ପ୍ରାଣ ମିତ
ବେଳ କାଳ ଜାଣି ଦିଅଇ ଦଂଶି ଲୋ
ହୁଅଇ ପରାଣ ହତ
କ୍ଷୁଧା ପ୍ରାଣେ ଅନ୍ନ ତୃଷା ପ୍ରାଣେ ଜଳ
ଯେ ସମାଜ ଦିଏ ଯାଚି
ପିଣ୍ଡ ଗଢି ପ୍ରାଣେ ଆର ବେଳକୁ ହିଁ
ନିଷ୍ଠୁରେ ଦିଅଇ ରୁଚି
ଏକ ପକ୍ଷେ କହେ ଦୋଷ ପ୍ରୀତି ବୋଲି
ଆର ପକ୍ଷେ କହେ ପୁଣ୍ୟ
ତୋର ମୋର ପ୍ରୀତି ଜାତି ଅର୍ଥେ କହେ
ଏ ସମାଜ ଅକାରଣ
ଆହାରେ ସମାଜ ସର୍ବେ ଏକ ବୋଲି
ଏ ପ୍ରାଣେ ତୁ ଶିକ୍ଷା ଦେଲୁ
ଏ କାଳେ କହୁଛୁ ଭିନ୍ନ ଭିନ୍ନ ବୋଲି
ଚିତ୍ତେ ଦ୍ଵନ୍ଦ ଯାଚି ଦେଲୁ
ତୋ’ ସାଥେ ମୋ’ ଭାବ ନୁହଇ ଯୁକତ
ବୋଲି କରୁ ମୋତେ ହତ
ନାନା ରଙ୍ଗେ କେଉଁ ଜନ ଦେଖି ଅଛି
ମଣିଷ ଦେହ ରକତ
ଏ କୂଳେ ରହିଛି ପିଣ୍ଡ ସିନା ମୋର
ଆନ କୂଳେ ଅଛି ପ୍ରାଣ
କେମନ୍ତେ ବଞ୍ଚିବି କହରେ ସମାଜ
ଯେବେ କରୁ ଭିନ୍ନ ଭିନ୍ନ
୧୪
ମୁ ସିନା ମୋ କର୍ମ ଆଦରି ବନ୍ଧୁରେ
ରହିଛି ତୋହରି ପଥେ
ହାତ ଟାଣି ତୋର ଆତ୍ମୀୟ ସ୍ଵଜନେ
ଯାଚି ଦେବେ ଆନ ହାତେ
କି ଭାବେ ସେ କାଳେ ରହିବ ପ୍ରାଣ ଲୋ
ଏ ପିଣ୍ଡେ ନ ପାରେ ହେଜି
ଆହା ପ୍ରାଣ ମିତ ସହଜେ ମୋତେ ଲୋ
ପ୍ରୀତି ପଥେ ଦେଲୁ ଭାଜି
ସୁଖର କାମନା ସଂସାରେ ବନ୍ଧୁରେ
ହୁଏ ସଦା ବିପରୀତ
ସୁଖ ଭୁଞ୍ଜିବାକୁ ଇଛା କରୁ କରୁ
ପ୍ରାଣ ହୁଏ ଶୋକେ ହତ
ଦେଶ ହେଉ ଅବା ବିଦେଶ ସେ ହେଉ
ଯେହ୍ନେ ରହିଅଛୁ ବଞ୍ଚି
ଏ ଚିତ୍ତ ତୋହର ପଣତେ ବନ୍ଧା ଲୋ
ମୁ କେହ୍ନେ ପାରିଛି ସଞ୍ଚି
ଭାବିଥିଲି ଯାହା ବନ୍ଧୁରେ ମୁ ତାହା
ସପନର ଖେଳ ଘର
ସପନ ସଦା ସପନ ନାମେ ରହେ
ସତ କାହିଁ ନାମ ତାର
ଜାଣେ ତୋ ଅନ୍ତରେ ମୋ ମୂରତି ସଞ୍ଚି
ରଖିଛୁ ଯତନ କରି
କାଳକୁ ବିଷମ ଜାଣି ହୃଦ ହାଣି
ରହୁ ଲୋ କର୍ମ ଆଦରି
କାହାକୁ ଗୋଚର ନ ହେଲେ ବି ବନ୍ଧୁ
ମଧୁ ଭାବ ତୋର ମୋର
କିବା ତୋ ଅନ୍ତରୁ ହେବ ଲୋ ନିଶ୍ଚିହ୍ନ
କଲୁ ସିନା ସାତ ପର
ଦୁଇଟି ଦିନ ର ମାନବ ଜୀବନେ
ସୁଖ ନୁହେଁ ଚିରଦିନ
ସୁଖ ଖୋଜୁ ଖୋଜୁ ଅକସ୍ମାତେ ଆହା
କ୍ଷଣକୁ ହୁଅଇ ଚୂର୍ଣ୍ଣ
କର୍ମେ ଥିଲେ ସୁଖ ଆସଇ ସମୀପେ
ଖୋଜିବା ହିଁ ଅକାରଣ
କରମ ବଳରୁ ଦାଣ୍ଡର ଫକୀର
ଲାଭ କରେ ରାଜ ପଣ
କରମ ର ଫଳ ଭୁଞ୍ଜେ ସିନା ଦେହି
ମିଥ୍ୟା ନୁହେଁ ଏ ବଚନ
କରମ ବଳରେ ପ୍ରାଣୀ ଆତଯାତ
ସଂସାରେ ବି ନାରାୟଣ
ସେହି କରମରେ ଲେଖା ବୋଲି ବନ୍ଧୁ
ହୋଇଛି ଆଜି ମୁଁ ପର
ଦୋଷ ନାହିଁ ପ୍ରାଣ ବନ୍ଧୁ ଗୁଣିଛି ମୁଁ
ଦୋଷ ଏକା କରମ ର
ସୁଖେ ସାଜିଉଠୁ ସଂସାର ତୋହର
ଶୁଭକାମନା ଲୋ ମୋର
ଆର ଜନମକୁ ଚାହିଁ ରହିଥିବି
ଏ ଜନମେ କଲୁ ପର
ଯାଉଛି ଫେରି ମୁଁ ତୋ ସ୍ମୃତି ପଥରୁ
ଚଲାପଥେ ଜୀବନର
ଥିଲି ଯେତେଦିନ ଦୋଷ ଥିଲେ କ୍ଷମା
ଦେବୁ ବୋଲି ଆପଣାର
ଶୁଭକାମନା ମୋ’ ରହୁ ତୋ’ ନିକରେ
ସୁଖେ ବଞ୍ଚୁ ତୋ’ ସଂସାର
ଖସିପଡୁ ନିତି ଅଗଣାରେ ତୋର
ଆକାଶର ତାରା ଫୁଲ
ଦିବସ ଶର୍ବରୀ ଅଜାଡି ଦେଉ ଲୋ
ପଣତେ ତୋହର ସୁଖ
ସୁଖର ସଂସାରେ ତୋ ପ୍ରାଣ ବଞ୍ଚୁ ଲୋ
ସାହା ପ୍ରଭୁ ଜଗନ୍ନାଥ
ଏ ପ୍ରେମର ହେବ ଏହି ପରିଣାମ
ବୋଲି ତ ନ ଥିଲା ଜଣା
ବଣ ରାଇଜର କୁସୁମ ବନ୍ଧୁରେ
ରାଜ ଦ୍ୱାରେ କାହିଁ ଗଣା
କାଲି ଥିଲା ଯିଏ ଅତି ଆପଣାର
ଆଜ ହୁଏ ସାତ ପର
କାଳ ଦଉଡ଼ି ରେ ବନ୍ଧା ପ୍ରାଣ କାଳ
ବଳେ ଯାଚଇ ଜହର
ଝରିଯାଏ ସିନା ଲତିକା ରୁ ପୁଷ୍ପ
ସଉରଭ ରହେ ବଞ୍ଚି
ଏ ମନ ପରାଣ ହୃଦୟ ଅନ୍ତରେ
ରଖିଛି ତୋ ପ୍ରୀତି ସଞ୍ଚି
ଆପଣା କି ପର ପ୍ରୟାସେ ବି ସଖି
ନ ପାରିଲି ସିନା ଚିହ୍ନି
ହେଲେ ସେ ଅମ୍ଲାନ ପୀରତି କୁ ଘେନି
ସଦା ହେଉଥିବି ଗୁଣି
ମନ ପ୍ରାଣ ସାଥେ ଏକାବେଳେ ସଖୀ
ହେଉଛି କଷଣେ ଭାଜି
ଶୁଣିବା ଲୋକେ କରିବେ ଉପହାସ
ଏ କେମନ୍ତ ପ୍ରୀତି ବାଜି
କୋଟି ଦଣ୍ଡବତ ଚୋରା ପିରତୀ କୁ
କି କହିବା ତା’ ମହିମା
ଯଶ ଅପଯଶ ଚିତ୍ତ ନ ଗୁଣଇ
ବୁଧେ ହାରନ୍ତି ଗାରିମା
ସମାଜ କରଇ ଉପହାସ ଯେବେ
ମଣିଷ ରଚଇ ବ୍ୟଙ୍ଗ
କେଉଁ ପରକାରେ ସେହି ପୀରତି ର
ଫୁଟି ଉଠିବ ସୁରଙ୍ଗ
ପ୍ରାଣର ଆତୁରେ ମିଶିଲି ତୋ’ ସାଥେ
ଗଙ୍ଗା ଯମୁନା ଯେସନ
ସେ ଭାବ ସମାଜେ ଖୋଲି କହିବାକୁ
ଅଛି କାହିଁ ପିଣ୍ଡେ ପ୍ରାଣ
ଭାଙ୍ଗି ପଡୁ ପଛେ ସୁନୀଲ ଆକାଶ
ପାତାଳେ ଖସୁ ପୃଥିବୀ
ଅନ୍ଧ ମଣିଷର ଭାବନା କୁ ଭାଜି
ସାଥେ କେ ପାରିବ ଯୁଝି
ଜଳୁ ପଛେ ହିଆ ପାଉଁଶ ହେଉ ଲୋ
ସପନ ଛାତି ର ତଳେ
ଶତେ ମଣିଷ ର ଭାବନା ସମ୍ମୁଖେ
ଜଳେ ପ୍ରାଣ ନିରନ୍ତରେ
ହେଉ ମନ୍ଦ ଅବା ଭଲ
୧୫
ଯାହାକୁ ଯାହା ମିଳଇ କାଳ ବଳେ
ହେଉ ଭଲ ଅବା ମନ୍ଦ
ତହିଁରେ ବିଚାର ନୁହଇ ବେଭାର
ହେଉ ପଛେ ଚିତ୍ତେ ଦ୍ୱନ୍ଦ୍ୱ
କି ଅବା କହିବା ମଣିଷ ର ରୀତି
ସ୍ୱାର୍ଥ ବାଦୀ ଏ ସହଜେ
ପର ପାଇଁ କିଆଁ ନିଜ ପାଇଁ ସଦା
ଭାଳି ବସେ ପଦେ ପଦେ
ହାରି ତ ଦେଇଛି ହୃଦୟ ଆତୁରେ
ଫେରିକି ପାଇବି ଆଉ
ଆନ ଦିଗେ ବନ୍ଧୁ ଏହି ସୁଖ ରାଜି
ଲାଗଇ ଯେସନେ ରାହୁ
ଜଳୁ ପଛେ ଜୁଇ ହୃଦୟ ଅନ୍ତରେ
କହିବାରେ କାହିଁ ମୂଳ
ଉଚ୍ଚ ପଦ ମାନି ସମାଜକୁ ଗୁଣି
ଝରି ଆଶେ ନେତ୍ରୁ ନୀର
କହିବ ସମାଜ ରଚିଲା କଳଙ୍କ
ହେଉସେ ଅମୂଲ୍ୟ ପ୍ରୀତି
ଆପଣା ଲୋକେ ବୋଲିବେ କୁଳାଙ୍ଗାର
ମନେ ଜାଗି ଉଠେ ଭିତି
ଧନ୍ୟ ତୋ ପିରତୀ ମନ ଜିଣି ମୋତେ
କଲା ଅତି ଆପଣାର
କାହା ସମୀପରେ ହାରିନାହିଁ ଚିତ୍ତ
ତୋ ନିକରେ ହେଲି ଚୁର
ମୋ ମନରୁ କ୍ଳେଶ ଘୁଞ୍ଚେଇ ହେମାଙ୍ଗୀ
ନିଜେ ହେଲୁ ମହାଦୁଖୀ
ହାରିଲୁ ହୃଦୟ ମୋ କତି ସିନା ଲୋ
ଦିନେ ବି ନ ହେଲୁ ସୁଖୀ
ଆପଣା ର ଅଶ୍ରୁ ପୋଛି ହୃଦୟରେ
ଚାପି ରଖୁଥିଲୁ ପୀଡା
ପ୍ରୀତି ପୁଷ୍ପ ଉପହାର ଘେନି ପଥେ
ସଦା ହେଉଥିଲୁ ଛିଡା
ମିଛ ସଂସାରରେ ଭ୍ରମି ଦେଖିଲି ମୁଁ
ତୋ’ ସମାନେ ବନ୍ଧୁ ନାହିଁ
ଜୁଇ ରେ ଜଳିଲା କାଳେ ବି ଏ ପ୍ରାଣ
ତୋତେ ପାସୋରିବ ନାହିଁ
ଲେଖି ସାଇତିଛି ହୃଦେ ତୋର ସ୍ମୃତି
ରହୁ ଚିରକାଳ ବଞ୍ଚି
କରମ ଅବଳୁ ମାଣିକର ମୂଳ
ରଖି ନ ପାରିଲି ସଞ୍ଚି
ତୋ ବୁକୁ ପାରୁଶେ ମୋ ବୁକୁ ବନ୍ଧା ଲୋ
ଜାଣି ବି ହେଲୁ ତୁ ଦୂର
ସୁଖ ସପ୍ନ ଆଉ କାହାଲାଗି ସଖି
ଯେବେ ହୋଇଯାଉ ପର
ଏ ଜୀବ ର ଆଉ କାହିଁ ସୁଖ ରାଜି
ତୁଟିଯାଏ ସବୁ ଆଶା
ମାୟା ମରୀଚିକା ସମ ଏ ପୀରତି
ସଂସାରେ କରେ ନିରାଶା
ଲୋକେ କି ବୋଲିବେ ଭୟେ କୋମଳାଙ୍ଗୀ
ଜାଣି ଆପେ ହେଲୁ ଦୂର
ପ୍ରୀତି ଦଉଡ଼ିକୁ ଭୟ ଖଡ୍ଗ ଧାରେ
ହାଣି କଲୁ ମୋତେ ପର
ବନ୍ଧୁ ବୋଲି ଚିତ୍ତେ ଭାବିଥିଲି ଯେତେ
ଭାବନା ହେଲା ମୋ ଚୁର
ଏ ପ୍ରାଣେ ମମତା କାହିଁ ଆଉ ସଖି
ଜଗତ ଲାଗେ ଜହର
ଦୋଷ ନାହିଁ ତୋର ପ୍ରତକ୍ଷେ କହୁଛି
ସବୁ ଏକା ମୁଁ କାରଣ
ଜାଣି ଜାଣି ପାଦ ବଢାଇ ଥିଲି ଲୋ
ଏବେ ଭୋଗୁଛି କଷଣ
ଭାବୁ ଅଛି ମନେ ବସି ଏକ ଧ୍ୟାନେ
କେମନ୍ତେ ବଞ୍ଚିବି ଦିନ
ସ୍ମୃତି ପଟୁ କିବା ପାସୋରି ପାରିବି
ତୋ ସାଥେ ବିତିଲା ଦିନ
ଯେଉଁ
ଦିଗେ ନେତ୍ର ବହିଯାଏ ମୋର
ହେଉ ସଦା ତୁ ଲୋ ଦୃଶ୍ୟ
ନିଦ୍ରାଗତେ ମୋର ବାହୁବନ୍ଧେ ପ୍ରୀୟା
କରୁଥାଉ
କେତେ ହାସ
ଏତେକ
କଷଣ କେମନ୍ତେ ବନ୍ଧୁରେ
ପାରିବି ମୁ ସହ୍ୟ କରି
କେଉଁ ପାପ ଫଳେ ମୋର ସୁଖ ଶିରି
ମୋ
ପାଇଁ ହେଲା ଭଗାରି
ନୀଡ
ଫେରୁଥିବା ପକ୍ଷୀ ସନ୍ଧ୍ୟା କାଳେ
କହେ କାହିଁ ତୋ’ର ପ୍ରୀୟା
ଅଦୂର ବନସ୍ତେ ରସାଳ ଦ୍ରୁମରୁ
ପୀକ କରେ ଆହା ଆହା
ମୃଦୁ
ମନ୍ଦ ବାତ ଥିମି ଥିମି କହେ
ପର କଲା କିବା ବନ୍ଧୁ
ସିନ୍ଧୁ ହୃଦୟରୁ ଶଶାଙ୍କ ବାହାରି
କହେ
ପ୍ରଭୁ କୃପାସିନ୍ଧୁ
ଯେଉଁ
ଚଲା ପଥେ ଆସିଥିଲି ଚାଲି
କହେ ମୋତେ ‘ଅକାରଣ
ପ୍ରତୀକ୍ଷା ତୋହର ଅଟଇ ବିଅର୍ଥ
ସେ
ଆନ ଅଙ୍କ ରତନ’
ପଢିଛି
ଅନେକ ଶାସ୍ତ୍ର କବିତା ଲୋ
ତଥାପି ହୁଏ ମୁଁ ଚୁର
ତୋ ବିନୁ ସଖିରେ ସବୁ ଲାଗେ ମିଛ
ତୁ
ଏକା ପରାଣେ ସାର
ଜଣା
ତ ନ ଥିଲା ଏ ଭାବ ରାଇଜେ
ଅଛି ଏତେ ସୁଖ ରାଜି
ଜାଣିଲା ବେଳକୁ ପର କରିଦେଇ
ଚାଲିଯାଉ ଜିଣି ବାଜି
ଦୀନ
ଅଭିମନ୍ୟୁ ସୂର୍ଯ୍ୟ ଚନ୍ଦ୍ର ଭଞ୍ଜ
ପଢିଛି ତାଙ୍କରି ଶାସ୍ତ୍ର
ତଥାପି ଏ ଚିତ୍ତ ନ ମାନେ ବନ୍ଧୁରେ
ଏ ପ୍ରୀତି ବଡ ବିଚିତ୍ର
ପୂରୁବ
ଜନମେ କିବା ଭାଙ୍ଗିଥିଲି
ତୋ ପ୍ରେମ ସୁଖ ସଂସାର
ତହିଁ
ପାଇଁ କିବା ଏଇ ଜନମ ରେ
ଭଙ୍ଗିବସୁ ମୋ ସଂସାର
୧୬
ଏ ପ୍ରାଣରେ ନାହିଁ ଆନେ ଇଛା ବୋଲି
ଝୁରି ମରୁଛି ମୁଁ ତୋତେ
କପାଳ ଲିଖନ ଝୁରି ମରିବାକୁ
ଦଇବ ଲେଖିଛି ସତେ
ଜାଣେ ରେ ମୋ ପ୍ରୀତି ସଞ୍ଚି ରଖିବାକୁ
ନାହିଁ ତୋ ପାଖେ ସାହସ
ତଥାପି ଆନ କୁ ଆପଣା ବୋଇଲେ
ମନ କୁ କରୁ ବିରସ
କିବା ସଦା କାଳ ସ୍ମୃତି
କୁ ତୋହର
କରିବି ଏକା ଭରସା
ଏ କେମନ୍ତ ତୋର ପୀରତି ଗୁଣ ରେ
ଦେଉ ଏତେ ବଡ ଦଶା
ଯେବେ ଆପଣାର ବୋଲି ଭାବୁ
ଚିତ୍ତେ
ଆନେ କିଆଁ କରୁ ଭୟ
ଅବା ମୁଁ ଚୋର କି ତସ୍କର ତୋ ମନେ
ଜାଗି ଉଠଇ ସନ୍ଦେହ
କିବା ମୋ ହୃଦୟେ ନାହିଁ ରେ ଦରଦ
ବୋଲି ଘେନୁଛୁ ବିଚାର
ନୁହେଁ ମୁଁ ପାଷାଣ ମଣିଷ ପରାଣ
ସର୍ବାଙ୍ଗେ ବହେ ରୁଧିର
କିବା ତୋହ ମନେ
ଦରିଦ୍ରତା ମୋର
ସୃଜଇ ଆନ ବିଚାର
ତହିଁ ପାଇଁ କିବା ସମୀପରୁ ମୋର
ହେଉ ସଖି ସଦା ଦୂର
ଏକା ଦିଗେ କହୁ ନିଜ ନିଜ
ବୋଲି
ଆନ ଦିଗେ ହେଉ ସ୍ତବ୍ଧ
ସମାଜ ଜାତି ଭିତି ଘେନି ଅନ୍ତରେ
ହେଉଅଛୁ କେହ୍ନେ ଦଗ୍ଧ
ପ୍ରୀତି ପାପ ମଣେ ଯେଉଁ
ସମାଜ ଲୋ
ଭରସା କି ଅଛି ତା’ରେ
ଜାତି ବହ୍ନି କୁଣ୍ଡେ ହୁଏ ପାଉଁଶ ରେ
କ୍ଷଣକୁ ପରାଣ ବଳେ
ଭାବ ସିନା ବନ୍ଧୁ ଥିବ ଅନ୍ତରରେ
କାଶି ପାରିବୁ ନାହିଁ
ଅପବାଦ ଭୟେ ମାତା ପିତା ମୁଖ
ଆହା ରହିଥିବୁ ଚାହିଁ
ଅଜଣା ଯୁବକ ହାତ ଧରି
ତୋର
ନେବ ରେ ସମୀପୁ ଦୂରେ
ସହି କି ପାରିବି ଏମନ୍ତ ଦୃଶ୍ୟ ରେ
ରକତ ମାଂସ ଶରୀରେ
କରମରେ ଥିଲା ଭାବି
ମନେ ମନେ
ସବୁ ଯିବୁ ଅନ୍ତେ ଭୁଳି
ବାହୁବନ୍ଧ ମଧ୍ୟେ ପାସୋରି ଦେବୁ ରେ
ଅଭାଗା ର ସବୁ ଅଳି
ତହୁଁ ଅନ୍ତେ କେତେ ବରଷ ଉତ୍ତାରୁ
ଅବା ହେଲେ ମୋର ଭେଟ
ମୁହଁ ପୋତି ଆଡ ନେତ୍ରେ ପ୍ରାଣ ବନ୍ଧୁ
ଚାଲି ଯିବୁ ଝଟ ଝଟ
ଯାହା ମନ ଚିହ୍ନି ନିଜ
ବୋଲି ଗୁଣି
ସାଜୁଥିଲୁ ଗଳା ମାଳ
ତାକୁ ନ ଚିହ୍ନିଲା ପ୍ରାୟେ ହେବୁ ଧନୀ
ଦୃଶ୍ୟେ ମୋତେ ଜଳ ଜଳ
କରି ନାହିଁ ଯଦି ଦୋଷ
ତୋର ତୁଲେ
କିମ୍ପା ଦେବୁ ଏତେ କଷ୍ଟ
କେମନ୍ତେ ବଞ୍ଚିବି ତୋତେ ହାରି କହ
ପ୍ରାଣ ହୁଏ ଛଟ ପଟ
ତୋ ସାଥିରେ କଲି ପ୍ରଣୟ ବନ୍ଧୁରେ
କରି ନାହିଁ ମୁଁ ତ ପାପ
ପାପ ଯଦି ମୋର ପ୍ରଣୟ ବୋଲାଏ
ପଡୁ ମୋତେ ଅଭିଶାପ
ଚିତ୍ତେ ପୂଜା କରି ତୋର
ମୁରତି କୁ
ଅନ୍ତରେ ବାଢ଼ିଲି ପ୍ରୀତି
ପ୍ରୀତି ମୋ କଳଙ୍କ ଯଦି ବୋଲାଏ ରେ
ବଜ୍ର ପଡୁ ଚିତ୍ତେ ଚିନ୍ତି
ହୃଦୟ ଆସ୍ଥାନେ ସ୍ଥାପିଲି ମୁ ତୋତେ
ବୋଲାଏ କି ଏ ଅନ୍ୟାୟ ?
ଯଦି ବୋଲାଏ ଏ ଅନ୍ୟାୟ ବନ୍ଧୁରେ
ଯା’ ହେବ ମାନିବି ନ୍ୟାୟ
ତୋ ବିନା ସଖୀ ରେ କାହିଁ ଆପଣାର
ନିଜ ବୋଲିବାକୁ ଚିତ୍ତେ
ଚିତ୍ତର ବାହାରେ ରଖି ସଖୀ କିବା
ଦେବୁ ଲୋ କଷଣ ମୋତେ
ଯଦ୍ୟପି ଅନ୍ତର ନ ବୁଝେ
ସମାଜେ
ତା’ରେ କାହିଁ ତୋର ଭୟ
ସକଳ ବନ୍ଧନ ଛିଣ୍ଡାଇ ଦେଇ ଲୋ
ଆ ସମୀପରେ ମୋର
ହୃଦୟକୁ ଖୋଲି ବାହୁ କୁ
ବିସ୍ତାରି
ଡାକୁଅଛି ମୁ ଲୋ ତୋତେ
ପରାଣ ଥିବା ପରିଯନ୍ତେ ରୁପସୀ
ପୂଜିବି ମୋ ହୃଦଗତେ
ତୋ ବିନା ସହୀ ରେ ସବୁ ଲାଗେ ମିଛ
ତୁ ଏକା ଏ ପ୍ରାଣ ଧାରା
ଛିନ୍ନ କରି ସବୁ ସମାଜ ବନ୍ଧନ
ଫେରିଆ ମୋ ନେତ୍ର ତାରା
ବନ୍ଧୁ ଗୁରୁଜନ କି ବୋଳିବେ
ବୋଲି
ଯଦ୍ୟପି ଘେନୁ ଅନ୍ତରେ
ହୃଦୟର ମୂଳ ବୁଝିବାକୁ କିଏ
କାହିଁ କେଉଁଠି ସଂସାରେ
ମଥା ପୋତି ବନ୍ଧୁ
ଗୁରୁଜନ ବୋଲି
ଦେଉ ସାନମାନ ଯା’ ରେ
ହୃଦୟ ହାଣିବେ ତିଳ ତିଳ କରି
କି କରି ପାରିବୁ ତା’ରେ
କଳଙ୍କିନୀ ବୋଲି ଡାକିବେ
ତୋତେ ଲୋ
ଭର୍ତ୍ସନା କରିବେ ପୁଣି
ଗୃହ ଇଜ୍ଜତ କୁ ଦାଣ୍ଡ ଦୁଆରରେ
ନିଲାମ କରିବେ ପୁଣି
ପର ସ୍ତିରୀ କତି ରାତ୍ରି ବିତେଇ ଲୋ
ପ୍ରଭାତେ କରିବେ ନ୍ୟାୟ
ନ୍ୟାୟୀ ପୁରୁଷ ଏ ନୁହଁନ୍ତି ସଖି ଲୋ
କିମ୍ପା ତାରେ ତୋର ଭୟ
ଆଗକୁ.....
READ OUR OTHER POSTS
1. ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment