A letter to God-Class-X-"ଈଶ୍ଵରଙ୍କୁ ଚିଠାଉ"- ଓଡିଆ ଭାଷା ରେ


A Letter to God

-G.L. Fuentes

ଈଶ୍ଵରଙ୍କୁ ଚିଠାଉ


“ବିଶ୍ଵାସେ ମିଳଇ କୃଷ୍ଣ ତର୍କେ ବହୁ ଦୂର”  ବିଶ୍ଵାସ ଅସମ୍ଭବ କୁ ସମ୍ଭବ କରାଇଥାଏ କାଷ୍ଠ ପାଷାଣ ମୂର୍ତ୍ତି ଭିତରେ ଏହି ବିଶ୍ଵାସ ଜୀବନ ଭରିଦେଇଥାଏ କେବେ ଖୁମ୍ବ ଉପରେ ପ୍ରହଲ୍ଲାଦ ଭଗବାନ କୁ ଆବାହନ କରିବସେ ଆଉ ଭକ୍ତ ର ଭଗବାନ ସାଜି, ସେ ବିଜେ କରନ୍ତି ତା ଉପରେ ତ ଆଉ କେବେ ମୀରା ଆନନ୍ଦ ଚିତ୍ତରେ ବିଷ ପାନ କରିବସେ ଓ ସେହି ବିଷ ତା ପାଇଁ ଅମୃତ ହୋଇଯାଏ ।  ପ୍ରଗାଢ ବିଶ୍ଵାସ ଉପରେ ଆଧାରିତ ଏହି ପାଠ ଟି ରୁଚି ସମ୍ପନ୍ନ ହୋଇଛି । ଲେଞ୍ଚୋ ନାମକ ଏକ ସାଧାରଣ କୃଷକ ର ଈଶ୍ଵରଙ୍କ ଉପରେ ଥିବା ଅଟଳ ବିଶ୍ଵାସ, କେଉଁ ଭାବେ ଫଳବତୀ ହୋଇପାରିଛି, ତାହା ଏହି ପ୍ରବନ୍ଧ ର ବିଷୟବସ୍ତୁ ।

            ପାଠ ଟି ର ମୁଖ୍ୟ ଚରିତ୍ର ଲେଞ୍ଚୋ ସଂପୂର୍ଣ୍ଣ ଭାବେ ଇଶ୍ଵର ବିଶ୍ଵାସୀ ଓ ଜଣେ ମକା ଚାଷ କରୁଥିବା କୃଷକ କୃଷି କାମ କରି ସେ ତା ପରିବାର ର ପ୍ରତିପୋଷଣ କରେ । ପତ୍ନୀ ସହିତ ତା ପିଲାଛୁଆ ମାନେ ତା ଉପରେ ନିର୍ଭର କରନ୍ତି । ଲେଞ୍ଚୋ ପରିବାର ର ମୁଖିଆ ହୋଇଥିବାରୁ, ସଂପୂର୍ଣ୍ଣ ପରିବାର ର ବୋଝ ବୋହି, ସଂସାର  ସମୁଦ୍ର ରେ ନାବିକ ସାଜି ତା ପରିବାର ନାଆ କୁ ସେ ବାହିନିଏ 

            ଏକ ପାର୍ବତ୍ୟାଞ୍ଚଳ ର ଶୀର୍ଷ ଦେଶ ରେ, ସଂପୂର୍ଣ୍ଣ ଉପତ୍ୟକା ରେ ଲେଞ୍ଚୋ ର ଏକ ମାତ୍ର ଘର । ଶୀର୍ଷ ଅଞ୍ଚଳ ରେ ଘର ଟି ଅବସ୍ଥିତି ଲାଭ କରିଥିବାରୁ, ଅଗଣା କୁ ବାହାରିଲେ ନିମ୍ନ ଦେଶ ରେ ବହିଯାଉଥିବା ନଦୀ ସହିତ ଫୁଲ ଭରା ଲେଞ୍ଚୋ ର ମକା କିଆରି ଉପରେ, ପରିଷ୍କାର ଭାବେ ଦୃଷ୍ଟି ପଡିଥାଏ ।  ଯାହାକୁ ଦେଖିଲେ ସହଜରେ ମନ ଭରା ଅମଳ ର ଆକଳନ କରିହୁଏ । କେବଳ ଖଣ୍ଡେ ବର୍ଷା କ୍ଷେତ ଦରକାର କରେ, ସେ ବଡ ବର୍ଷା ଟିଏ ହେଉ କିମ୍ବା ଝିପି ଝିପି ବର୍ଷା ଟେ ହେଉ । ହେଲେ, କିଛିଦିନ ହେବ ଲେଞ୍ଚୋ, ଯିଏ ଚାଷୀ ଭାବରେ ତା ଜମି କୁ ଠିକ୍ ବୁଝିପାରିଛି, ମନରେ ତା ର ଖୁସି ନ ଥିଲା ଭଳି ମନେହୁଏ । ତା କ୍ଷେତ ବର୍ଷା ପାଣି କୁ ଚାହିଁ ରହିଛି ବୋଲି ତାକୁ ସ୍ପଷ୍ଟ ଜଣା ପଡେ । ତେଣୁକରି, ସେ ମନ ମାରି ସକାଳ ହେଲେ କାମ ଧାମ ରୁ ନିବୃତ ରହି , କେବଳ ଉତ୍ତର ପୂର୍ବ ଆକାଶ କୁ ହିଁ ଚାହିଁ ରହେ ।

            ସେଦିନ ଅଚାନକ ଉତ୍ତର-ପୂର୍ବ ଦିଗ ଉପରେ ଦୃଷ୍ଟି ନିକ୍ଷେପ କରି ଲେଞ୍ଚୋ, ଆସନ୍ନ ବର୍ଷା ର ଅନୁମାନ କରି ପତ୍ନୀ କୁ  ଶୁଭ ଖବର କହିବସେ  ହାଲ୍କା ଭୋଜନ ପ୍ରସ୍ତୁତ କରୁଥିବା ପ୍ରିୟ ପତ୍ନୀ ମଧ୍ୟ “ସେ ଈଶ୍ବରଙ୍କ କୃପା” ବୋଲି ସ୍ଵାମୀ ଙ୍କୁ କହିବସେ ଓ ଅଗଣା ରେ ଖେଳୁଥିବା ଛୋଟ ଛୁଆ ମାନଙ୍କ ସହିତ, ବିଲ ରେ କାମ କରୁଥିବା ବଡ ପିଲା ମାନଙ୍କୁ ପେଟ ଭରି ମୁଠାଏ ଖାଇବାକୁ ଡାକିବସେ । ସୌଭାଗ୍ୟ କ୍ରମେ ଭୋଜନ କରୁଥିବା ସମୟରେ ହିଁ ଲେଞ୍ଚୋ ର ପୂର୍ବାନୁମାନ ସତ ହୁଏ । ଆକାଶ ରୁ ବଡ ଜଳ ବୁନ୍ଦା ସବୁ ଖସିବାରେ ଲାଗେ ଓ ଉତ୍ତର-ପୂର୍ବ ଦିଗରୁ ପର୍ବତ ସଦୃଶ ମେଘସବୁ ଆକାଶ ରେ ମାଡିଆସେ  ପବନରେ ବର୍ଷା ଭିଜା ମାଟି ର ବାସ୍ନା ଚହଟି ଯାଏ ଲେଞ୍ଚୋ ର ମନ ମଧ୍ୟରେ ଆନନ୍ଦ ର ଜୁଆର ମାଡି ଆସେ   ନିଜକୁ ସେ ଆୟତ୍ତ କରି ରଖିପାରେନା ଘର ଭିତରେ । କେବଳ ବର୍ଷା କୁ ନିଜ ଦେହରେ ଅନୁଭବ କରିବାକୁ, ଅଗଣା କୁ ବାହାରି ଆସେ ଲେଞ୍ଚୋ । ପୁଣି ଘର ଭିତରକୁ ପ୍ରବେଶ କରି ପତ୍ନୀ ପାଖରେ ଆକାଶ ରୁ ଖସୁଥିବା ଜଳବିନ୍ଦୁ ସବୁ କୁ, ସାଧାରଣ ବର୍ଷା ଜଳ ବିନ୍ଦୁ ରୁ ଅଧିକ ମୂଲ୍ୟବାନ୍ ବୋଲି କହେ ।  ଜଳବିନ୍ଦୁ ସବୁର ମୂଲ୍ୟ ମୁଦ୍ରାସବୁ ର ମୂଲ୍ୟ ରୁ କମ୍ ନୁହଁ କହି, ବଡ ସବୁ ବର୍ଷା ବିନ୍ଦୁ କୁ ଦଶ ସେଣ୍ଟ୍ ଓ ଛୋଟ ସବୁ ଜଳବିନ୍ଦୁ କୁ ପାଞ୍ଚ ସେଣ୍ଟ୍ ର ମୂଲ୍ୟ ସହିତ ସମାନ ବୋଲି ସ୍ପଷ୍ଟ କରେ   ଲାଟିନ୍ ଆମେରିକୀୟ ଦେଶ ସବୁ ରେ ଏହି ସବୁ ମୁଦ୍ରା ପ୍ରଚଳିତ ହେବା ଦେଖାଯାଏ 

            ବର୍ଷା ର ପରଦା ରେ ଢାଙ୍କି ହୋଇଥିବା ଫୁଲ ଭରା ମକା କିଆରୀକୁ ଦେଖି, ମନେମନେ ଲେଞ୍ଚୋ ଅତ୍ୟନ୍ତ ଖୁସି ହୋଇଯାଏ । ହେଲେ, ଅଚାନକ ତା ଖୁସି ର ଏକ ପ୍ରକାର ପରିସମାପ୍ତି ଦେଖାଦିଏ ।  ଆକାଶ ରୁ ବଡ କୁଆପଥର ସବୁ ବୃଷ୍ଟିପାତ ହେବା ସହିତ, ଝଡ ପବନ ବହିବାରେ ଲାଗେ  ରୌପ୍ୟ ମୁଦ୍ରା ସମ ପ୍ରତୀତ ହେଉଥିବା କୁଆପଥର ସବୁ, ଲେଞ୍ଚୋ ର ଛୋଟ ପିଲାମାନଙ୍କ ମନରେ କୌତୁହଳ ସୃଷ୍ଟି କରିବସିଥିବାରୁ, ବିପଦ କୁ ଖାତିର ନ କରି ଖୋଲା ଆକାଶ ତଳେ  ମୁକୁତା ସଦୃଶ ଆଖିକୁ ଦୃଶ୍ୟମାନ ହେଉଥିବା ସେହି କୁଆପଥର ସବୁକୁ, ଗୋଟାଇବାରେ ସେମାନେ ବ୍ୟସ୍ତ ରହନ୍ତି

            “ଏ କୁଆପଥର ସଂପୂର୍ଣ୍ଣ ଫସଲ କୁ ନଷ୍ଟ କରିଦେବ”- ଲେଞ୍ଚୋ ମନେମନେ ଭାଙ୍ଗିପଡି ନିଜକୁନିଜେ କହିଚାଲୁଥାଏ । “ଏ କରକାପାତ ଅଧିକ ସମୟ ଧରି ଆଉ ରହିବ ନାହିଁ ”- ଲେଞ୍ଚୋ ପୁଣି ଥରେ ନିଜକୁ ନିଜେ ପ୍ରବୋଧନା ଦେଉଥାଏ । ହେଲେ, ଲେଞ୍ଚୋ ର ଏହି ଆଶ୍ଵାସନା ମିଛ ପାଲଟିଯାଏ । ପାଖାପାଖି ଘଣ୍ଟାଏ କାଳ ପର୍ଯ୍ୟନ୍ତ ଲଗାତର ଭାବେ କୁଆପଥର ବୃଷ୍ଟି ଚାଲୁରହେ   ଯେତେବେଳେ କରକାପାତ ଥିମି ଯାଏ, ସେହି ପାର୍ବତ୍ୟାଞ୍ଚଳ ର ଚତୁର୍ଦିଗ ରେ, ମକା କିଆରି ସବୁରେ, ଘର ର ଛାତ ଉପରେ ଓ ବଗିଚା ର କୋଣ ଅନୁକୋଣ ରେ, କେବଳ ବରଫ ସବୁ ଛାଇ ହୋଇ ରହିଥିବା ଦୃଶ୍ୟମାନ ହୁଏ । ଲେଞ୍ଚୋ ର ମକା କିଆରି ସାରା କୁଆପଥର ଭରିହୋଇରହିଥିବାରୁ, ଲୁଣ ଯେମିତି ବିଞ୍ଚିହୋଇ ରହିଥିଲା ଭଳି ମନେହୁଏ

            ଫୁଲ ଫଳ ର କଥା ଦୂରେ ଥାଉ, କୂଆ ପଥର ବୃଷ୍ଟି ଯୋଗୁଁ ପତ୍ର ଖଣ୍ଡେ ମଧ୍ୟ ମକା ଗଛ ରେ ତିଷ୍ଠି ରହିପାରେ ନାହିଁ । ପ୍ରକୃତି ତା ପାଇଁ ବଇରୀ ସାଜିବ ବୋଲି ଲେଞ୍ଚୋ କୁ ଜଣା ବି ନ ଥିଲା ।  କିଆରି ର ଶସ୍ୟ ସବୁ କୁ ଏକା ଥରକରେ କୁଆ ପଥର ନଷ୍ଟ କରିଦେଇଗଲା । ଲେଞ୍ଚୋ ର ଅନ୍ତର ଆତ୍ମା ବିଳପି ଉଠେ ।  ତା ହୃଦୟ ଭିତରେ ଅକୁହା ଦୁଃଖ ଜମାଟ ବାନ୍ଧିବସେ । ଝଡ ବର୍ଷା ଥିମିଗଲା ପରେ, କ୍ଷେତ ମଝିରେ ଛିଡା ହୋଇ, ତା ପୁଅ କୁ ଦୁଃଖିତ ହୋଇ ହୃଦୟ ଖୋଲି, ତା ଛାତି ଭିତରେ ଭରି ରହିଥିବା ଅକୁହା କାହାଣୀ କହେ । ପଙ୍ଗପାଳ ସବୁ ଖାଇଗଲେ ବି ଏତିକି ମାତ୍ରା ରେ ଶସ୍ୟ ନଷ୍ଟ ହୋଇନଥାଏ ବୋଲି, ଲେଞ୍ଚୋ ତା' ଛତି ଭିତର ର ଅକୁହା କାହାଣୀ କହିବସେ  କରକା ପାତ ସବୁକିଛି ନେଇ ଚାଲିଗଲା କିଛି ବି ଛାଡିଦେଲା ନାହିଁ । ସବୁ ପରିଶ୍ରମ ବୃଥା ହୋଇଯାଇଛି ଓ ଏ ବର୍ଷ ଭୋକ ଉପାସ ରେ ଦିନ କାଟିବାକୁ ପଡିବ ବୋଲି, ଲେଞ୍ଚୋ ପୁଅ ସମ୍ମୁଖ ରେ ହୃଦୟ ଖୋଲିବସେ ।  ସେହି ରାତ୍ରି ଟି ତା ପାଇଁ ଖୁବ ଦୁଃଖଦାୟକ ହୋଇ ଉଠେ, କାରଣ ସାହାଯ୍ୟ ପ୍ରାପ୍ତ କରିବାକୁ ମଧ୍ୟ ସେହି ଭୂଖଣ୍ଡ ରେ ପଡୋଶୀ ବୋଲି ତାର କେହି ନାହାନ୍ତି  ଅନ୍ତରେ ଓ ବାହାରେ, ସେ ଏକା ହୋଇଗଲା ବୋଲି ମନ ମଧ୍ୟ ରେ ଚିନ୍ତା କରିବସେ ।

            ହେଲେ, ନିଛାଟିଆ ଅଞ୍ଚଳରେ ରହୁଥିବା ଲେଞ୍ଚୋ ର ଏକ ମାତ୍ର ଘରେ, ବାସ କରୁଥିବା ସମସ୍ତଙ୍କ ହୃଦୟ ମଧ୍ୟରେ ଇଶ୍ଵର ଆଶା ଓ ଭରସା ପ୍ରତି, ଆସ୍ଥା ବଳବତ୍ତର ଭାବେ ଦେଖାଦିଏ ।

            “ନିରାଶ ହେବା ନାହିଁ-ଯଦି ବି ସବୁକିଛି ଚାଲିଯାଇଛି”-ବୋଧ ଦେବା ଉଦ୍ଦେଶ୍ୟରେ ପରିବାରର ଜଣେ କେହି  ଭରସା ଭରା କଥା କହିବସେ । “ହଁ, ଭୋକ ରେ କେହି ମରିନାହାନ୍ତି”-ପରିବାରର ଅନ୍ୟ ଏକ ସଦସ୍ୟ ସ୍ଵାନ୍ତନା ପ୍ରଦାନ କରିଚାଲେ ।  କିଛି ନ ହେଲେ ଭିକ ମାଗି ବଞ୍ଚି ପାରିବା ର ଭରସା ଭଳି ଭାବନା ରେ, ଲେଞ୍ଚୋ ର ପରିବାର ର ସଦସ୍ୟ ସମସ୍ତେ ନିଜ କୁ ବୋଧ ଦେଇ ଚାଳନ୍ତି ।

            ରାତ୍ରି ରେ ଲେଞ୍ଚୋ କୁ ନିଦ ଆସେ ନାହିଁ ବୋଲି କେବଳ ଈଶ୍ଵରଙ୍କୁ ମନେପକେଇବସେ ସେ  ଇଶ୍ଵର ଦୟାମୟ । ସାରା ସଂସାର କୁ ସେ ପରିତ୍ରାଣ କରୁଥିବା କଥା କାହାକୁ ଅଜଣା ?  ମନ ଭିତରେ ଥିବା ଭାବନା କୁ ଧରିପାରୁଥିବା ସେହି ଇଶ୍ଵର, ଲେଞ୍ଚୋ ର ମଧ୍ୟ ମନକଥା ଜାଣିପାରୁଥିବେ ବୋଲି ତା' ଭିତରେ ବିଶ୍ଵାସ ଜାଗିଉଠେ ନିଜ କ୍ଷେତ ରେ ଗାଈ ବଳଦ ଭଳି କଠିନ ପରିଶ୍ରମ କରି, ତା ପରିବାର ପୋଷଣ କରୁଥିବା ଲେଞ୍ଚୋ ର କଥା ଈଶ୍ଵରଙ୍କୁ ନିଶ୍ଚିତ ଜଣାହେବ ବୋଲି, ଲେଞ୍ଚୋ ମନକୁମନ ଭାବିବସେ । କ୍ଷେତ ରେ କାମ କରି ପରିବାର ପ୍ରତିପୋଷଣ କରୁଥିଲେ ମଧ୍ୟ, ଲେଞ୍ଚୋ କୁ କିଞ୍ଚିତ୍ ଭାବେ ଲେଖିବା ପଢିବା ଜଣା ଥାଏ ।  ତେଣୁକରି, ପରବର୍ତ୍ତୀ ରବିବାର ଦିନ, ଠିକ୍ ପ୍ରଦୋଷ ସମୟରେ, ସକାଳ ପାହିଗଲା ପରେପରେ ଶୁଭ ସମୟ ଦେଖି, ସେ ଈଶ୍ଵରଙ୍କ ନିକଟକୁ ଚିଠି ଖଣ୍ଡେ ଲେଖିବସେ ।  ତା ପରେ ଲେଖିଥିବା ଚିଠି ଟି କୁ ସାଥିରେ ନେଇ ସହର ଚାଲିଯାଏ । ଲେଞ୍ଚୋ ର ଗୁହାରି ଭରା ଈଶ୍ଵରଙ୍କ ପ୍ରତି, ଏ କେବଳ ଚିଠି ଟିଏ ମାତ୍ର ।

            ଚିଠି ରେ ସେ ଲେଖିବସେ -ହେ ସଂସାର ପାଳନକାରୀ ଇଶ୍ଵର, ଆପଣଙ୍କ ସାହାଯ୍ୟ ଓ ସହଯୋଗ ବିନା ପରିବାର ସହିତ ମୋତେ, ଏ ବର୍ଷ ଅନାହାର ରେ ବଞ୍ଚିବାକୁ ହେବ କାରଣ ପ୍ରକୃତି ର ତାଣ୍ଡବ ଲୀଳା ରେ, ମୋ କ୍ଷେତ ର ସମସ୍ତ ଫସଲ କୁଆପଥର ବୃଷ୍ଟି ଯୋଗୁଁ ନଷ୍ଟ ହୋଇଯାଇଛି । ତେଣୁକରି ମୁଁ ଲେଞ୍ଚୋ, ଆପଣଙ୍କ ନିକଟରୁ ମାତ୍ର ଶହେ ପେସୋ ର ସାହାଯ୍ୟ ପ୍ରାପ୍ତ କରିବା ଉଦ୍ଦେଶ୍ୟରେ, ଦୟନୀୟ ଭାବେ ଆପଣଙ୍କୁ ଚିଠି ମାଧ୍ୟମରେ ଜଣାଉଅଛି । ଆପଣଙ୍କ ଅନୁଗ୍ରହ ଲାଭ କଲେ, ଏହି ଅର୍ଥ ରେ ଏ ବର୍ଷ ପରିବାର ର ପ୍ରତିପୋଷଣ ସହିତ,  ଆର ବର୍ଷ କ୍ଷେତରେ ମଞ୍ଜି ବୁଣିବା ପର୍ଯ୍ୟନ୍ତ କୌଣସି ଅସୁବିଧା ଆଉ ଦେଖାଦେବ ନାହିଁ । ଲେଞ୍ଚୋ ର ଗୁହାରି କୁ ଗ୍ରହଣ କରିବା ହୁଅନ୍ତୁ ।  ଇତି, ଲେଞ୍ଚୋ ।

            ଚିଠି ଟି କୁ ଲେଖିସାରି ଯତ୍ନ ର ସହିତ ଭାଙ୍ଗି, ଖୋଳ ଭିତରେ ଭର୍ତ୍ତି କରି, ଉପରେ ପ୍ରାପ୍ତେଷୁ, ଇଶ୍ଵର ଲେଖିବସେ ଲେଞ୍ଚୋ । ତଥାପି, ନାନା ପ୍ରକାର ର ଅଜଣା ଭାବନା ରେ ଛନ୍ଦି ହୋଇ, ସେ ଚିଠି ଟି କୁ ନେଇ ସହର ଚାଲିଯାଏ । ଡାକ ଘରେ ଚିଠି ଉପରେ ଟିକଟ ଲଗେଇବା ପରେ, ବାକ୍ସ ଭିତରେ ଯତ୍ନର ସହିତ ଭର୍ତ୍ତି କରି  ଘରକୁ ଫେରିଆସେ

            ଡାକ ଘରେ, ଡାକ ବାଲା ଚିଠି ସବୁ କୁ ଦେଖୁଁଦେଖୁଁ, ଈଶ୍ଵରଙ୍କ ଠିକଣା ଥିବା ଲେଞ୍ଚୋ ର ଚିଠି ଉପରେ ଦ୍ରୁଷ୍ଟି ପଡିବାରୁ ଠୋଠୋ ହସିବସେ । ସାହାଯ୍ୟକାରୀ ଭାବେ ମଧ୍ୟ ସହଯୋଗ ପ୍ରଦାନ କରୁଥିବା ଏହି ଡାକ ବାଲା ଜଣକ, ଡାକ ଘର ର ଡାକ ବାବୁ ଙ୍କୁ ଚିଠି ଟି କୁ ନେଇ ଦେଖାଇବସେ । ଡାକ କାର୍ଯ୍ୟାଳୟ ରେ ଡାକ ବାବୁ ଭାବେ ଦାୟିତ୍ଵ ତୁଲାଉଥିବାର ଲମ୍ବା ସମୟ ମଧ୍ୟ ରେ, ଈଶ୍ଵରଙ୍କ ଠିକଣା ବହନ କରିଥିବା କୌଣସି ଚିଠି, ତାଙ୍କର ହସ୍ତଗତ ହେବା ହୋଇନଥିଲା । କିନ୍ତୁ, ଏହି ଡାକ ବାବୁ ଜଣକ କୋମଳ ହୃଦୟ ର ବ୍ୟକ୍ତି ବିଶେଷ ହୋଇଥିବାରୁ, ଅନ୍ୟର ଭାବନା କୁ ପରଖିବାର ଶକ୍ତି ତାଙ୍କ ପାଖରେ ଭରିରହିଥିଲା । ଚିଠି ଟି ର ଠିକଣା ତାଙ୍କୁ ବି ହସିବାକୁ ବାଧ୍ୟ କରିଥିଲେ ମଧ୍ୟ, ଅଳ୍ପ ସମୟ ଭିତରେ ପ୍ରକୃତିସ୍ଥ ହୋଇଯାଇଥିଲେ ସେ   ତାଙ୍କ ଭିତରେ ଏକ ପ୍ରକାର ଆଲୋଡନ ସୃଷ୍ଟି ହେଉଥିଲା । ପରବର୍ତ୍ତୀ ମୁହୂର୍ତ୍ତରେ ସେ ଲେଞ୍ଚୋ ର ଈଶ୍ଵରଙ୍କ ଉପରେ ଥିବା ପ୍ରଗାଢ ବିଶ୍ଵାସ ଓ ଚିଠି ମାଧ୍ୟମରେ ଈଶ୍ଵରଙ୍କ ସହିତ ଯୋଗାଯୋଗ କୁ ତାରିଫ କରିବସନ୍ତି ଓ ନିଜ ଭିତରେ ମଧ୍ୟ ଲେଞ୍ଚୋ ଭଳି ବିଶ୍ଵାସ କୁ, ପ୍ରାପ୍ତ କରିବାକୁ ଇଚ୍ଛା ପ୍ରକାଶ କରନ୍ତି

            ଇଶ୍ଵରଙ୍କ  ଉପରେ ଆସ୍ଥା ପ୍ରକଟ କରିଥିବା ଲେଞ୍ଚୋ ର ଏହି ପ୍ରଗାଢ ବିଶ୍ଵାସକୁ କ୍ଷୁର୍ଣ୍ଣ ନ କରିବାକୁ, ଡାକ ବାବୁ ଜଣକ ଏକ ଯୋଜନା ବିଷୟରେ ଚିନ୍ତା କରନ୍ତି । ଶେଷରେ ଲେଞ୍ଚୋ ର ଚିଠି ର ଜବାବ ଦେବାକୁ ସିଦ୍ଧାନ୍ତ ନିଅନ୍ତି ସେ ହେଲେ, ଚିଠି ଖୋଲି ପଢିସାରିଲା ବେଳକୁ ତାଙ୍କୁ ଅବଗତ ହେବାକୁ ହେଲା ଯେ, ହିତୈଷୀ ଭାବେ କେବଳ କାଗଜ କଲମ ର ଜବାବ ଲେଞ୍ଚୋ ପାଇଁ ଯଥେଷ୍ଟ ନଥିଲା । ଲେଞ୍ଚୋ କୁ ଅର୍ଥ ର ଆବଶ୍ୟକତା ରହିଥିଲା । ଡାକ ବାବୁ କିନ୍ତୁ ତାଙ୍କ ଚିନ୍ତା ରେ ଅଟଳ ରହି, ଲେଞ୍ଚୋ ପାଇଁ ଅର୍ଥ ବ୍ୟବସ୍ଥା କରିବାକୁ ଉଦ୍ୟମ କଲେ କର୍ମଚାରୀଙ୍କୁ ଏହି ମହାନ୍ କର୍ମ ପାଇଁ ସହଯୋଗ କରିବାକୁ କହିଲେ ନିଜ ଦରମା ର କିଛି ଅଂଶକୁ ଲେଞ୍ଚୋ ପାଇଁ ରଖି, ସାଙ୍ଗ ମାନଙ୍କ ପାଖରୁ ମଧ୍ୟ ସାହାଯ୍ୟ ଲୋଡିବସିଲେ । ଡାକ ବାବୁ ଜଣକ କୋମଳ ହୃଦୟ ର ପରିଚୟ ଦେଇ, ଲେଞ୍ଚୋ ପାଇଁ ଏକ ବିରାଟ୍ ପଦକ୍ଷେପ ଗ୍ରହଣ କଲେ ଲେଞ୍ଚୋ ଆଉ ଏକା ନୁହଁ, ତା ସାଥିରେ ଡାକ ବାବୁ ଜଣକ ମଧ୍ୟ ଅଛନ୍ତି, ହିତୈଷୀ ଭାବେ

            ହେଲେ, ଏତେ ବଡ ରକମ ଯୋଗାଡ କରିବା, ଡାକ ବାବୁଙ୍କ ପ୍ରତି ସହଜ ନ ଥିଲା ।  ଲେଞ୍ଚୋ ଯେଉଁ ରକମ ଈଶ୍ଵରଙ୍କ ପାଖରୁ ପାଇବାକୁ ଚିଠି ଲେଖିଥିଲା, ତା ର ଅଧା ରୁ କିଛି ଅଧିକ ଯୋଗାଡ କରି ଡାକ ବାବୁ, ଖଣ୍ଡେ ଲିଫାଫା ଭିତରେ ଯତ୍ନ ର ସହିତ ସେସବୁକୁ ଭର୍ତ୍ତି କରି, ଉପରେ ପ୍ରାପ୍ତେଷୁ, ଲେଞ୍ଚୋ ଲେଖି ପ୍ରେରକ ପାର୍ଶ୍ଵରେ ଏକ ମାତ୍ର ଶବ୍ଦ ଇଶ୍ଵର ଲେଖିଦିଅନ୍ତି ।

            ଈଶ୍ଵରଙ୍କ ଉପରେ ଭରସା ରଖିଥିବା ଲେଞ୍ଚୋ, ପରବର୍ତ୍ତୀ ରବିବାର ସଅଳ ଡାକ ଘର କୁ ଚାଲିଯାଏ ଓ ନିଜ ନାମ ରେ କୌଣସି ଚିଠି ଆସିଛି କି ବୋଲି ଅନୁସନ୍ଧାନ କରିବସେ । ଡାକ ବାଲା ଜଣକ ଲେଞ୍ଚୋ କୁ ଚିଠି ବଢାଇଦେଉଥିବା ବେଳେ, ମେଜ ସମ୍ମୁଖ ରେ ବସି ରହି ଡାକ ବାବୁ,ଯିଏ ଲେଞ୍ଚୋ ପ୍ରତି ଏକ ପ୍ରକାର ମହାନ୍ କର୍ମ କରିବସିଥିଲେ, ତା ମୁହଁ ର ପ୍ରତି ଟି ପ୍ରସନ୍ନତା କୁ ଅନ୍ତର ଭିତରେ ଅନୁଭବ କରୁଥିଲେ  

            ଅପର ପକ୍ଷରେ, ଲିଫାଫା ଭିତରେ ଲେଞ୍ଚୋ ଅର୍ଥ ଦେଖି ମଧ୍ୟ, ସେ ନିଜ ଭିତରେ ଆଶ୍ଚର୍ଯ୍ୟ ହୋଇନାହିଁ । ସେ ଈଶ୍ଵରଙ୍କ ଉପରେ ଦୃଢ ବିଶ୍ଵାସ ରଖିଥିବାରୁ, ଅର୍ଥ ଲାଭ କରିବାରେ କୌଣସି ବିଚିତ୍ରତା ନାହିଁ ବୋଲି ବିଚାର କରେ ତାର ଅଟଳ ବିଶ୍ଵାସ ଫଳବତୀ ହୋଇଛି ବୋଲି ଭାବିନିଏ ଲେଞ୍ଚୋ  ହେଲେ, ଲିଫାଫା ଖୋଲି ଯେତେବେଳେ ସେ ଗଣିବସିଛି, ତା ମୁହଁ ରେ ଭ୍ରୂକୁଞ୍ଚନ ସୃଷ୍ଟି ହୋଇଛି । ଈଶ୍ଵରଙ୍କୁ କରିଥିବା ଗୁହାରି ଓ ତାଙ୍କ ନିକଟରୁ ପ୍ରାପ୍ତ କରିଥିବା ଅର୍ଥ ଭିତରେ, କିଛି ତାଳମେଳ ରହୁ ନ ଥିବା ସେ ଲକ୍ଷ୍ୟ କରିଛି । ଅପର ପକ୍ଷ ରେ ଇଶ୍ଵର ତ୍ରୁଟି କରିବେ ବୋଲି, ତା ମନ ମାନେ ନାହିଁ । ପୁଣି, ଇଶ୍ଵର ତା ଗୁହାରି କୁ ପ୍ରତ୍ୟାଖ୍ୟାନ କରିବେ ନାହିଁ ବୋଲି ମଧ୍ୟ, ସେ ତା ମନ ଭିତରେ ସିଦ୍ଧାନ୍ତ ନିଏ ଓ କୌଣସି ଏକ ଭାବନା ରେ ବେଳକୁବେଳ ଛନ୍ଦି ହୋଇଯାଏ ।

            ସମୟ ନଷ୍ଟ ନ କରି, ଲେଞ୍ଚୋ ଡାକଘର ର ଝରକା ନିକଟକୁ ଚାଲିଯାଏ ଓ କଲମ ସହିତ କାଗଜ ଖଣ୍ଡେ ପାଇବାକୁ କହେ । ମେଜ ଉପରେ ଯେତେ ସମ୍ଭବ ଭ୍ରୁକୁଞ୍ଚିତ ମୁହଁ ନେଇ, ତା ମନ ର ଭାବନା କୁ ସେହି କାଗଜ ଖଣ୍ଡିକ ଉପରେ ସେ ଯଥାସାଧ୍ୟ ରୂପ ଦେଇବସେ । ଆଉ, ଯେତେବେଳେ ଚିଠି ଟି ଲେଖିବା ସମାପ୍ତ କରେ, ତାକୁ ଲିଫାଫା ଭିତରେ ଭର୍ତ୍ତି କରି, ଖଣ୍ଡେ ଡାକ ଟିକଟ କିଣି ହାଲ୍କା ଭାବରେ ଜିଭ ରେ ଘଷି, ତା ଉପରେ ମୁଷ୍ଟିଘାତ ମାଧ୍ୟମରେ ସଂଲଗ୍ନ କରେ । ଠିକ୍ ଯେମିତି ଲେଞ୍ଚୋ ଚିଠି ଟି କୁ ଡାକ ବାକ୍ସ ଭିତରେ ଭର୍ତ୍ତି କରିଦିଏ, କୌତୁହଳ ରେ ବଶ ହୋଇ ଡାକ ବାବୁ ଜଣକ କାଳ ବିଳମ୍ବ ନ କରି, ଚିଠି ଟି କୁ ଉଦ୍ଧାର କରି ନେଇଆସନ୍ତି ଓ ଲିଫାଫା ଖୋଲି ଲେଞ୍ଚୋ ର ହାତ ଲେଖା ଚିଠି ଟି କୁ ପଢିବାରେ ବ୍ୟସ୍ତ ରହନ୍ତି । ଲେଞ୍ଚୋ ଲେଖେ- ହେ ଦୟାମୟ, ମୁଁ ଯେଉଁ ଶହେ ପେସୋ ର ସାହାଯ୍ୟ ଆପଣଙ୍କ ନିକଟରୁ ଲୋଡିବସିଥିଲି, ତା ମଧ୍ୟରୁ କେବଳ ମାତ୍ର ସତୁରୀ ପେସୋ ମୋ ନିକଟକୁ ପହଞ୍ଚିପାରିଛି ତେଣୁକରି, ଅନୁଗ୍ରହ କରି  ନିହାତି ଦରକାର ମନେହେଉଥିବା ବାକି ପେସୋ ସବୁକୁ, ମୋତେ ପଠେଇଦିଅନ୍ତୁ ହେଲେ, ଡାକ ଘର ମାଧ୍ୟମ ରେ ନ ପଠେଇ ସିଧା ସଳଖ ମୋ ଘର ଠିକଣା ରେ ପଠେଇଦେବା ହୁଅନ୍ତୁ କାରଣ, ଏହି ଡାକ ଘରେ କାମ କରୁଥିବା ସମସ୍ତ କର୍ମଚାରୀ ମାନେ ଖଚୁଆମିଛୁଆ ପ୍ରକୃତିର ଲୋକେ । ଇତି, ଲେଞ୍ଚୋ । 

READ OUR  OTHER POSTS

1.    ମଙ୍ଗଲେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

2.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

3.    ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

4.    ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

5.    ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

6.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

7.    କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

8.    ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

9.    ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

10.    କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

11.    କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

12.    ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

13.    କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

14.    ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

15.    ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

16.    ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

17.    ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର

18.    ଛନ୍ଦ -CLASS-X- ସରଳ ବ୍ୟାଖ୍ୟା

19.    ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା

20.    ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା

21.    The Road Not Taken- CLASS-IX- An analytical description in English

22.    The Ant and The Cricket- CLASS-VIII- An analytical description in English

23.    Squirrel- CLASS-VII- An analytical description in English

24.    ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

25.    How the camel got his hump- CLASS-VIII- An analytical description in English

26.    THE LOST CHILD- CLASS-IX- An analytical description in English

27.    କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା

28.    Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ

29.    Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ

30.    THE FUN THEY HAD- CLASS-IX- An analytical description in English

31.    A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ

32.    FIRE AND ICE- CLASS-X- An analytical description in English

33.    ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା

34.    DUST OF SNOW- CLASS-X- An analytical description in English

35.    A LETTER TO GOD-CLASS-X- An analytical description in English

36.    ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର

37.    ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

38.    ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

39.    ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

40.    ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

41.    ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

42.    ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର

43.    ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା



- M. B. Prasad.

copyright© 2023 M. B . Prasad, ABC Learning Point.

 All rights reserved.

No part of this publication may be  reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.

ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ  ଖବର କରିବେ ବୋଲି ଆଶା ରଖୁଛୁ ।

Write us at pointabclearning@gmail.com

*****



Comments