Bande Utkala Janani- ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
-ଲକ୍ଷ୍ମୀକାନ୍ତ ମହାପାତ୍ର
ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ ।ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ, ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ ।
Analysed By-M.B. Prasad.
ପୂର୍ବାଭାସ:-
ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ ।
"ନା, ମାଁ, ରଙ୍ଗଝିଲିରି, ବଉଳଫୁଲିଆ, ବିଛାମାଳିଆ, ଚୂନଟିପି ଏହିସବୁ ଅଛି ।
ଏହିଥିରୁ ଯାହା
ନେବୁ ନେ ମା, ମୁ ଆସ୍ ମାନ୍ ତାରା ତିଆରି ହେଲେ ଆଣିଦେଵି" ।
-ବୁଢା ଶଙ୍ଖାରି
ପଢିବା ପୂର୍ବରୁ ପଦେଅଧେ -
"ଦଇବ ଦଉଡି ମଣିଷ ଗାଈ, ଯେଣିକି ଓଟାରେ ତେଣିକି ଯାଇ"
ସ୍ରଷ୍ଟାଙ୍କର ଏ ବିଚିତ୍ର ପୃଥିବୀ ଏକ ରଙ୍ଗଶାଳା ଆଉ ତାଙ୍କ ନିର୍ଦ୍ଧେଶ ରେ ଆମେ ସମସ୍ତେ
କେବଳ ଅଭିନୟ କରିବାକୁ ହିଁ ଏଇ ସଂସାର ଭିତରକୁ ଭିନ୍ନ ଭିନ୍ନ ଭୂମିକା ନେଇ ପହଞ୍ଚି ଆସିଥାଉଁ । ନିଜ ନିଜ ର ଅଭିନୟ ଶେଷ ହୋଇଗଲା ପରେ ଆମମାନଙ୍କୁ ଯେ ଏହି ରଙ୍ଗଶାଳା ଛାଡ଼ିଯିବାକୁ ହେବ ଏହା
ନିଃସନ୍ଦେହ ।
"ମର୍ତ୍ତ୍ୟ ମଣ୍ଡଳେ
ଦେହ ବହି, ଦେବତା ଅବଶ୍ୟ ମରଇ"
ଯେଉଁ ମୁହୂର୍ତ୍ତ ରେ ଆମେ ମଞ୍ଚପୁରରେ ଭୂମିଷ୍ଠ ହୋଇଥାଉଁ, ଠିକ୍ ସେଇ ମୁହୂର୍ତ୍ତରୁ ମୃତ୍ୟୁ ଆମର ଜଗୁଆଳି ହୋଇ ରହେ ଆଉ ଯେଉଁ
ଦିନ ଆମର ଅଭିନୟ ସମାପ୍ତ ହୋଇଯାଏ, ଜଗୁଆଳି ତା' ସାଥିରେ ନେଇଯାଏ
ଆମକୁ । ନାଟକ ଟି ର ବେଶପୋଷାକ ଛାଡି ଆମକୁ ଏକା ଏକା ଜଗୁଆଳୀ ସାଥିରେ ଫେରିଯିବାକୁ ହୁଏ ।
"କେ ରହିଛି ଭବେ
ବାସ୍ତବ ଵିଭବେ ସୁବର୍ଣ୍ଣ ମୁକୁଟ ବାନ୍ଧି
ଯଶ ଅପଯଶ ନୋହେ
କାଳବଶ ହୁଅନ୍ତି ତା ପ୍ରତିବାଦୀ"
-ତପସ୍ଵିନୀ – ଗଙ୍ଗାଧର ମେହେର
ଏ ସଂସାର ରଙ୍ଗମଞ୍ଚ ରେ ଆମେ ଅଭିନୟ ତ କରିବାକୁ ଆସିଥାଉଁ ହେଲେ, କାହା ଭାଗ୍ୟରେ କି ପ୍ରକାର ଅଭିନୟ କରିବାକୁ ହୁଏ ଆଗତୁରା ଜଣା ବି ପଡ଼େନା । ନାଟକ ଟି ଯେମିତି ଯେମିତି ଆଗକୁ ଆଗକୁ ଚାଲେ , ଅଭିନୟ ର ମୋଡ ସବୁ
ଅଚାନକ ବଦଳିବାରେ ଲାଗିବସେ ଆଉ ବେଳେ ବେଳେ କରୁଣ ଭାବ ଭରା ଅଭିନୟ ଟିକୁ ଶତ ଥର ଭାଙ୍ଗି ଭାଙ୍ଗି
ମଧ୍ୟ ତୁଲାଇବାକୁ ପଡିଥାଏ ।
"ଭାଗ୍ୟବାନ ସିନା
ଭାଗ୍ୟ ଫଳ ଲଭେ ଅଭାଗା ଲଭେ ଅସିବ
ସାଗର ମନ୍ଥନେ କେଶବ
କମଳା ଗରଳ ଲଭିଲେ ଶିବ"
-ଇନ୍ଦୁମତି -ଗଙ୍ଗାଧର ମେହେର
ବେଳେ ବେଳେ ଏ ଅଭିନୟ ଏତେ ଜଟିଳ ହୋଇଉଠେ ଯେ, ନିଜକୁ ବିଶ୍ୱାସ ବି
ଲାଗେନା ନାଟକଟିର ଅନ୍ତିମ ପର୍ଯ୍ୟାୟ ପର୍ଯ୍ୟନ୍ତ ଭୂମିକା ତୁଲାଇହେବ ବୋଲି । ଇଛା ହୁଏ ଅଭିନୟ ତ୍ୟାଗ କରି ସିଧାସଳଖ ଫେରିଯିବାକୁ । ପୁଣି କେଜାଣି କାହିଁକି ଏ ଜୀବନ ପ୍ରସ୍ତୁତ ହୋଇରହେ ବାକି
ଭୂମିକା ତୁଲାଇବାକୁ ଅଭିନୟ ଯେତେ ଜଟିଳ, କରୁଣ ଓ କଷ୍ଟଦାୟକ
ହେଉନା କାହିଁକି ।
ସତ କହିବା ହେଲେ ଏ ଜୀବନ ନାଟକ କୁ ନେଇ ମଣିଷ ବେଳେ ବେଳେ ଅଭିନୟ କରୁ କରୁ ଥକି ପଡିଥାଏ । ଝର ଝର ଆଖିରୁ ବହିଆସୁଥିବା ଲୁହ କୁ ଓଠ ରେ ପିଇ ଦ୍ଵନ୍ଦ ଭରା ନାଟକ ଟି ର ପରିସମାପ୍ତି
ପର୍ଯ୍ୟନ୍ତ ତାକୁ ଅଭିନୟ ଚାଲୁ ରଖିବାକୁ ହିଁ ହୋଇଥାଏ ।.
"କେହି ରହିନାହିଁ
ରହିବ ନାହିଁ ଟି ଭବରଙ୍ଗ ଭୂମି ତଳେ
ସର୍ବେ ନିଜ ନିଜ
ଅଭିନୟ ସାରି ବାହୁଡ଼ିବେ କାଳବଳେ"
-କେଦାରଗୌରୀ – ରାଧାନାଥ ରାୟ
ଅସୀମ ଦୁଃଖର ଅଶେଷ କାହାଣୀକୁ ନେଇ କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର ଯିଏ
ବୁଢା଼ଶଙ୍ଖାରି ଗଳ୍ପ ଯୋଗୁଁ ପାଠକ ପାଠିକା ମହଲ ରେ ସୁପରିଚିତ ଓ ବନ୍ଦେ ଉତ୍କଳ ଜନନୀ ପାଇଁ ଆମର
ଚିର ନମସ୍ୟ, ଅମାପ ଅସହ୍ୟ ରାଶି ରାଶି ବେଦନା କୁ ବୋହି, ବ୍ୟାଧିଗ୍ରସ୍ତ
ଜୀବନ ସତ୍ୱେ ସାହିତ୍ୟ ସାଧନା ର ଶୀର୍ଷ ଦେଶରେ ନିଜର ପରିଚୟ ପ୍ରଦାନ କରି, ଓଡ଼ିଆ ସାହିତ୍ୟ ଇତିହାସ ର ଗନ୍ତାଘର କୁ ସମୃଦ୍ଧ କରିଯାଇଛନ୍ତି । ଅତ୍ୟନ୍ତ ଦୁଃଖୀ ହୋଇ ନୀଳାଚଳ ଠାକୁର ଶ୍ରୀ ଜଗନ୍ନାଥ ଙ୍କୁ ଅଭିମାନ କଣ୍ଠରେ ରେ ମନର ଭାବ
କୁ ବ୍ୟକ୍ତ କରିଛନ୍ତି ।
"ସବୁଥିରୁ ବଞ୍ଚିତ
କରି କେଉଁ ଯଶ-ବାନା ଉଡ଼ାଇବ ହେ
ଯାହା ଦେଇଥିଲ ସବୁ
ତ ନେଲଣି ଆଉ ଏବେ କିସ ଛଡ଼ାଇବ ହେ"
-ଲକ୍ଷ୍ମୀକାନ୍ତ ମହାପାତ୍ର
ମାଣବସା ଗୁରୁବାରରେ ରେ ଏହି ଅମର ସ୍ରଷ୍ଟାଙ୍କ ଜନ୍ମ ହୋଇଥିବାରୁ ଠାକୁରାଣୀ ଲକ୍ଷ୍ମୀଙ୍କ
ନାମାନୁସାରେ ଲକ୍ଷ୍ମୀକାନ୍ତ ରଖାଯାଏ । ଛାତ୍ରାବାସ ରେ ରହୁଥିବା ବେଳେ କବିତା ରଚନା କରୁଥିବାରୁ
ତାଙ୍କ ସାଙ୍ଗ ମାନେ ଏହି ବିଶିଷ୍ଟ ସ୍ରଷ୍ଟାଙ୍କୁ କାନ୍ତକବି ନାମ ରେ ଡାକୁଥିଲେ ଓ ୧୯୩୪
ମସିହାରେ ଭଦ୍ରକ ଉଚ୍ଚ ବିଦ୍ୟାଳୟ ପ୍ରାଙ୍ଗଣ ରେ ଶ୍ରୀଯୁକ୍ତ ଲକ୍ଷ୍ମୀନାରାୟଣ ସାହୁଙ୍କ ଉଦ୍ୟମରେ
ଏକ ସମ୍ବର୍ଦ୍ଧନା ସଭାରେ “କାନ୍ତକବି” ଉପାଧି ରେ ଏହି ବିଶିଷ୍ଟ କବିଙ୍କୁ ଭୂଷିତ କରାଯାଏ ।
କଟକ ର ସବୁଜ ବନାନୀ ଘେରା ଧୂଆଁ ପତ୍ରିଆ ଗ୍ରାମରେ ଡିସେମ୍ବର ମାସ ର ୯ ତାରିଖ ୧୮୮୮ ମସିହାରେ ଜନ୍ମ ଲାଭ କରିଥିବା କାନ୍ତ କବିଙ୍କୁ କିଏ ନ ଜାଣେ? ବ୍ୟାସ କରି ଫକୀର ମୋହନ ସେନାପତିଙ୍କ ପ୍ରେରଣା କବିଙ୍କୁ ସାହିତ୍ୟିକ ହେବାରେ ପଥ ସୁଗମ
କରିଥିଲା ବୋଲି ସାହିତ୍ୟିକ ମାନେ ମତ ବ୍ୟକ୍ତ କରିଥାନ୍ତି ।କଥା କଥା ରେ ହାସ୍ୟ ର ମଧୁରତା ଝରାଇପାରୁଥିବା କାନ୍ତ କବି ନିଜେ ବ୍ୟଥିତ ଅବସ୍ଥାରେ ରହି
ନିର୍ମାଣ କରିଯାଇଥିଲେ ସାହିତ୍ୟ ର ଅପରୂପ ସୌଧ । ଲକ୍ଷ୍ମୀକାନ୍ତ ଜଣେ ଉଚ୍ଚ କୋଟିର କବି ଥିଲେ ବୋଲି ତାଙ୍କ କବିତା ପ୍ରମାଣ ଦିଏ । ଉତ୍କଳ ର ସନ୍ତାନ ରୂପେ ଉତ୍କଳର ପବିତ୍ରତା, ମହନୀୟତା, ରୂପ ମାଧୁର୍ଯ୍ୟତା ଓ ସୌନ୍ଦର୍ଯ୍ୟତା କୁ ଶବ୍ଦ ଗୁମ୍ଫନ ମାଧ୍ୟମରେ ତୋଳିବସିଥିବା ଅମୂଲ୍ୟ
କୃତି ସମୂହ ପାଠକ ପାଠିକା କୁ ଅପୂର୍ବ ସାହିତ୍ୟ ରସ ଚଖାଇଦିଏ । ହାସ୍ୟମୟୀ ଉତ୍କଳ ଜନନୀଙ୍କୁ ଲେଖନୀ ମୁନ ରେ ଯେଉଁଭଳି ତାଙ୍କର ଚରଣ ବର୍ଣ୍ଣନା କରିଛନ୍ତି ତାହା ତାଙ୍କର ହୃଦୟ ଭିତରେ ଥିବା ଉତ୍କଳ ଜନନୀଙ୍କ ପ୍ରତି ମହନୀୟତା କୁ
ପରିପ୍ରକାଶ କରିଥାଏ । କବିତା କୁ ପଢୁ ପଢୁ ଆପଣାର ମଥା ଆପେ ଆପେ ନଇଁଯାଏ ନୈସର୍ଗିକ ଶୋଭା ଧାରିଣୀ ଉତ୍କଳ ଜନନୀ ଙ୍କ ପାଦ ତଳେ ।
କଣା ମାମୁ, ଜୀବନ ସଙ୍ଗୀତ , ଦେହି ପଦ ପଲ୍ଲବ ମୁଦାରମ୍ ଆଦି କବିଙ୍କ ଅମୂଲ୍ୟ କୃତି ସମୂହ ।
କବିଙ୍କ ବିଷୟରେ
ଅଧିକ ଜାଣିବା ଲାଗି -
୧. ସମ୍ପର୍କିତ
ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ ।
୨. ଛାତ୍ର
/ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ ।
୩. ଅଧିକ
ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ ହେବ ।
୪. କବିଙ୍କ
ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ ।
କବିତା ର
ପୃଷ୍ଠଭୂମି :-
ଉତ୍କଳ ସୌନ୍ଦର୍ଯ୍ୟମୟୀ ଓ ଗୌରବମୟୀ । ସେ ପୁଣ୍ୟବତୀ ଓ ସେ
ମହିମାମୟୀ ମଧ୍ୟ । ସେ ବୀର ପ୍ରସବିନୀ ଓ ସେ ଧନ୍ୟା । ତା' ଅଙ୍ଗ ର ଘନ ବନାନୀ ଘେରା ପବିତ୍ର ନଦୀ ଓ ସମୁଦ୍ର କୂଳ ନୈସର୍ଗିକ ଶୋଭା ଧାରଣ କରି, ଦର୍ଶକ କୁ ମୋହିନିଏ କ୍ଷଣକରେ । ବସନ୍ତ ର ମଳୟ, କୋଇଲିର କୁହୁ
ସାଙ୍ଗ କୁ ଚପଳା ଝରଣା ଜନନୀ କୁ କରେ ଚଳଚଞ୍ଚଳ । ଅପରୂପ ରୂପ ଧାରଣ କାରିଣୀ ଉତ୍କଳ ଜନନୀ ଶୋଭାମୟୀ ଓ ସେ
ନୈସର୍ଗିକ ଶୋଭା ର ପଟାନ୍ତର ନାହି ।
କବିତା ର ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ
ବନ୍ଦେ ଉତ୍କଳ ଜନନୀ
ବନ୍ଦେ ଉତ୍କଳ ଜନନୀ,
ଚାରୁ ହାସମୟୀ ଚାରୁ
ଭାଷମୟୀ,
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ହାସମୟୀ- ଯେଉଁ ରମଣୀ
ର ହସ ସୁନ୍ଦର ( ଉତ୍କଳ ମାତା କୁ ନାରୀ ଭାବେ ଗ୍ରହଣ କରି କବି ତାଙ୍କୁ ହାସମୟୀ କହିଛନ୍ତି )
ଭାଷମୟୀ- ଯେଉଁ ରମଣୀ
ର କଥା ସୁନ୍ଦର (ଏଇ ପଦ ଉତ୍କଳ ମାତା ଙ୍କୁ ବୁଝାଯାଉଅଛି )
ବନ୍ଦେ- ପ୍ରାର୍ଥନା
କରୁଅଛି (କବି ଉତ୍କଳ ଜନନୀଙ୍କ ଚରଣ ବନ୍ଦନା କରୁଛନ୍ତି ବୋଲି ଭାଷିଛନ୍ତି)
ଉତ୍କଳ- ଓଡିଶା
ପ୍ରଦେଶ ର ଅନ୍ୟ ଏକ ନାମ, କଳିଙ୍ଗ
କବି ଓ କଳା:-
ଉତ୍କଳ ଜନନୀ ହାସମୟୀ । ସେ ଭାଷମୟୀ ମଧ୍ୟ । ସମସ୍ତ ସୌନ୍ଦର୍ଯ୍ୟ ର ଅଧିକାରିଣୀ ସେ । ଆମ ସମସ୍ତ ଉତ୍କଳ ବାସୀଙ୍କ ମାଁ ସ୍ୱରୂପିଣୀ । ସେ ବନ୍ଦନା ଯୋଗ୍ୟା ।
ବର୍ଣ୍ଣନା:-
ଗ୍ରୀଷ୍ମ ଋତୁ ର ମଲ୍ଲୀ ଉଦ୍ୟାନ ସାଙ୍ଗକୁ ରଜନୀଗନ୍ଧା ର ପ୍ରସ୍ଫୁଠିତ ଚେହେରା, ବର୍ଷା ଋତୁ ର ଚତୁର୍ଦିଗ ର ସବୁଜିମା, ହେମନ୍ତ ଋତୁ ର
ନହଡା ଭାଙ୍ଗୁଥିବା ଶସ୍ୟକିଆରି ଓ ଶୀତଋତୁ ର ସୋରିଷୋ ଫୁଲ ର କ୍ଷେତ ହସିବସୁଥିବା ଭଳି ମନେହୁଏ ।
ବାଡି ରେ ମାଡିଯାଇଥିବା କଖାରୁ ଲତା ଓ ଜହ୍ନି ଫୁଲ ର ସନ୍ଧ୍ୟା, ଲାଜକୁଳୀ ଝିଅର ର ଅଳପ ଅଳପ ହସ ସମ ପ୍ରତୀତ ହୋଇଥାଏ । ପୁଣି ଦିବା ସମୟର ପ୍ରସ୍ଫୁଠିତ
କମଳିନୀ ଓ ରାତ୍ରି ସମୟ ର ଦରଫୁଟା କାଦମ୍ବିନୀ ତରୁଣୀ ଓଠ ର ସ୍ମିତ ହାସ ସହ ତୁଳନୀୟ । ବସନ୍ତ
ଋତୁ ର ବଉଳ ଭରା ଚୂତ ବନ ର କୋଇଲି ର ପଞ୍ଚମ ସୁର, ଗାଁ ଶେଷ ମୁଣ୍ଡ
ବରଗଛ ରେ ସକାଳ ଓ ସନ୍ଧ୍ୟା ସମୟରେ ପକ୍ଷୀଦଳ ର କାକଳି, ନିଘଞ୍ଚ କାନନ ରୁ
ବହିଆସୁଥିବା ନଦୀ ଓ ଝରିଆସୁଥିବା ପାହାଡୀ ଝରଣା ର ସୁର ଆଦିକୁ କଥା ଭାବେ
ଗ୍ରହଣ କରାଯାଇପାରେ । ତେଣୁ, କବି ସ୍ଵାଭାବିକ ଭାବେ ମାଟି ମାଆ ର ହସ ଓ କଥା ସୁନ୍ଦର ବୋଲି କହିବା ଯଥାଯଥ ।
ଆମେ ସମସ୍ତେ ଉତ୍କଳ ମାତା ର ସନ୍ତାନ । ସୌନ୍ଦର୍ଯ୍ୟମୟୀ, ପୁଣ୍ୟବତୀ,ମହିମାମୟୀ ଓ ଗୌରବମୟୀ ଉତ୍କଳ ମାତାଙ୍କ ବନ୍ଦନା କରିବା ବିଧେୟ । ସେ ହାସମୟୀ । ସେ ଭାଷମୟୀ ମଧ୍ୟ । ତା ସୁନ୍ଦର ହସ ଓ ସୁର ଭରା କଥା ଉତ୍କଳ ବାସୀଙ୍କ ହୃଦୟରେ ସଞ୍ଚାର କରିଥାଏ ଅମାପ ତୃପ୍ତି । ଆପେ ଆପେ ନଇଁଯାଏ ମଥା ତା' ଚରଣ ତଳେ । ସେ ସଦା କାଳେ ବନ୍ଦନା ଯୋଗ୍ୟା । ତା' ହସଭରା ମୁହଁ ଉତ୍କଳ
ବାସୀଙ୍କ ଭିତରେ ଯୋଗାଇଥାଏ କୋଟିଏ ପ୍ରେରଣା । ତା' ମୁହଁ ର ପ୍ରତିଟି କଥା ଉତ୍କଳ ସନ୍ତାନକୁ ମଥାଟେକି ବଞ୍ଚିବା ର ଗୌରବ ପ୍ରଦାନ କରିଛି ।
ପୂତ-ପୟୋଧି-ବିଧୌତ-ଶରୀରା,
ତାଳତମାଳ-ସୁଶୋଭିତ-ତୀରା,
ଶୁଭ୍ର
ତଟିନୀକୂଳ-ଶୀକର-ସମୀରା
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ପୂତ-ପବିତ୍ର
ପୟୋଧି -ସମୁଦ୍ର
ବିଧୌତ-ଧୋଇହୋଇଯାଉଥିବା
ତାଳତମାଳ - ତାଳ ଓ ତମାଳ ବୃକ୍ଷ
ତୀର- କୂଳ
ଶୁଭ୍ର- ସଫେଦ
(ଏଇଠି ପରିସ୍କାର)
ତଟିନୀ - ନଦୀ
ଶୀକର- ଜଳ
କଣା
ସମୀର- ପବନ
କବି ଓ କଳା:-
ଉତ୍କଳ ଜନନୀଙ୍କ ଶରୀର କୁ ପବିତ୍ର ସମୁଦ୍ର ଜଳରାଶି ଧୋଇଦେଉଅଛି । ତା' ନଦୀ ଓ ସମୁଦ୍ର ର ତଟ ଦେଶରେ ତାଳତମାଳ ବନ ଶୋଭା ସୃଷ୍ଟି କରୁଅଛି । ସ୍ୱଚ୍ଛ ଜଳ ଧାରଣା କରି ବହିଯାଉଥିବା ନଦୀ କୂଳରେ ଶୀତଳ ପବନ ପ୍ରବାହିତ ହେଉଅଛି ।
ବର୍ଣ୍ଣନା:-
ଜଗତନାଥ ଜଗନ୍ନାଥ ଙ୍କ ଦେଶ ଉତ୍କଳ ର ନଦୀ ସମୁଦ୍ର ପବିତ୍ରମୟ । ସେହି ପବିତ୍ର ସମୁଦ୍ର ମହିମାମୟୀ, ଗୌରବମୟୀ ଉତ୍କଳ ଜନନୀଙ୍କ ଚରଣକୁ ଧୌତ କରୁଅଛି ବୋଲି କବି
ପରିପ୍ରକାଶ କରିଛନ୍ତି ।
ଉତ୍କଳର ଘନ ବନାନୀ ଘେରା ପବିତ୍ର ନଦୀ ଓ ସମୁଦ୍ର କୂଳ ଚିତ୍ତ ମଧ୍ୟରେ ଆନନ୍ଦ ପ୍ରଦାନ
କରିଥାଏ ।ସେହି ପବିତ୍ର ସମୁଦ୍ର ମହିମାମୟୀ, ଗୌରବମୟୀ ଉତ୍କଳ ଜନନୀଙ୍କ ସୌଦର୍ଯ୍ୟ । ଉତ୍କଳ ର ଏହି ତାଳତମାଳ ବନର ସୁଶୋଭିତା ନଦୀ ଓ ସମୁଦ୍ର ତଟ ନୈସର୍ଗିକ ଶୋଭା ଧାରଣ କରି
ଦ୍ରଷ୍ଟା କୁ ଦୃଶ୍ୟମୟ କରିବସେ ।
ପରିଷ୍କାର, ତୋଫା, କାଚକେନ୍ଦୁ ଭଳି ପାଣିକୁ ବହନ କରି ବହିଯାଉଥିବା ଚପଳମତି ନିମ୍ନଗା ର କୂଳେ କୂଳେ ପ୍ରବାହିତ
ସୁଶୀତଳ ସମୀର ଓ ତଟ ଦେଶରେ ପ୍ରବାହିତ ହେଉଥିବା ସମୁଦ୍ର ର ନୀଳ ଉର୍ମିମାଳା ପ୍ରାଣରେ ଭରିଦିଏ
ଅମୃତ ଓ ମନ ମଧ୍ୟରେ ଯାଚି ଦିଏ ମହକ । ଯା' ର ଚରଣ ତଳେ ନଦୀ, ସମୁଦ୍ର, ବନ, ସମୀର ଆଦି ସେବାକରୁଛନ୍ତି ସେହି ଉତ୍କଳ ଜନନୀ ଧନ୍ୟା ।
ଘନ ଘନ ବନଭୂମି ରାଜିତ
ଅଙ୍ଗେ,
ନୀଳ ଭୂଧର ମାଳା ସାଜେ
ତରଙ୍ଗେ,
କଳ କଳ ମୁଖରିତ ଚାରୁ
ବିହଙ୍ଗେ,
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଘନ- ଘଞ୍ଚ
ରାଜିତ- ଶୋଭା
ପାଉଅଛି
ଭୂଧର - ପର୍ବତ
ମୁଖରିତ- ଧ୍ୱନି
ରେ ଭରିଯାଉଥିବା
ଚାରୁ-ସୁନ୍ଦର
ବିହଙ୍ଗ-ପକ୍ଷୀ
କବି ଓ କଳା:-
ଘଞ୍ଚଅରଣ୍ୟ ଉତ୍କଳ ଜନନୀଙ୍କ ଶରୀରରେ ଶୋଭା ଧାରଣ କରିଛି । କୋଇଲି ର କୁହୁ ଓ ନାନା ପକ୍ଷୀଙ୍କ ର କଳରବ ଉତ୍କଳ ଆକାଶର ସୌନ୍ଦଯ୍ୟ ବର୍ଦ୍ଧନ କରୁଛି । ପର୍ବତମାଳା ତରଙ୍ଗ ସଦୃଶ ମନୋରମ ମନେହେଉଅଛି ।
ବର୍ଣ୍ଣନା:-
ଘନ ଶ୍ୟାମଳ ଅରଣ୍ୟ ଅପରୂପ ସୌନ୍ଦର୍ଯ୍ୟ ର ଅଧିକାରିଣୀ ଉତ୍କଳ ଲକ୍ଷ୍ମୀଙ୍କ ବୁକୁରେ ରମଣୀୟ
ସୁଷମା ର ଅବର୍ଣ୍ଣନୀୟ ଶୋଭା ସୃଷ୍ଟି କରୁଛି । ତେଣୁକରି ତ କବି ଭାବୁକ କଲ୍ପନାକାର ମର୍ତ୍ତ୍ୟମଣ୍ଡଳ ର ଏହି ଅପୂର୍ବ ଅଶେଷ ଶୋଭା କାନ୍ତିରେ ହ୍ୱିହ୍ୱଳିତ ହୋଇପଡନ୍ତି ଓ ଏହି ଜୀବନ୍ତ ପ୍ରକୃତିରାଶି ରୁ ଝରିପଡ଼ୁଥିବା ସୌନ୍ଦଯ୍ୟକୁ କୁ
ନେଇ ଗଢିବସନ୍ତି ଅନ୍ୟ ଏକ ପୃଥିବୀ ।
ସୁନୀଳ ସିନ୍ଧୁ ବୁକୁରେ ଉର୍ମିମାଳା ଯେଉଁଭଳି ସୌନ୍ଦର୍ଯ୍ୟ ର ଅଧିକାରିଣୀ ସମ ମନେହୋଇଥାଏ, ଉତ୍କଳ ଜନନୀଙ୍କ ଶ୍ୟାମଳ ଅପରୂପ, ଆନନ୍ଦଦାୟିନୀ ମନମୁଗ୍ଧ କାରିଣୀ ଶରୀରରେ ପର୍ବତମାଳା ର
ସ୍ଥିତି ସେହି ତରଙ୍ଗିଣୀ ସମ ପ୍ରତୀତ ହୋଇଥାଏ । କବି ଶତମୁଖା ଭାବେ ଜନନୀଙ୍କ ଢେର୍ ପ୍ରଶଂସା କରିଛନ୍ତି ଓ ସୌନ୍ଦର୍ଯ୍ୟମୟୀ ର ସୌଦର୍ଯ୍ୟତାକୁ ନିଚ୍ଛକ
ଭାବରେ ଶବ୍ଦମାଧ୍ୟମରେ ମନୋରମ ରୂପରେ ପରିପ୍ରକାଶ କରିଛନ୍ତି ।
କୋଇଲିର କୁହୁ କୁହୁ ସୁର , ପକ୍ଷୀମାନଙ୍କ ର କାକଳି, ଝରଣା ର ମଧୁର ତାଳ ଜନନୀକୁ ଜୀବନ୍ତ କରି ଚଳଚଞ୍ଚଳ କରିଦିଏ । ମୁଣ୍ଡ ଉପରେ ସୀମାହୀନ ନୀଳ ଆକାଶ ,ପାଦ ତଳେ ବିସ୍ତିର୍ଣ୍ଣ ସବୁଜ ପ୍ରାନ୍ତର ସ୍ଵର୍ଗୀୟ ସୁଖ
ପ୍ରଦାନ କରେ ଚିତ୍ତ ଅନ୍ତରାଳରେ । ଋତୁରାଜ ବସନ୍ତ ଧରଣୀ ବକ୍ଷ ର ପ୍ରତିଟି ବୃକ୍ଷ ରେ ଯେବେ ଫଳ ଓ
ଫୁଲ ସାଜିଦିଏ ,ବିହଙ୍ଗ କୂଳ ର କଳରବ ହୃଦୟ ଭିତରେ ଭରିଦିଏ ଅମାପ ଅମୂଲ୍ୟ ଆନନ୍ଦ ।
ସୁନ୍ଦର
ଶାଳୀ-ସୁଶୋଭିତା-କ୍ଷେତ୍ରା
ଜ୍ଞାନ
ବିଜ୍ଞାନ-ପ୍ରଦର୍ଶିତ-ନେତ୍ରା
ଯୋଗୀ ରୂଷି
ଗଣ-ଊଟଜ-ପବିତ୍ରା
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଶାଳୀ- ଏକ
ପ୍ରକାର ଶସ୍ୟ
ସୁଶୋଭିତ- ସୁନ୍ଦର
ଦେଖାଯାଉଥିବା
ଊଟଜ- କୁଟୀର
ନେତ୍ର- ଆଖି, ନୟନ
କ୍ଷେତ୍ର- ଭୂମି
ପ୍ରଦର୍ଶିତ- ପ୍ରଦର୍ଶନ
କରାଯାଉଥିବା
କବି ଓ କଳା:-
ଉତ୍କଳ ଜନନୀଙ୍କର ଅଙ୍ଗରେ ଶସ୍ୟ ଶ୍ୟାମଳା ଧରଣୀ ର ସବୁଜ କ୍ଷେତ୍ର ଅତ୍ୟନ୍ତ ମନୋରମ ଓ
ଶୋଭା ପୂର୍ଣ୍ଣ ।ଜ୍ଞାନ ଓ ବିଜ୍ଞାନ ର ପ୍ରଦର୍ଶନ ତାଙ୍କର ନୟନ ରେ ପରିପ୍ରକାଶ ହେଉଛି । ପବିତ୍ର ଯୋଗୀ ରୂଷି ଙ୍କ ବାସଭୂମି ଜନନୀଙ୍କ ଅଙ୍ଗରେ ଥିବାରୁ ଜନନୀ ମଧ୍ୟ ପବିତ୍ରା ।
ବର୍ଣ୍ଣନା:-
ଭରି ଉଠିଥିବା ସବୁଜ ଶସ୍ୟ ଶ୍ୟାମଳା ଭୂଇଁ ତଥା ମନ୍ଦ ମନ୍ଦ ପବନରେ ନହଡା ଭାଙ୍ଗୁଥିବା ଧାନ
କ୍ଷେତ୍ର ଜନନୀଙ୍କୁ ଅନିର୍ବଚନୀୟ ଶୋଭା ପ୍ରଦାନ କରିଥାଏ । ଧରା ଭୂଇଁ ଏକାବେଳକୁ ସ୍ୱର୍ଗ ପାଲଟିଯାଏ ।ସମସ୍ତଙ୍କ ମନରେ ଆନନ୍ଦ । ନାହିଁ ଗ୍ଲାନି, ନାହିଁ ଶୋକ, ନାହିଁ ବିଷାଦ । ହେମନ୍ତ ଋତୁର ହସିବସି କଥା କହୁଥିବା ଧାନ କେଣ୍ଡା ଦର୍ଶକ ର ଅନ୍ତରରେ ଭରିଦିଏ କୋଟିଏ ସୁଖ । ଏକା ବେଳକୁ ଚାଷୀ ହୋଇପଡେ ଆତ୍ମହରା , ହସିଉଠେ ତା ପରିବାର ,ହସିଯାଏ ଭୂଇଁ ଓ ହସିଉଠେ ଉତ୍କଳ ଜନନୀଙ୍କ ମୁଖ ।ତେଣୁକରି ଉତ୍କଳ ଜନନୀଙ୍କ ହସକୁ ମଧୁର ବୋଲି ପ୍ରଥମ ରୁ କବି ଜଣାଇଦେଇଛନ୍ତି ।
ଜ୍ଞାନ ବିଜ୍ଞାନ ର ଦେଶ ଉତ୍କଳ । ଉତ୍କଳ ର ପୁଅ ଆଜି ଆକାଶରେ ଉଡୁଛି । ଗଭୀର ସମୁଦ୍ର ରେ ସନ୍ତରଣ କରୁଛି । କୌଶଳ ଖଟାଇ ସବୁପ୍ରକାର ପ୍ରତିକୂଳ ସ୍ଥାନକୁ ଅନୁକୂଳ କରିଛି
ମାନବ ସମାଜ ପାଇଁ ।ପର୍ବତ କୁ ଭାଙ୍ଗି ପାରିଛି, ନଦୀକୁ ବାନ୍ଧି ପାରିଛି ସେ । ଗଜ, ସିଂହ, ବ୍ୟାଘ୍ର ଭଳି
ବଳଶାଳୀ ଜୀବକୁ ଆୟତ୍ତ କରିପାରିଛି, ସୂର୍ଯ୍ୟଙ୍କ ର ଆଳୋକ କୁ ସଞ୍ଚି ରଖିପାରିଛି । ପବିତ୍ରମୟୀ, ମହିମାମୟୀ ଓ କିର୍ତ୍ତୀମୟୀ ଉତ୍କଳ ମାତା ଧନ୍ୟା ।
ଉତ୍କଳ ର ବନଭୂଇଁ ମହାନ ଓ ପବିତ୍ର । ଉତ୍କଳ ମାଟିରେ ଯୋଗୀ, ରୁଷି, ସାଧୁ ସନ୍ୟାସୀ ମାନଙ୍କ ର ପବିତ୍ର ଆଶ୍ରୟ ସ୍ଥଳ ଥିବାରୁ ତାହା ଉତ୍କଳ ମାଟିକୁ ପବିତ୍ର
କରିଛି । ମହାପୁରୁଷ ମାନଙ୍କ ର ଜନ୍ମ ସ୍ଥଳ ଉତ୍କଳ ।ଏହି ଉତ୍କଳ ଜନନୀ ର ଫଳମୂଳ, ଜଳବାୟୁ, ଶାକ ତଣ୍ଡୁଳ ଖାଇ
ଉତ୍କଳ ପୁଅ ରଚିଛି ଇତିହାସ । ସେହି ଭଳି ପୁଅ ର ଜନନୀ ଶୁଭମୟୀ ଉତ୍କଳ ଧନ୍ୟା ।
ସୁନ୍ଦର ମଣ୍ଡିତ
ମନ୍ଦିର-ଦେଶା
ଚାରୁକଳାବଳୀ-ଶୋଭିତା-ବେଶା
ପୁଣ୍ୟ
ତୀର୍ଥାଚୟ-ପୂର୍ଣ୍ଣ-ପ୍ରଦେଶା
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ମଣ୍ଡିତ- ଶୋଭାପାଉଥିବା
ବେଶା- ବେଶ
ଯୁକ୍ତ
ପ୍ରଦେଶ- ଅଞ୍ଚଳ
କବି ଓ କଳା:-
ସୁନ୍ଦର ମନ୍ଦିର ସବୁ ଉତ୍କଳ ଜନନୀଙ୍କ ଶରୀରକୁ ମଣ୍ଡନ କରୁଛନ୍ତି । ଜନନୀଙ୍କର କଳେବର ସୌନ୍ଦର୍ଯ୍ୟଭରା କଳାକୃତି ରେ ଶୋଭିତ । ପୁଣ୍ୟ ତୀର୍ଥ ସ୍ଥାନ ଭରା ଏହି ଉତ୍କଳ ପ୍ରଦେଶ ।
ବର୍ଣ୍ଣନା:-
ପବିତ୍ର ଉତ୍କଳ ମନ୍ଦିର ମାଳିନୀ । ସ୍ଥାନେ ସ୍ଥାନେ କେଉଁଠି ଶିବ ତ କେଉଁଠି ଶିବା ପୁଣି କେଉଁଠି
ଦାତା ତ ଅନ୍ୟ କେଉଁଠି ଦାତ୍ରୀ ଙ୍କ ର ପୂଜା ଅର୍ଚ୍ଚନା ର ସ୍ଥଳ ଚିତ୍ତରେ ପବିତ୍ରତା ଭରିଦିଏ । ସାରା ଭୁବନ ପ୍ରଦେଶ ରେ ଏହି ପବିତ୍ର ମାଟି ଗୌରବ ବହନ କରିଛି ।
ଉତ୍କଳ କଳାକୃତି ର ଦେଶ । ଉତ୍କଳ ର ଅଦ୍ୱିତୀୟ ଚାରୁ କଳା ଓ ସଂସ୍କୃତି ଭୁବନ ବିଖ୍ୟାତ । କଳାର ପୂଜାରୀ ରହିଥିବା ଦେଶ ଉତ୍କଳ । ଓଡ଼ିଆ ପୁଅ ର କଳା ନୈପୁଣ୍ୟତା ର ପରିଚୟ ଉତ୍କଳ ଜନନୀଙ୍କ ବୁକୁରେ ଶୋଭା ପାଏ । ଏ ହେଉଛି ବିଶୁ ମହାରଣା ର ଦେଶ, ଏ ବାଣୀ କଣ୍ଠ ର ଦେଶ ମଧ୍ୟ । ଉତ୍କଳ ର କଳା ଓ ସଂଗୀତ ସାରା ଭୁବନରେ ଖ୍ୟାତି ଅର୍ଜନ କରିଛି । ଓଡ଼ିଶା ର ଓଡିଶୀ ନୃତ୍ୟ ଭାରତ ବର୍ଷରେ ଗୌରବ ଅର୍ଜନ କରିଛି । କଳା,ନୃତ୍ୟ ଓ ସଂଗୀତ ର ଦେଶ ଉତ୍କଳ ।
ଉତ୍କଳ ଜନନୀଙ୍କ ବୁକୁ ସାରା ସ୍ଵର୍ଗୀୟ ପବିତ୍ରମୟ ତୀର୍ଥସ୍ଥାନ ଓ ମନ୍ଦିର ସବୁ ଭରି ରହିଛି । ନୈସର୍ଗିକ ଶୋଭା ବହନ କରିଥିବା ଏହି ତୀର୍ଥସ୍ଥାନ ଯୋଗୁଁ ଉତ୍କଳ ସାରା ଜଗତରେ ପରିଚିତା । ସମୁଦ୍ର କୁଳ ର ଜଗତ ବିଖ୍ୟାତ ପବିତ୍ର ଜଗନ୍ନାଥ ଧାମ ହେଉ ବା ଚନ୍ଦ୍ରଭାଗା ତୀର ର ବାରଶହ
ବଢେଇଙ୍କ କଳା ଗୌରବ ର ପ୍ରତୀକ କୋଣାର୍କ ମନ୍ଦିର ହେଉ ସେ ଉତ୍କଳ ମାଟିକୁ କରିଛି ଧନ୍ୟା । ଉତ୍କଳ କଳା ର ପୂଜାରୀ ର ପୂଜା ପାଉଥିବା ସ୍ଥାନ ।
ଉତ୍କଳ ଶୂରବର-ଦର୍ପିତ-ଗେହା,
ଅରିକୁଳ-ଶୋଣିତ-ଚର୍ଚିତ-ଦେହା,
ବିଶ୍ୱଭୂମଣ୍ଡଳ-କୃତବର-ସ୍ନେହା,
ଜନନୀ, ଜନନୀ. ଜନନୀ
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଗେହା-ଶରୀର
ଯୁକ୍ତା
ଶୋଣିତ-ରକ୍ତ
ଅରି-ଶତ୍ରୁ
କୃତବର-ବିଦ୍ୱାନ
ଶୂରବର-ବୀର
ଶ୍ରେଷ୍ଠ
ଦର୍ପିତ-ଗର୍ବ
ଯୁକ୍ତ
କବି ଓ କଳା:-
ବୀର ଓ ଯୋଦ୍ଧା ମାନଙ୍କୁ ଜନମ ଦେଇଥିବା ଏହି ମାଟି ଧନ୍ୟା । ଶତ୍ରୁ ରକ୍ତ ରେ ଏହି ମାଟି
ରଞ୍ଜିତ । ଉତ୍କଳ ର ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତି ସାରା ଭୂମଣ୍ଡଳରେ ଖ୍ୟାତି ଅର୍ଜନ କରିଛନ୍ତି ।
ବର୍ଣ୍ଣନା:-
ଉତ୍କଳ ଜନନୀ ମହା ମହା ଯୋଦ୍ଧା ଓ ବୀର ସନ୍ତାନ କୁ ଜନମ ଦେଇ ଚିର ବନ୍ଦ୍ୟ। ସେ । ପ୍ରାଣକୁ ଭୟ ନ କରି ଉତ୍କଳ ର ବୀର ସନ୍ତାନ ଶତ୍ରୁକୁ ନିପାତ କରିବାର ପ୍ରତିଜ୍ଞା କରିବସେ । ଏ ହେଉଛି ବୀର ବାଜିରାଉତ ର ଦେଶ, ଏ ହେଉଛି ବକ୍ସି ଜଗବନ୍ଧୁ ର ଦେଶ, ଏ ହେଉଛି ବୀର ସୁରେନ୍ଦ୍ର ସାଏ ଙ୍କ ଦେଶ ।
ଶତ୍ରୁ କୁ ଦମନ କରି ପୁଣ୍ୟବତୀ ଓ ଭାଗ୍ୟବତୀ ଉତ୍କଳ ଜନନୀଙ୍କୁ ସୁରକ୍ଷା ଦେବା ପାଇଁ ବୀର ଓ
ଯୋଦ୍ଧା ଗୌରବମୟୀ ଜନନୀ ର ବୁକୁ ସାରା ବିଦ୍ୟମାନ । ଓଡ଼ିଆ ପୁଅ ଶତ୍ରୁର ରକ୍ତ ଅଳତା ରେ ଉତ୍କଳ ଜନନୀଙ୍କ ପାଦକୁ ରଞ୍ଜିତ କରିଥାଏ ।
ଉତ୍କଳ ର ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତିଙ୍କ ର ଯଶ ସାରା ଭୁବନରେ ଖ୍ୟାତିଲାଭ କରିଛି । ଉତ୍କଳ ସାଧୁ ସନ୍ଥ ଜ୍ଞାନୀ ଓ ବିଦ୍ୱାନ ଙ୍କ ଯଶ ର ଦେଶ । ଏହି ଗୁଣି, ଜ୍ଞାନୀ ଓ ବିଦ୍ୱାନ ବ୍ୟକ୍ତିଙ୍କୁ ଜନମ ଦେଇଥିବା ଦେଶ ଉତ୍କଳ ସେମାନଙ୍କ ଯୋଗୁଁ ଦେଶ ଭିତରେ
ଓ ଦେଶ ବାହାରେ ସୁପରିଚିତା । ଏ ହେଉଛି ଜ୍ଞାନୀ ବିକ୍ରମାଦିତ୍ୟଙ୍କ ଦେଶ ।ସରସ୍ୱତୀ ସନ୍ତାନ ମହାକବି କାଳିଦାସଙ୍କ ଦେଶ ମଧ୍ୟ ଏହି ଉତ୍କଳ ।
କବିକୁଳ ମୌଳି
ସୁନନ୍ଦନ-ବନ୍ଦ୍ୟI,
ଭୁବନ
ବିଘୋଷିତ-କିର୍ତ୍ତୀ ଅନିନ୍ଦ୍ୟା,
ଧନ୍ୟେ, ପୁଣ୍ୟେ, ଚିର ଶରଣ୍ୟେ,
ଜନନୀ, ଜନନୀ, ଜନନୀ ।
ପଂକ୍ତି ଟି ରେ
ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଧନ୍ୟେ-ଧନ୍ୟା
ମୌଳି -ମୁକୁଟ
ପୁଣ୍ୟେ- ପୁଣ୍ୟ
ବତୀ
ଶରଣ୍ୟେ- ଶରଣ
ଦାତ୍ରୀ ଓ ଶରଣ ଯୋଗ୍ୟା
କବି ଓ କଳା:-
କବି-କୂଳ ସୁନନ୍ଦନ ପାଇଁ ଜନନୀ ବନ୍ଦନୀୟା । ସାରା ଭୁବନରେ ଉତ୍କଳ ଜନନୀଙ୍କ ର କିର୍ତ୍ତୀ ପ୍ରଚାରିତ । ସେ ଧନ୍ୟା, ସେ ପୁଣ୍ୟା ଓ ସେ ଶରଣ ଦାତ୍ରୀ ଓ ବନ୍ଦନା ଯୋଗ୍ୟା ।
ବର୍ଣ୍ଣନା:-
କବି, ଲେଖକ ଓ ଭାବୁକ ର ଦେଶ ଉତ୍କଳ । ଉତ୍କଳ ର କଳା ଓ ସାହିତ୍ୟ ଚିରକାଳ ଝଟକୁଅଛି। ଉତ୍କଳ ର
ଯୋଗ୍ୟ ସନ୍ତାନ ଉତ୍କଳର ଗାଥା ଓ ଗୌରବ କୁ ଜୀବନ୍ତ କରି ତୋଳି ବସିଛି । ସାରଳାଦାସ, ଉପେନ୍ଦ୍ର ଭଞ୍ଜ, ନନ୍ଦକିଶୋର ବଳ, ରାଧାନାଥରାୟ, ଫକୀରମୋହନ ସେନାପତି, ଗୋପବନ୍ଧୁ, ଆଚାର୍ଯ୍ୟ ହରିହରଙ୍କ ଭଳି ମହାନ ସନ୍ତାନ ସବୁକୁ ଜନମ ଦେଇଥିବା ଦେଶ ଉତ୍କଳ ।
ସାରା ଉତ୍କଳରେ ଏହି ସୁପୁତ୍ର ମାନେ କିର୍ତ୍ତୀ ଅର୍ଜନ କରି ଉତ୍କଳ ମାତାଙ୍କୁ ଧନ୍ୟା
କରିଯାଇଛନ୍ତି । କିଏ ଆଦିକବି, କିଏ କବିସମ୍ରାଟ, କିଏ କବି ସୁର୍ଯ୍ୟ, କିଏ ବ୍ୟାସ କବି ଉପାଧି ଧାରଣ କରି ଜନନୀଙ୍କ କଣ୍ଠ ମାଳ ସଦୃଶ ଶୋଭାପାଉଛନ୍ତି। ଏତାଦୃଶ
ଗୌରବ ବହନ କରିଥିବା ଉତ୍କଳ ଜନନୀ ଧନ୍ୟା, ସେ ପୁଣ୍ୟବତୀ ଓ ସେ
ଚିର ବନ୍ଦନାଯୋଗ୍ୟା ।
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment