Jaga bandhana hara-ଜାଗ ବନ୍ଧନ ହରା-CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
ଜାଗ ବନ୍ଧନ ହରା
-ଅନନ୍ତ ପଟ୍ଟନାୟକ
ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ ।ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ, ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ ।
Analysed By-M.B. Prasad.
ପୂର୍ବାଭାସ:-
ମାର୍କ୍ସବାଦୀ ଚିନ୍ତାଧାରା ଦ୍ଵାରା ପ୍ରଭାବିତ କବି ଅନନ୍ତ ପଟ୍ଟନାୟକ ଓଡିଆ ଭାଷା ସାହିତ୍ୟ ର ଏକ ଅଦ୍ଵିତୀୟ ସ୍ରଷ୍ଟା । ଏହି ବିପ୍ଳବୀ କବିଙ୍କ ଜନ୍ମ ହୁଏ ଖୋର୍ଦ୍ଧା ଜିଲ୍ଲା ର ଚଣାହାଟ ଗ୍ରାମ ରେ । " ଅବାନ୍ତର " କବିତା ପୁସ୍ତକ ପାଇଁ କେନ୍ଦ୍ର ସାହିତ୍ୟ ଏକେଡେମୀ ଦ୍ଵାରା ପୁରଷ୍କୃତ ହୋଇଥିବା ଏହି କବି ଶ୍ରେଣୀ ହୀନ ଓ ଶୋଷଣ ମୁକ୍ତ ଏକ ସମାଜ ଗଢିବାର ସପ୍ନ ଦେଖିଥିଲେ ବୋଲି ତାଙ୍କର କବିତା କହେ । ଛ।ତ୍ର ଜୀବନରୁ ସାହିତ୍ୟ ଓ ରାଜନୀତି କ୍ଷେତ୍ର ପ୍ରତି ଆସକ୍ତି ଜନ୍ମାଇଥିବା ଏହି ଆଧୁନିକ ସ୍ରଷ୍ଟା " ନବଯୁଗ ସାହିତ୍ୟ ସଂସଦ " ର ସମ୍ପାଦକ ଥିଲେ ।
ରକ୍ତଶିଖା , ଛାଇ ର ଛିଟା ଓ ଅଲୋଡା ଲୋଡା ତାଙ୍କର ବିଶିଷ୍ଟ କୃତି ସମୂହ ।
କବିଙ୍କ ବିଷୟରେ ଅଧିକ ଜାଣିବା ଲାଗି -
୧. ସମ୍ପର୍କିତ ପୁସ୍ତକ କୁ ପ୍ରଥମେ ମନ ଲଗେଇ ପଢିବା ଉଚିତ୍ ।
୨. ଛାତ୍ର /ଛାତ୍ରୀଙ୍କ କ୍ଷେତ୍ର ରେ ଅବିଭାବକ ଓ ଶିକ୍ଷକଙ୍କ ନିକଟରୁ ଏ ବିଷୟରେ ଶୁଣିନେବା ଯଥୋଚିତ ।
୩. ଅଧିକ ଜ୍ଞାନଲିପ୍ସୁ ହେବାକୁ ଯତ୍ନତା ର ସହିତ ବୈଷୟିକ ବିଜ୍ଞାନ ଉପରେ ନିର୍ଭର କରିବାକୁ ହେବ ।
୪. କବିଙ୍କ ଆତ୍ମଜୀବନ ସମ୍ୱନ୍ଧୀୟ ପୁସ୍ତକ ଓ କୃତି ସମୂହ ପଢିବା ଅତ୍ୟାବଶ୍ୟକ ।
କବିତା ର ପୃଷ୍ଠଭୂମି :-
ତରୁଣ ଗୋଷ୍ଠୀ ସମାଜ ର ଆଶା ଓ ଭରସା । ସେମାନେ ସମାଜ ର ସଂସ୍କାରକ । ସୁଖ ସମୃଦ୍ଧି ଭରା ସମାଜ କେବଳ ଏହି ଯୁବଗୋଷ୍ଠୀଙ୍କ ଦ୍ଵାରା ହିଁ ସମ୍ଭବ । ଏମାନେ ବନ୍ଧନ ମୁକ୍ତ । ଏମାନେ ସମାଜ ରୁ ଦୁଖ, ଶୋକ ଓ ଗ୍ଳାନି କୁ ପୋଛିଦେଇ ଶୋଷିତ, ଅବହେଳିତ ଓ ନିଷ୍ପେସିତ ପ୍ରାଣସବୁ ର ସାହାଭରସା ହୋଇପାରିବେ । ଏକ ଶୋଷଣ ମୁକ୍ତ ଓ ଶ୍ରେଣୀ ହୀନ ସମାଜ କେବଳ ଏମାନଙ୍କ ଦ୍ଵାରା ହିଁ ସମ୍ଭବ । ଏମାନଙ୍କର କଠୋର ଉଦ୍ୟମ ସମାଜ ରୁ ଜାତି, ଧର୍ମ, ବର୍ଣ୍ଣ , ସମ୍ପ୍ରଦାୟ କୁ ଦୂର କରି ଏକ କଳଙ୍କହୀନ ସମାଜ ର ଗଠନ ର ସପ୍ନ କୁ ସାକାର କରିପାରିବ ।
କବିତା ର ପଂକ୍ତି ସମୂହ ର ସାଧାରଣ ଆଂଶିକ ବିଶ୍ଳେଷଣ:-
ନବୀନ ଯୁଗର ତରୁଣ ଜାଗ ରେ
ଜାଗ ବନ୍ଧନ ହରା,
ବକ୍ଷ ଶୋଣିତେ ଲକ୍ଷ ଜୀବନେ
ଖେଳାଅ ଅମୃତ ଧାରା .
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଜାଗ- ଚେଇଁ ଉଠ
ତରୁଣ- ଯୁବକ
ବକ୍ଷ- ଛାତି
ଶୋଣିତେ- ରକ୍ତ ରେ
କବି ଓ କଳା:-
ହେ ନବୀନ ଯୁଗର ଯୁବ ଗୋଷ୍ଠୀ ତୁମେ ଜାଗ୍ରତ ହୁଅ । ତୁମ ଜୀବନ ବନ୍ଧନ ମୁକ୍ତ । ତୁମେ କଳୁଷିତ ସମାଜ ରେ ସଂସ୍କାରକ ସଦୃଶ । ତୁମେ ସମାଜ ର ପଥ ପ୍ରଦର୍ଶକ । ତେଣୁକରି, କର୍ମ ପଥ ରେ ଦୁଖ କଷ୍ଟ କୁ ଅଙ୍ଗେ ଘେନି ଛାତି ପତେଇ ସବୁକୁ ସହ୍ୟ କରି, ଲକ୍ଷ ଲକ୍ଷ ନୈରାଶ୍ୟ ର ଅମା ଅନ୍ଧାର ଭରା ଜୀବନରେ ସୁଖର ଆଲୋକ ଖେଳାଇ ଦିଅ ଓ ସେମାନଙ୍କୁ ମଣିଷ ଭାବେ ବଞ୍ଚିବା ପାଇଁ ପଥ ଦେଖାଅ ।
ବର୍ଣ୍ଣନା:-
ଯୁଗ ବଦଳି ଯାଇଛି । ଯୁଗ ସାଥିରେ ସମାଜ ମଧ୍ୟ ବଦଳିଯାଇଛି । ବଦଳିଯାଇଛି ମଣିଷ ର ଜୀବନ ଶୈଳୀ ଓ ବଦଳି ଯାଇଛି ସଂସ୍କୃତି ମଧ୍ୟ । ଏସବୁ ସତ୍ତ୍ୱେ ମଣିଷମଣିଷ ଭିତରେ ଥିବା ଭାବନା ଓ ଭେଦଭାବ ବଦଳି ପାରିନି ଆଜିଯାଏ । ଉଚ୍ଚ ନୀଚ୍ଚ , ଧନୀ ଦରିଦ୍ର , ଶିକ୍ଷିତ ଅଶିକ୍ଷିତ ଆଦି ମଣିଷ ର ଭିନ୍ନ ଭିନ୍ନ ଶ୍ରେଣୀ କୁ ଦେଖିଲେ ମନେହୁଏ ଦେଶ ଯେମିତି ଖଣ୍ଡବିଖଣ୍ଡିତ । ମଣିଷ ମଣିଷ ଭିତରେ ପାର୍ଥକ୍ୟ । ଏକତା ର ଅଭାବ ସାଙ୍ଗକୁ ଭ୍ରାତୃଭାବ ର ଅଭାବ ମଧ୍ୟ ପରିଲକ୍ଷିତ ହେଉଛି । ଆଜି ମଧ୍ୟ ମଣିଷ ଅବହେଳିତ, ଶୋଷିତ, ନିଷ୍ପେସିତ, ଲାଞ୍ଛିତ, ଦୁଃଖ ଜର୍ଜରିତ ଓ ଅପମାନିତ । ଦୁଃଖ, ଶୋକ, ନୈରାଶ୍ୟ, କ୍ଳାନ୍ତି ଓ ଗ୍ଳାନି ଭିତରେ ଆଜି ମଧ୍ୟ ମଣିଷ ଲୁହ ଝରାଇ ଦିନ ବଞ୍ଚୁଛି । ଜାତି, ଧର୍ମ, ବର୍ଣ୍ଣ ର ଭେଦଭାବ ସମାଜ କୁ ଆଜି କଳଙ୍କିତ କରିରଖିଛି । ଏହି କଳଙ୍କିତ ସମାଜ କୁ ଆଜିର ନୂଆ ଯୁଗର ବନ୍ଧନ ମୁକ୍ତ ତରୁଣଗୋଷ୍ଠୀ ଦୋଷ ମୁକ୍ତ କରି ଦଳିତ, ନିଷ୍ପେସିତ ଓ ଅବହେଳିତ ପାଇଁ ଆଶା ଓ ଭରସା ହୋଇ ସେମାନଙ୍କୁ ବଞ୍ଚିବା ର ରାହା ଦେଖେଇପାରିବେ ବୋଲି କବିଙ୍କ ମନ ମଧ୍ୟରେ ଆଶା ଫୁଟିଅଛି ।
ଛିନ୍ନ ହେଉ ରେ ବନ୍ଧନ ରାଜି
କ୍ରନ୍ଦନ ହେଉ ଶେଷ,
ଲୁପ୍ତ ହେଉ ରେ ଜାତି ଉପଜାତି
ଖଣ୍ଡିତ ଶତ ଦେଶ ।
ମହାମାନବ ର ଶଙ୍ଖ ସବଦେ
ଶମୁ ରେ ଦୁଃଖ ଜ୍ୱାଳା
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଛିନ୍ନ ହେଉ- ଛିଣ୍ଡିଯାଉ
ବନ୍ଧନ ରାଜି- ସାମାଜିକ କୁସଂସ୍କାର ସମୂହ
ଲୁପ୍ତ ହେଉ- ଇତି ହେଇଯାଉ, ଶେଷ ହେଇଯାଉ, ଉଭେଇଯାଉ , ସମାପ୍ତ ହେଉ
ଶମୁ ରେ ଦୁଃଖ ଜ୍ୱାଳା- ଦୁଃଖ କଷ୍ଟ ର ପରିସମାପ୍ତି ହେଉ
କବି ଓ କଳା:-
ସମାଜ କୁ ବାନ୍ଧି ରଖିଥିବା ଅନ୍ଧ ନିୟମ ର ରଜ୍ଜୁ କୁ ଛିଣ୍ଡେଇ ଦିଅ ଓ ମଣିଷ ର ବୁକୁଫଟା ଚିତ୍କାର ର ଶେଷ କରିଦିଅ । ଜାତି ଧର୍ମ ଓ ସଂପ୍ରଦାୟ ର ପାଚେରି ଭାଙ୍ଗି ଭାରତୀୟ ମାନଙ୍କୁ ଏକତାର ରଜ୍ଜୁ ରେ ବାନ୍ଧି ସେମାନଙ୍କ ଭିତରେ ଭ୍ରାତୃଭାବ ର ପ୍ରତିଷ୍ଠା କର । ମହାମାନବ ଭାବେ ତୁମେ କର୍ମ ପଥରେ ଜୟକାର ର ଶଙ୍ଖଧ୍ୱନି କରି ଲକ୍ଷ ଲୋକଙ୍କ ଦୁଃଖ ଜ୍ୱାଳା କୁ ହରି ନିଅ ।
ବର୍ଣ୍ଣନା:-
ମଣିଷ ଦୁଃଖ, ଶୋକ ଓ ଗ୍ଳାନି ର ବନ୍ଧନ ରେ ବାନ୍ଧି ହୋଇପଡିଛି । ଲାଞ୍ଛନା, ନୈରାଶ୍ୟ ଓ ଅପମାନ ର ବହ୍ନି ତାକୁ ଦଗ୍ଧ କରିଦେଇଛି । ଘାତ, ପ୍ରତିଘାତ ସହ୍ୟ କରି ନ ପାରି ଭାଙ୍ଗିପଡିଛି ସୃଷ୍ଟିର ମହାନ ସୃଷ୍ଟି ମଣିଷ ।ଝରିପଡୁଛି ତା' ଆଖିରୁ ଲୁହ । ଛାପି ରଖିଛି ତା' ଛାତି କୁ ବେଦନା ର ପର୍ବତ । ସେମାନଙ୍କ ବୁକୁଫଟା ଚିତ୍କାର ର ଶେଷ କରିବାକୁ ହେବ । ମଣିଷ ର ଏହି ଅବକ୍ଷୟ କୁ ରୋକିବାକୁ ପଡିବ । ଜାତି, ଧର୍ମ ଓ ସମ୍ପ୍ରଦାୟ ର ପାଚେରି ଭାଙ୍ଗିବାକୁ ହେବ । ଖଣ୍ଡ ବିଖଣ୍ଡିତ ହୋଇପଡୁଥିବା ଦେଶ ର ଦେଶବାସୀଙ୍କ ଭିତରେ ଭାତୃଭାବ ସୃଷ୍ଟି କରି ସେମାନଙ୍କ ଭିତରେ ଏକତା ର ଭାବ ସୃଷ୍ଟି କରି ଅଖଣ୍ଡ ଭାରତ ର ଗୌରବ କୁ ରକ୍ଷା କରିବାକ ହେବ । ବନ୍ଧନ ମୁକ୍ତ ତରୁଣ ଗୋଷ୍ଠୀ କୁ ସମାଜ ର ନିଷ୍ପେସିତ, ଲାଞ୍ଛିତ ଓ ଅପମାନିତ ଶ୍ରେଣୀର ସୁରକ୍ଷା କରି ମହା ମାନବ ସାଜି ଶ୍ରେଣୀହୀନ ସମାଜ ର ଗଠନ ର ଦାୟିତ୍ଵ ନେବାକୁ ହେବ । କେବଳ ସେମାନେ ହିଁ କର୍ମ ର ଶୁଭ ଶଙ୍ଖ ବାଦନ କରି ଦୁଃଖ, ଶୋକ, ନୈରାଶ୍ୟ ଓ ଗ୍ଳାନି କୁ ମଣିଷ ଜୀବନରୁ ପୋଛିଦେଇ ପାରିବେ ବୋଲି କବି ଆଶା ବ୍ୟକ୍ତ କରିଛନ୍ତି ।
ମରଣ ଦୁଆରେ ଚରଣ ଅରପି
ଗାଅରେ ଅମର ଗାନ,
ପୋଛିଦିଅ ଆଜି ମାନବ ଶିରଠୁ
ସଞ୍ଚିତ ଅପମାନ,
ଲଂଘି ବନାନୀ ଶୈଳ ସାଗର
ଚୁର ରେ ତିମିର କାରା,
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ଚରଣ ଅରପି- ପାଦ ଥାପି
ଶିରଠୁ- ମଥା ରୁ
ସଞ୍ଚିତ- ରହି ଆସିଥିବା
ଲଂଘି ବନାନୀ ଶୈଳ ସାଗର- ବନ,ପର୍ବତ ଓ ସାଗର କୁ ଅତିକ୍ରମ କରି
ଚୁର- ଭାଙ୍ଗିଦିଅ
ତିମିର କାରା- ଅନ୍ଧାରର ବନ୍ଦୀଗୃହ ବା ଶୋଷଣ,ଅନ୍ୟାୟ, ଅତ୍ୟାଚାର ର ପରିଧି
କବି ଓ କଳା:-
ମୃତ୍ୟୁ ନିଶ୍ଚିତ ମର୍ତ୍ତ୍ୟଭୂବନ ରେ ତୁମେ ଜନ୍ମ ନେଇଛ । ତଥାପି ତୁମକୁ ଜୀବନ ର ଅମର ସଙ୍ଗୀତ ଗାନ କରିବାକୁ ହେବ । ଦୁଃଖୀ ଦରିଦ୍ରଙ୍କ ପ୍ରତି ତୁମର କର୍ମ ମୟ ଜୀବନ ତୁମକୁ ଅମରତ୍ଵ ପ୍ରଦାନ କରିବ । ତୁମେ ମଣିଷ ର ଦୁଖ, ଶୋକ ଓ ତାପ କୁ ପୋଛିଦେଇ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇ ମହାନ୍ ହୋଇ ପଥ ପ୍ରଦର୍ଶକ ହୁଅ । ଚଳା ପଥରେ ବନ, ପର୍ବତ, ସାଗର ସଦୃଶ ପ୍ରତିବନ୍ଧକ ସବୁ କୁ ଖାତିର ନ କରି ଅନ୍ଧକାର ଭରା ସମାଜ ରେ ଆଲୋକ ର ଦୀପ ଜଳାଅ ।
ବର୍ଣ୍ଣନା:-
ମଣିଷ ଥର ଟିଏ ମାତ୍ର ଏହି ବିଶାଳ ବ୍ରହ୍ମାଣ୍ଡ ରେ ସର୍ବ ଶ୍ରେଷ୍ଠ ଜୀବ ଭାବେ ଜନ୍ମ ଲାଭ କରିଥାଏ । ତେଣୁକରି ଏହି ବିବେକବନ୍ତ ମଣିଷ ର ଜନ୍ମ ସଫଳ ହେବା ଉଚିତ୍ । ପର ଦୁଃଖ ରେ ଦୁଖୀ ହୋଇ ନିଜ ଜୀବନକୁ ଧନ୍ୟ ମନେ କରୁଥିବା ଏହି ମଣିଷ କୁ ମୃତ୍ୟୁ ଧାମ ରେ ଜନ୍ମହେଲେ ସୁଦ୍ଧା ତାକୁ ଅମର ହେବାକୁ ପଡିବ । ତାକୁ ମୃତ୍ୟୁ କୁ ପରାଜିତ କରି ଅମର ସଙ୍ଗୀତ ଗାନ କରିବାକୁ ପଡିବ । ଅନ୍ଧ ସମାଜ ର ଅନ୍ଧ ନିୟମ ରେ ବନ୍ଧା ହୋଇ କଷ୍ଟ ଲାଭ କରୁଥିବା କୋଟିଏ ଲୋକଙ୍କ ଆଖିରୁ ଲୁହ ପୋଛି ପାରିଲେ ମଣିଷ ର ଜନ୍ମ ସଫଳ ପ୍ରାୟ ମନେହେବ । ନର ନାରାୟଣ ଙ୍କ ସେବା ହିଁ ମଣିଷ ର ପରମ କର୍ତ୍ତବ୍ୟ । ମଣିଷ ମଣିଷ ଭିତରେ ଥିବା ଜାତି ଧର୍ମ ଆଦି ଭେଦ ଭାବ କୁ ନିଶ୍ଚିହ୍ନ କରି ଶୋଷଣ, ଲାଞ୍ଛନା, ଅପମାନ ଆଦି କୁ ଦୂରେଇଦେଇ ପାରିଲେ ସମାଜ ରେ ସୁଖଶାନ୍ତି ର ପ୍ରଦୀପ ଜଳି ଉଠିବ । କଳଙ୍କିତ ଏହି ସମାଜ ର କଳଙ୍କ କୁ ଦୂର କରିବାକୁ ହେଲେ କର୍ମ ପଥରେ ମଣିଷ କୁ ବନ ପର୍ବତ ସାଗର ସମ ପ୍ରତିବନ୍ଧକ ସବୁ କୁ ସାମ୍ନା କରିବାକୁ ପଡିବ ଓ ବନ୍ଧନ ମୁକ୍ତ ତରୁଣ ଗୋଷ୍ଠୀ ଙ୍କୁ ଆଗକୁ ବଢିବାକୁ ପଡିବ । ସେମାନଙ୍କୁ ସମାଜ ର ଅନ୍ଧ ନିୟମ ର କାରାଗାର କୁ ଭାଙ୍ଗିବାକୁ ପଡିବ । ସେମାନେ ସମାଜ ର ପଥ ପ୍ରଦର୍ଶକ ।
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ମରୁପଥେ ପଥେ ନିର୍ଝର ସୃଜି
ଯାତ୍ରା କର ହେ କର,
ସ୍ପନ୍ଦନ ବହି ଅନ୍ତରେ କୋଟି
ପ୍ରଦୀପ ଉଚ୍ଚେ ଧର ।
ଶଙ୍କିତ ହେଉ କମ୍ପିତ ପ୍ରାଣେ
ଚନ୍ଦ୍ର ତପନ ତାରା
ମରୁପଥେ- ମରୁଭୂମି ଉପରେ ବା ଦୁଃଖ କଷ୍ଟ ଭରା ଜୀବନ ରେ
ନିର୍ଝର ସୃଜି- ନଦୀ ସାଜି ବା ଦୁଖୀ ରଙ୍କି ଙ୍କ ପାଇଁ ଆଶା ର ଆଲୋକ ସାଜି
ଶଙ୍କିତ ହେଉ- ଡରି ଯାଆନ୍ତୁ ବା ଆଶ୍ଚର୍ଯ୍ୟ ହୋଇଯାଆନ୍ତୁ
ତପନ- ସୂର୍ଯ୍ୟ
କବି ଓ କଳା:-
ମରୁଭୁମି ସଦୃଶ ନିଷ୍ପେଷିତ ସମାଜ ରେ ତୁମେ ଆଶା ଓ ଉତ୍ସାହ ର ନିର୍ଝର ସାଜି ବହି ଯାଅ । କୋଟିଏ ଲୋକଙ୍କ ପ୍ରାଣ ଭିତରେ ତୁମେ ବଞ୍ଚିବା ର ଆଶା ସଞ୍ଚାର କର । ତୁମ ଯୋଗୁଁ ଲକ୍ଷ ଲକ୍ଷ ଲୋକେ ସେମାନଙ୍କ ଅନ୍ଧାର ଜୀବନ ଭିତରେ ଆଶା ଓ ଭରସା ର ପ୍ରଦୀପ ଜାଳିପାରିବେ । ସ୍ଵର୍ଗ ରାଇଜ ର ସୂର୍ଯ୍ୟ,ଚନ୍ଦ୍ର ଓ ତାରା ମର୍ତ୍ତ୍ୟ ମଣ୍ଡଳ ର ମାନବ ର ଏତାଦୃଶ ପଣ ଦେଖି କମ୍ପି ଉଠିବେ । ଦେବତା ହୋଇ ସୁଦ୍ଧା ସେମାନେ ଯାହା କରିପାରିନାହାନ୍ତି ଛାର ମଣିଷ ତାହା କରିଦେଇଛି ବୋଲି ସେମାନଙ୍କ ଭିତରେ ଆଶଙ୍କା ଉପୁଜିବ ।
ବର୍ଣ୍ଣନା:-
ଦୁଃଖ ଯାତନା ଓ ନୈରାଶ୍ୟ ର ମରୁଭୁମି ଦେଇ ଗତି କରୁଥିବା ସମାଜ ପାଇଁ ଯୁବଗୋଷ୍ଠୀ ଙ୍କୁ ନିର୍ଝର ହେବାକୁ ପଡିବ । ଲାଞ୍ଛିତ, ଅପମାନିତ ଓ ଶୋଷିତ ପ୍ରାଣରେ ସେମାନଙ୍କୁ ବଞ୍ଚିବାର ରାହା ଦେଖାଇବାକୁ ହେବ । ସେମାନଙ୍କର ନିରାଶା ର ଅମା ଅନ୍ଧାର ଭରା ଜୀବନ ରେ ଅଶାର ଆଲୋକ ଭରା ପ୍ରଦୀପ କୁ ଜଳାଇବାକୁ ପଡିବ । ସେମାନଙ୍କ ର ଭାଜି ପଡିଥିବା ହୃଦୟ ଭିତରେ ବଞ୍ଚିବାର ମୋହ ସୃଷ୍ଟି କରି ସେମାନଙ୍କ ଛାତି ତଳ ର ସ୍ପନ୍ଦନ ହେବାକୁ ପଡିବ । ତଦୁପରେ, ତାଙ୍କର ନୈରାଶ୍ୟ ଭରା ଦୁନିଆ ରେ ଆଶା-ସୂର୍ଯ୍ୟ ର ଉଦୟ ହେବ ବୋଲି କବି ଆଶା ବ୍ୟକ୍ତ କରିଛନ୍ତି । ଦୁଃଖୀ, ଦରିଦ୍ର, ଶୋଷିତ, ନିର୍ଯାତିତ, ଲାଞ୍ଛିତ, ଅପମାନିତ, ଅବହେଳିତ ସମସ୍ତଙ୍କର ମଣିଷ ଭାବେ ଏହି ସଂସାର ରେ ବଞ୍ଚିବାର ଅଧିକାର ଅଛି । ଯୁବଗୋଷ୍ଠୀ ଶ୍ରେଣୀହୀନ ସମାଜ ଗଠନ କରି ସମସ୍ତଙ୍କ ମୁହଁ ରେ ଚେନାଏ ହସ ସୃଷ୍ଟି କରିପାରିବେ ବୋଲି କବି ଆଶାବାଦି । ମର୍ତ୍ତ୍ୟ ପୁର ର ତରୁଣ ଗୋଷ୍ଠୀଙ୍କ ଏହି ମହାନ କର୍ମ କୁ ନିରେଖି ସ୍ଵର୍ଗ ର ସୂର୍ଯ୍ୟ, ଚନ୍ଦ୍ର ଓ ତାରା ମଧ୍ୟ କମ୍ପି ଉଠିବେ । ମଣିଷ ର ମହାନ୍ କର୍ମ କୁ ସେମାନେ ପ୍ରଶଂସା କରିବେ । ମଣିଷ ହେବ ଧନ୍ୟ ଓ ତା'ର ଜୀବନ ହେବ ସଫଳ ।
ସନ୍ଧାନୀ ତବ ସନ୍ଧାନ ପଥେ
କଣ୍ଟକ ଟେକେ ଶିର,
ସମ୍ମୁଖେ ତବ କୁହେଳି ରଚଇ
ମୋହ ମମତା' ର ନୀର ।
ଭିନ୍ନ କରି ସେ ତନ୍ଦ୍ରା ପରଶ
ହସାଅ ଭୁବନ ସାରା ।
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ସନ୍ଧାନୀ- ଅନୁସନ୍ଧାନ କାରୀ ବା ଯୁବ ଗୋଷ୍ଠୀ
ତବ- ତୁମର
ସମ୍ମୁଖେ ତବ- ତୁମ ସାମ୍ନା ରେ
କୁହେଳି ରଚଇ- କୁହୁଡି ସୃଷ୍ଟି କରଇ ବା ବାଟ ବଣା କରଇ
ତନ୍ଦ୍ରା ପରଶ- ନିଦ୍ରା ବା ଆଳସ୍ୟ ର ସ୍ପର୍ଶ
କବି ଓ କଳା:-
ତୁମେ ନୂଆ ଯୁଗର ବିଜ୍ଞାନୀ । ତୁମେ ସନ୍ଧାନୀ । ତୁମେ ସୁଖ ଶାନ୍ତି ଭରା ସମାଜ ର ସ୍ଵପ୍ନ-ନାୟକ । ତୁମେ କୋଟିଏ ଜୀବନର ଆଶା ର ଆଲୋକ । କିନ୍ତୁ ତୁମ ଚଳା-ପଥ କଣ୍ଟକମୟ । ତେଣୁକରି କର୍ମ ପଥ ରେ ତୁମକୁ ବହୁ ଘାତ, ପ୍ରତିଘାତ, ବାଧା ଓ ବନ୍ଧନ କୁ ସାମନା କରିବାକୁ ହେବ । ମୋହ, ମାୟା,ମମତା' ଆଦି ତୁମ ସମ୍ମୁଖ ରେ କୁଜ୍ଝଟିକା ସୃଷ୍ଟି କରିବସିବ । ସେ ସବୁ ତୁମକୁ ତୁମର ଦାୟିତ୍ଵ ରୁ ବିଚ୍ୟୁତ କରିବାକୁ ଶତଚେଷ୍ଟା କରିବସିବେ । ମୋହ, ମାୟା, ମମତା' ର ସେହି କୁହୁଡିକୁ ଅତିକ୍ରମ କରି ତୁମକୁ ଆଗକୁ ବଢିବାକୁ ପଡିବ । ତା ହେଲେ ହିଁ କେବଳ ଜରାଜୀର୍ଣ୍ଣ, ନିଷ୍ପେସିତ, ସନ୍ତପ୍ତ ମଣିଷଙ୍କ ମୁହଁ ରେ ଅଳପ ହସ ଖେଳି ଉଠିବ ।
ବର୍ଣ୍ଣନା:-
ତରୁଣ ଗୋଷ୍ଠୀ ସନ୍ଧାନୀ । ସମାଜ ର ସୁଖ ସମୃଦ୍ଧି ର ଅନୁସନ୍ଧାନ ହେଉଛି ଯୁବ ଗୋଷ୍ଠୀ ଙ୍କ ର କର୍ତ୍ତବ୍ୟ । ସମାଜ ର ମଙ୍ଗଳକର୍ତ୍ତା ସେମାନେ । ତେଣୁକରି ସମାଜ ର ମଙ୍ଗଳ ନିମନ୍ତେ ତରୁଣ ଗୋଷ୍ଠୀ ର ଅନୁସନ୍ଧାନ ପଥ ରେ ବାଧା ପ୍ରତିବନ୍ଧକ ସବୁ ଦେଖାଦେବା ସ୍ଵାଭାବିକ । ପର ର ମଙ୍ଗଳ ନିମନ୍ତେ ନିଜକୁ ଅଗ୍ନି ପରୀକ୍ଷା ମଧ୍ୟ ଦେବାକୁ ପଡିଥାଏ । ମାତା, ପିତା, ପତ୍ନୀ, ପୁତ୍ର, ଦୁହିତା ଆଦି ର ମୋହ ଓ ମମତା ରେ ମଣିଷ କର୍ମପଥ ରୁ ବିଚ୍ୟୁତ ହୋଇଯାଏ । ସେ ଦେଖିପାରେନା ଆପଣା ଲୋକର ଲୁହ, ଭାଙ୍ଗିପଡେ ସେ । ଏ ମୋହ, ମାୟା, ସ୍ନେହ, ମମତା ଆଦି ମଣିଷ ର ଚଳାପଥ ରେ କୁଜ୍ଝଟିକା ସୃଷ୍ଟି କରି ମଣିଷ କୁ ବାଟବଣା କରିଦିଏ ।
ତରୁଣ ଗୋଷ୍ଠୀ ଏହି ମାୟା ମୋହ ର କୁହେଳିକା କୁ ସାମ୍ନା କରି ଆଗକୁ ବଢିବାକୁ ପଡିବ ବୋଲି କବି ଆଶା ବ୍ୟକ୍ତ କରିଛନ୍ତି ।
ଚିରି ଅତୀତ ର ଜୀର୍ଣ୍ଣ ଜୀବନ
ଜାଗ ଆହେ ଭବିଷ୍ୟତ ,
ଚୂର୍ଣ୍ଣ କରୁ ରେ ସ୍ୟନ୍ଦନ ତବ
ପୀଡନ ର ପରବତ ।
ଭାଜିପଡୁ ଆଜି ଅର୍ଗଳରାଜି
ଘେନ ବିଜୟ ର ମାଳା,
ଜାଗ ବନ୍ଧନ ହରା ।
ପଂକ୍ତି ଟି ରେ ଥିବା କେତେକ କଠିନ ଶବ୍ଦ ଓ ସେ ସବୁର ଅର୍ଥ ନିମ୍ନ ମତେ ଗ୍ରହଣ କରିବା ଅନୁମେୟ ।
ସ୍ୟନ୍ଦନ ତବ- ତୁମ ର କର୍ତ୍ତବ୍ୟ-ରଥ
ପୀଡନ ର ପରବତ- ପୀଡା ଦେଉଥିବା ପର୍ବତ ବା ବଡ଼ବଡ଼ କଷ୍ଟ ସବୁ
ଭାଜିପଡୁ- ଭାଙ୍ଗିପଡୁ
ଅର୍ଗଳରାଜି- ବନ୍ଧନ ସମୂହ
କବି ଓ କଳା:-
ଅତୀତ ର ଗ୍ଳାନି ଓ କ୍ଲେଶ ଭରା ଜୀବନ କୁ ଦ୍ରୁଷ୍ଟି ରେ ରଖି ସୁନ୍ଦର ସୁଖମୟ ଭବିଷ୍ୟତ ର ତୁମେ ଉଦ୍ୟମ କର । ମୋହ ର ନିଦ୍ରା ଭାଜି ତୁମେ ଜାଗ୍ରତ ହୁଅ । କର୍ତ୍ତବ୍ୟ ତୁମକୁ ଆହ୍ଵାନ କରୁଅଛି । ତୁମେ ଆଗକୁ ବଢିଯାଅ । ପାହାଡ ପର୍ବତ ସମ ଦୁଃଖ କଷ୍ଟ କୁ ତୁମ କର୍ତ୍ତବ୍ୟ ର ରଥଚକ୍ର ଚୁର୍ଣ୍ଣ କରିଦେଉ । ସମାଜ ର ଅନ୍ଧ ନିୟମ ଯୋଗୁଁ କ୍ଳାନ୍ତି ର କାରାଗାର ରେ ବନ୍ଦୀ ହୋଇଥିବା ଶତ ଶତ ଲୋକଙ୍କୁ ସେହି ନିରର୍ଥକ ବନ୍ଧନ ରୁ ମୁକ୍ତି ପ୍ରଦାନ କର । ତୁମେ ତୁମର କର୍ମ ପଥ ରେ ବିଜୟୀ ହୋଇ ସମାଜ ର ଅନ୍ଧକାର କୁ ଦୂର କରି ଅନ୍ଧାର ଭରା ମଣିଷ ର ହୃଦୟ ଭିତରେ ରେ ଆଶା ର ଏକ ପ୍ରଦୀପ ଜାଳିଦିଅ । ଦୁଖୀ , ରଙ୍କି ଓ ଦଳିତ ଙ୍କ ପାଇଁ ତୁମେ ଜାଗ୍ରତ ହୁଅ ।
ବର୍ଣ୍ଣନା:-
ତରୁଣ ମାନେ ଏ ସମାଜ ର ପଥ ପ୍ରଦର୍ଶକ । ସେମାନେ ଏ ସମାଜ ର ଭବିଷ୍ୟତ ମଧ୍ୟ । ସମାଜ ର ନୂଆ ଦିଗଦର୍ଶକ ସେମାନେ । ଏମାନଙ୍କ ଚଳାପଥ କଣ୍ଟକମୟ । ସମାଜ ରେ ଚଳିଆସୁଥିବା କୁସଂସ୍କାର , ଅନ୍ଧବିଶ୍ଵାସ ଆଦି ର ଉଚ୍ଛେଦ କରି କୋଟିଏ ପ୍ରାଣରେ ବଞ୍ଚିବାର ରାହା ଦେଖାଇବାକୁ ପଡିବ ସେମାନଙ୍କୁ । ତେଣୁକରି, ନିଦ୍ରା ବିମୋହିତ ଜୀବନରୁ ତରୁଣ ଗୋଷ୍ଠୀଙ୍କୁ ଜାଗ୍ରତ ହେବା କୁ ପଡିବ । ତରୁଣ ଗୋଷ୍ଠୀଙ୍କ କର୍ତ୍ତବ୍ୟ ର ରଥ ଚକ୍ର ତଳେ ପର୍ବତ ସଦୃଶ ମଣିଷ ର ବାଧା, ବିଘ୍ନ, ପ୍ରତିବନ୍ଧକ ସବୁ ଚୂର୍ଣ୍ଣ ହୋଇଯାଉ ବୋଲି କବି ଆଶା ବ୍ୟକ୍ତ କରିଛନ୍ତି । ଦୁଃଖ ଦରିଦ୍ରତା ଓ ନିରାଶା ର ଚିହ୍ନ ବର୍ଣ୍ଣ ଏ ସମାଜ ରୁ ଲୋପ ପାଇଯାଉ ବୋଲି ସେ ଚିନ୍ତା କରିଛନ୍ତି । ଉଚ୍ଚ, ନୀଚ୍ଚ, ଧନୀ, ଗରିବ, ଶିକ୍ଷିତ, ଅଶିକ୍ଷିତ ଆଦି ର ବନ୍ଧନ କୁ ଛିଣ୍ଡେଇ ଯୁବ ଗୋଷ୍ଠୀ କଳଙ୍କ ସବୁ କୁ ଧୌତ କରି ଏକ ସୁଖସମୃଦ୍ଧି ଭରା ସମାଜ ଗଠନ କରିପାରିବେ ବୋଲି କବି ତାଙ୍କର ମାର୍କ୍ସବାଦୀ ଚିନ୍ତାଧାରା ରେ ହଜି ଯାଇଛନ୍ତି ।
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment