Brukshya Mahatmya-ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
-ଅତିବଡି ଜଗନ୍ନାଥ
ଦାସ
ସାହିତ୍ୟ ଏକ ସିନ୍ଧୁ । ସେହି ସିନ୍ଧୁ ର କ୍ଷୁଦ୍ର ଜଳକଣା ସଦୃଶ ମୋର ଏହି ଛୋଟ ଉଦ୍ୟମ । ତା' ଭିତରେ ବ୍ୟାକରଣ ଜନିତ ଭୁଲ୍ ମଧ୍ୟ ଦୃଷ୍ଟିଗୋଚର ହୋଇପାରେ । କେବଳ ଛାତ୍ର ଛାତ୍ରୀ ଙ୍କୁ ଏକ ନିର୍ଦ୍ଧିଷ୍ଟ ବିଷୟରେ ସମ୍ୟକ୍ ଜ୍ଞାନ ବିତରଣ କରିବାର ଏକ ଦୁର୍ବାର କାମନା କୁ ଚରିତାର୍ଥ କରି ଅନ୍ତର ଭିତରେ ଉଠିଥିବା ଅଦମ୍ୟ ପିପାସା ର ଇତି କରିଛି । ଏ ଏକ ପ୍ରକାର ଧୃଷ୍ଟତା ଓ ଅପଚେଷ୍ଟା ଭାବେ ମଧ୍ୟ ବିବେଚିତ ହୋଇପାରେ ।ତଥାପି କିଞ୍ଚିତ୍ ଭାବେ ମଧ୍ୟ ଯଦି ପାଠକ ପାଠିକା ଙ୍କ ଜ୍ଞାନ ର ଭଣ୍ଡାରକୁ ଏହା ପରିପୁଷ୍ଟ କରେ ହେଲେ, ସେ ହିଁ ଏ ଅପଚେଷ୍ଟା ର ବହୁମୂଲ୍ୟ ।
Analysed By-M.B. Prasad.
ପୂର୍ବାଭାସ:-
ନିମ୍ନଲିଖିତ ପଂକ୍ତି ସବୁକୁ ଧ୍ୟାନ ର ସହ ପଢ ।
ଗୋବିନ୍ଦ ଗୋବିନ୍ଦ ଗୋବିନ୍ଦ । ପଦୁଁ ଗଳୁଛି ମକରନ୍ଦ । ।
ସେ ମକରନ୍ଦ ପାନ କରି । ହେଳେ ତରିଲେ
ବ୍ରଜନାରୀ । ।
ସେ ବ୍ରଜନାରୀଙ୍କ ପୟରେ । ମନ ମୋ ଥାଉ
ନିରନ୍ତରେ । ।
ମନ ମୋ ନିରନ୍ତରେ ଥାଉ । ହା କୃଷ୍ଣ ବୋଲି
ଜୀବ ଯାଉ । ।
ସ୍ରଷ୍ଟା ର
ନୈସର୍ଗିକ ସୃଷ୍ଟି ର ଚିତ୍ତାକର୍ଷକ ଦୃଶ୍ୟରାଜି ପଳକରେ ସମ୍ମୋହ କରିବସେ ମନପକ୍ଷୀ କୁ ।ସୁନୀଳ ବୁକୁରେ
ଡେଣା ହଲାଇ ଉଡିଆସୁଥିବା ମନ ଚଢେଇ, ଝୁଲି ରହେ ଅଦ୍ଵିତୀୟ
ଅବର୍ଣ୍ଣନୀୟ ତୃପ୍ତି ଭରା ସାହିତ୍ୟ-ଡାଳ ରେ । ନା ଭୋକ ! ନା ଶୋଷ
!! କିଛି ବି ଜଣା ପଡ଼େନା ତାକୁ । ଆନନ୍ଦରେ ଚିତ୍ତ ତା'ର ବିଭୋର ହୋଇରହେ
ସୃଷ୍ଟିର ଅଦ୍ଵିତୀୟ ସୌନ୍ଦର୍ଯ୍ୟ ଭିତରେ । ଗଡିଯାଏ ସମୟ , ଭରିଉଠେ ଅନ୍ତର ରେ ଅମୃତ ଓ ମୁହଁ ରେ ପ୍ରଗାଢ ଶାନ୍ତି ର ଛାୟା । ବିବ୍ରତ ହୁଏନା ସେ ବାସ୍ତବ ଦୁନିଆ ର ଘଟଣାବଳୀ ରେ । କ୍ଷଣିକ ମୁହୂର୍ତ୍ତ
ପାଇଁ ସୁଦ୍ଧା ଫେରି ଚାହିଁବାକୁ ଇଚ୍ଛା ବି ହୁଏନା ତାକୁ, ସେହି ସଂସାର ରୁ ଏହି ସଂସାରକୁ । ଏ ହେଉଛି ସାହିତ୍ୟ, ଯାହା ଭିତରେ ସାଗରର
ଜଳରାଶି ରୁ ବଳି ଅଧିକ ପରିମାଣରେ ଭରି ରହିଥାଏ ଅବୁଝା ଓ ଅସ୍ଥିର
ମନ ପାଇଁ ଅସୀମ ଆନନ୍ଦ ।
କର୍ମ କଷଣ ଦେହ ସହେ । ଅରଣ୍ୟେ ଅଜଗର
ପ୍ରାୟେ । ।
ନୀତିଶିକ୍ଷା ଭରା
କାଳଜୟୀ ଅଦ୍ୱିତୀୟ ଏକ ମହାନ୍ ପବିତ୍ର ଗ୍ରନ୍ଥ ହେଉଛି “ଓଡ଼ିଆ ଭାଗବତ” ।ସକଳ ପ୍ରାଣୀମାନଙ୍କ ମଧ୍ୟରେ ଶ୍ରେଷ୍ଠ ମାନବ କୁ, ସାମାଜିକ ପ୍ରାଣୀ ଭାବେ ଶୃଙ୍ଖଳିତ କରି ଗଢି ତୋଳିବା ଏହି ପବିତ୍ର ଗ୍ରନ୍ଥ ର ଲକ୍ଷ । ଅତୀତ ଓଡିଶା ରେ ଭାଗବତ ଟୁଙ୍ଗି ମାଧ୍ୟମରେ, ପୁରପଲ୍ଲୀ ବାସୀ ସଂନ୍ଧ୍ୟା ସମୟରେ ଏହି ମହାନ୍ ପୁସ୍ତକ ର କିଛି ଅଂଶ ଶ୍ରବଣ କରି ନିଜକୁ
କୃତ କୃତ ମନେକରୁଥିଲେ । ଜୀବନ ତାଙ୍କର ମୁକ୍ତି ହୋଇଗଲା ବୋଲି ସେମାନେ ବିଚାର କରୁଥିଲେ ।
ପ୍ରାଣୀ ର ଭଲମନ୍ଦ ବାଣୀ । ମରଣ କାଳେ ତାହା
ଜାଣି । ।
ମହାମୂଲ୍ୟ ଭରା ଏହି
ଓଡ଼ିଆ ଭାଗବତ ପୁସ୍ତକ ଟି ର ସ୍ରଷ୍ଟା ଥିଲେ ଅତିବଡ଼ି ଜଗନ୍ନାଥ ଦାସ ।କାବ୍ୟକବିତା ଯିଏ ରଚନା କରନ୍ତି ତାଙ୍କୁ କବି ବୋଲି କୁହାଯାଏ । କବି ଜଗନ୍ନାଥ ଦାସ ଓଡ଼ିଆ ସାହିତ୍ୟ ଇତିହାସ ର ପଞ୍ଚସଖା ଯୁଗର ଶ୍ରେଷ୍ଠ ପାଞ୍ଚ ଜଣ
କବିମାନଙ୍କ ମଧ୍ୟରୁ ଜଣେ । ଥରକ ର କଥା, ଶ୍ରୀ ଚୈତନ୍ୟ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ କରିବାର୍ଥେ ଶ୍ରୀମନ୍ଦିର ରେ ଆସି ପହଞ୍ଚିଲେ । ସେଇଠି ବଟ ଗଣେଶ ତଳେ ଶଙ୍ଖ ଚକ୍ର ଗଦା ଓ ପଦ୍ମ ଧାରୀ ବିଷ୍ଣୁଙ୍କ ରୂପରେ ଭାଗବତ ପଠନ କରି ସର୍ବସାଧାରଣଙ୍କୁ ବୁଝାଉଥିବା ଜଗନ୍ନାଥ ଦାସ ତାଙ୍କ ନୟନ ରେ ପ୍ରତୀତ ହେଲେ । ଶାନ୍ତି ଓ ଆନନ୍ଦ ଭରା ହୃଦୟ ରେ ସେ କବିଙ୍କୁ ଆଲିଙ୍ଗନ କଲେ ।କୃଷ୍ଣ ଭାବଭକ୍ତି ଭରା ଶ୍ରୀଚୈତନ୍ୟ ଭକ୍ତି ରେ "ତୁମେ ମୋ ଠୁଁ ବଳି ଗଲ" କହି
କବିଙ୍କୁ "ଅତିବଡ଼ି" ଉପାଧି ରେ ଭୂଷିତ କରିଥିଲେ ।
ଭାଗବତ
କୀର୍ତ୍ତିସ୍ତମ୍ଭ ସ୍ଥାପନ କରି ଓଡିଶା ର ପୁଣ୍ୟ ମାଟିର ଗୌରବ ମଣ୍ଡନ କରିଏହି ମହାନ୍ କବିଙ୍କ ର
ଜନ୍ମ ହୁଏ ପୁରୀ ର କପିଳେଶ୍ୱର ରେ ୧୪୯୦ ମସିହାରେ ଏକ ବ୍ରାହ୍ମଣ ପରିବାର ମଧ୍ୟରେ । ସେହି ସମୟରେ
କବିମାନେ ଅଲୌକିକ ଶକ୍ତି କୁ ଲାଭ କରି ନିଜର ପ୍ରକୃତ ପରିଚୟ କୁ ଗୋପନ ରଖି ଆରାଧ୍ୟ
ଦେବାଦେବୀଙ୍କ ଦାସ ଭାବେ ନିଜର ପରିଚୟ ପ୍ରଦାନ କରୁଥିଲେ ।
କବିଙ୍କ ଅମୁଲ୍ୟ
ନିଧି ଭିତରେ ଓଡ଼ିଆ ଭାଗବତ, ଅର୍ଥ କୋଇଲି, ତୁଲାଭୀଣା, ଦାରୁବ୍ରହ୍ମ ଗୀତା, ମୃଗୁଣୀ ସ୍ତୁତି
ଆଦି ଉଲ୍ଲେଖ ଯୋଗ୍ୟ । ଓଡ଼ିଆ ଭାଗବତ କବିଙ୍କ ଅମର କୀର୍ତ୍ତି । ଦ୍ୱାଦଶ ଖଣ୍ଡ ଭାଗବତ ମଧ୍ୟରୁ ଦଶମ ସ୍କନ୍ଧ ର ତ୍ରୟୋବିଂଶ
ଅଧ୍ୟାୟ ର ଗୋପଲୀଳା ଚରିତ ରୁ ବୃକ୍ଷ ମାହାତ୍ମ୍ୟ କବିତା କୁ ଉଦ୍ଧାର କରାଯାଇଛି ।
“ମାହାତ୍ମ୍ୟ” ଶବ୍ଦ ର ଅର୍ଥ
ମହିମା ବା ମହତ୍ୱ । କବି ଏହି କବିତା ଟି ରେ ବୃକ୍ଷ ର ମହତ୍ୱ ବିଷୟ ରେ ଆମମାନଙ୍କୁ
ଅବଗତ କରାଇଛନ୍ତି । ବୃକ୍ଷ ମାନବ ସମାଜ ପାଇଁ କେତେ ମହତ୍ତ୍ୱପୂର୍ଣ୍ଣ ତାହା କାହାକୁ ଅଛପା ନାହିଁ । ବୃକ୍ଷ ଭରା ଜଙ୍ଗଲ କୁ ଧରାଭୂମି ର ଶ୍ୱାସକ୍ରିୟା ସମ୍ପାଦନ କରୁଥିବା ଅଙ୍ଗ ବୋଲି ବିଚାର କରାଯାଏ ।କିନ୍ତୁ, ଆଜିକାଲି ବୃକ୍ଷ
ଛେଦନ ଯୋଗୁଁ ମାନବକୁ ନାହିଁ ନ ଥିବା ସମସ୍ୟା ସହିତ ସଂଘର୍ଷ କରିବାକୁ ପଡୁଛି ।ପ୍ରକୃତି ଭାରସାମ୍ୟ ହରାଇବସୁଥିବାରୁ ପ୍ରାକୃତିକ ବିପର୍ଯ୍ୟୟ ସବୁ ସମ୍ମୁଖକୁ ମାଡିଆସୁଅଛି । ଦିନ ଥିଲା ମଣିଷ
ପ୍ରକୃତି କୁ ଦେବତା ରୂପରେ ପୂଜା କରୁଥିଲା । ଅତୀତ ର ସେହି
ପ୍ରକୃତି ପୂଜକ ବେଳେବେଳେ ଦାନବ ସାଜି ପ୍ରକୃତି କୁ ଶୋଷଣ କରିଚାଲୁଛି । ରକ୍ଷକ ଯେତେବେଳେ ଭକ୍ଷକ ସାଜିଉଠେ, ପରିସ୍ଥିତି ଅନୁକୂଳ ନ ହୋଇ ପ୍ରତିକୂଳ ଅବସ୍ଥା ପ୍ରାପ୍ତ କରିଥାଏ । ପ୍ରକୃତିର ଯଦି ଆମେ ଯତ୍ନ ନେବା, ସାରା ଭୂମଣ୍ଡଳ ହସିଉଠିବ । ଧରାଧାମ ସ୍ୱର୍ଗ ଧାମ ପାଲଟିଯିବ ଓ ଏହା ନିଃସନ୍ଦେହ ।
ବୃକ୍ଷର ଉପକାରିତା
ଉପରେ ପର୍ଯ୍ୟବେଶିତ ଏହି କବିତା ଟି ରେ ଅତିବଡ଼ି ଜଗନ୍ନାଥ ଦାସ ବୃକ୍ଷ ର ପରୋପକାର ଗୁଣ କୁ ନେଇ ବୃକ୍ଷକୁ ସୁଜନ ବ୍ୟକ୍ତି ସହ ତୁଳନା କରିଛନ୍ତି । ବୃକ୍ଷ ବଞ୍ଚିଥିବା
ଅବସ୍ଥା ରେ ଓ ମରିଗଲା ପରେ ମଧ୍ୟ ମାନବ ସମାଜ ର ଅନେକ ଉପକାର ରେ ଆସିଥାଏ । ମାନବ ଜୀବନରେ ପ୍ରକୃତି ଏକ ଗୁରୁତ୍ଵପୂର୍ଣ୍ଣ ଭୂମିକା ତୁଲାଉଥିବା “ବୃକ୍ଷ ମାହାତ୍ମ୍ୟ”
କବିତା ରୁ ସ୍ପଷ୍ଟ ହୋଇଉଠେ ।
ଗୋପପୁର ର
ଗୋପାଙ୍ଗନା ମାନେ ଯମୁନା ନଦୀ ରେ ଶିବ ପାର୍ବତୀଙ୍କୁ ପୂଜା କରି ଅନ୍ୟ କୌଣସି ବର ରେ ପ୍ରୟୋଜନ ନ ରଖି ଶ୍ରୀକୃଷ୍ଣଙ୍କୁ ସ୍ୱାମୀ ଭାବରେ ଲାଭ କରିବାକୁ ବର ପ୍ରାପ୍ତ କରନ୍ତି । ଏହି ଗୋପ ନାରୀ ସବୁ ଏକଦା ଯମୁନା କୂଳରେ ବସ୍ତ୍ର ସବୁ ଥୋଇଦେଇ ଜଳ କ୍ରୀଡା କରୁଥିବା ସମୟରେ
ଲୀଳାମୟ ପୁରୁଷ ସମସ୍ତ ବସ୍ତ୍ର କୁ ନେଇ କଦମ୍ବ ଡାଳ ରେ ସାଜି ରଖନ୍ତି । ଗୋପ ନାରୀଙ୍କ କାକୁତି ମିନତି ବୃଥା ହୋଇଯାଏ ।ଶେଷରେ, କୃଷ୍ଣଙ୍କ ପ୍ରତି ସମ୍ପୂର୍ଣ୍ଣ ଭାବେ ସମର୍ପିତା ହେବାରୁ
କୃଷ୍ଣ ଗୋପ ରମଣୀ ମାନଙ୍କ ବସ୍ତ୍ର ସବୁ ଫେରାଇ ଦିଅନ୍ତି । ଗୋପାଙ୍ଗନା ମାନେ
କୃଷ୍ଣଙ୍କୁ ସ୍ୱାମୀ ଭାବେ ପାଇବା ର ମନୋସ୍କାମନା କୁ ସଫଳ କରିବାକୁ କୃଷ୍ଣଙ୍କ ନିକଟରେ ବିନୟ
କରନ୍ତି ଓ ଶ୍ରୀକୃଷ୍ଣ ସମସ୍ତ ଗୋପାଙ୍ଗନା ଙ୍କୁ ପ୍ରତିଶ୍ରୁତି ଦେଇ ଗୃହ କୁ ପ୍ରତ୍ୟାବର୍ତ୍ତନ
କରିବାକୁ ଆଜ୍ଞା ଦିଅନ୍ତି । ଏ ହେଉଛି କବିତା ର ପୂର୍ବ ପ୍ରସଙ୍ଗ ।
କବିତା ର ବର୍ଣ୍ଣନା
ଏମନ୍ତେ କୃଷ୍ଣ ଆଜ୍ଞା ପାଇ
କନ୍ୟାଏ ଗଲେ ତୋଷ ହୋଇ ।
ଗୋବିନ୍ଦ ପାଦେ ମନ ଥୋଇ
ମିଳିଲେ ନିଜ ଘରେ ଯାଇ ।
ଏମନ୍ତେ- ଏହି ଭାବେ
କନ୍ୟାଏ- ଗୋପ ବାଳା ମାନେ
ତୋଷ- ଆନନ୍ଦ
ଗୋବିନ୍ଦ- ଶ୍ରୀକୃଷ୍ଣ
ମିଳିଲେ- ପହଞ୍ଚିଲେ
ଯମୁନା ନଦୀ ରେ
ଗୋପାଙ୍ଗନା ମାନଙ୍କ ଜଳ କ୍ରୀଡା ଓ କଦମ୍ବ ବୃକ୍ଷ ଡାଳ ରେ ବସିରହିଥିବା ଶ୍ରୀକୃଷ୍ଣଙ୍କ ଦ୍ୱାରା
ସେମାନଙ୍କ ବସ୍ତ୍ର ହରଣ ପରେ ମୋହନ ପ୍ରେମ ରେ ଛନ୍ଦିହୋଇଯାଇଥିବା ଗୋପଵାଳା ମାନଙ୍କ ଅନ୍ତର ର
ଇଚ୍ଛା କୁ ପୂର୍ଣ୍ଣ କରିବା ର ସ୍ଵାନ୍ତନା ଦେବା ପରେ, ଶ୍ୟାମଳ ବର୍ଣ୍ଣଯୁକ୍ତ ଶ୍ୟାମ ସେମାନଙ୍କୁ
ଗୃହକୁ ଫେରିଯିବାକୁ ଆଜ୍ଞା ପ୍ରଦାନ କରନ୍ତି । ତଦୁପରେ, ଗୋପକନ୍ୟା ମାନେ ଆନନ୍ଦ ମନରେ କୃଷ୍ଣଙ୍କ ନିକଟରେ ତନୁ, ମନ ଓ ପ୍ରାଣ କୁ ସମର୍ପଣ କରି ଯମୁନା କୂଳ ତ୍ୟାଗ କରି ଗୃହକୁ
ପ୍ରତ୍ୟାବର୍ତ୍ତନ କରନ୍ତି ।
ଏ ହିଁ ତ ଅନନ୍ତ
ପ୍ରେମ । ଏଠି ପାଇବା ର କାମନା ହିଁ ନାହିଁ, ହେଲେ ଦେବାକୁ ମନ ସହିତ ଆତ୍ମା ଅଧୀର ହୋଇ ଉଠେ । ଏହି ସମ୍ପୂର୍ଣ୍ଣ ସମର୍ପଣ ହିଁ ତ ଅନନ୍ତ ସୁଖ ର ଏକ ମାତ୍ର ଉତ୍ସ । ପଞ୍ଚଭୂତ କୁ ନେଇ ସୃଷ୍ଟି ହୋଇଥିବା ଏହି ଶରୀର କ୍ଷଣିକ ମାତ୍ର । ରଙ୍ଗ ବେରଙ୍ଗ ର ପୋଷାକ ସଦୃଶ ଏହା କ୍ଷଣସ୍ଥାୟୀ । ପୁରୁଷ ଓ ନାରୀ
ବେଶର କେବଳ ଖୋଳ ମାତ୍ର ଏହି ପିଣ୍ଡ । ତେଣୁକରି ପଞ୍ଚ ଭୁତ ରେ ତିଆରି ହୋଇଥିବା ଏହି ଶରୀରରୁ ବାହାରି
ଆସି ସ୍ରଷ୍ଟା ଭିତରେ ମନ ଓ ପ୍ରାଣ କୁ ଯୋଡିଦେଲେ ଅନାୟାସ ରେ ମୁକ୍ତି ର ମାର୍ଗ ମିଳିଯାଏ, ଯେଉଁ ମୁକ୍ତି ଲାଭ କରିବା ର କାମନା ରଖି ଯୁଗ ଯୁଗ ମୁନି, ରୁଷି, ସାଧୁ, ସନ୍ଥ କାଳ ଅତିବାହିତ କରି ମଧ୍ୟ ପ୍ରାପ୍ତି କରି ପାରି ନ ଥାଆନ୍ତି । ପ୍ରେମ ଓ ଭକ୍ତି ରେ କ୍ଷଣିକ ମଧ୍ୟ ରେ ଧରାଦେଉଥିବା ସେହି ଲୀଳାମୟ ପୁରୁଷ ଜ୍ଞାନ ରେ ଧରା
ଦେଇନଥାନ୍ତି । ସେ ଦାସିଆ ହେଉ ବା ମୀରା ହେଉ ସମ୍ପୂର୍ଣ୍ଣ ସମର୍ପଣ ହିଁ ତ
ବୈକୁଣ୍ଠ ବିହାରୀ କୁ ପ୍ରେମ-ବନ୍ଧନ ରେ ବାନ୍ଧି ଆଣିପାରିଥାଏ । ଭକ୍ତି ର ପରାକାଷ୍ଠା ରେ, ଭାବ ରେ ବାନ୍ଧି
ହୋଇ ସ୍ୱର୍ଗ ରୁ ମର୍ତ୍ତ୍ୟ କୁ ଓହ୍ଲାଇ ଆସନ୍ତି ସେ ଭାବମୟ ପୁରୁଷ ।
ଗୋପାଳ ମେଳେ ଦାମୋଦର
ଗାଈ ଚରାଇ ଗଲେ ଦୂର ।
ନିଦାଘ ରବି ତେଜ ଲାଗି
ପୋଏ ହୋଇଲେ ଦୁଃଖଭାଗୀ ।
ଗୋପାଳ- ଗୋପ ବାଳକ
ଦାମୋଦର- ଶ୍ରୀକୃଷ୍ଣଙ୍କ ଅନ୍ୟ ଏକ ନାମ
ନିଦାଘ- ଗ୍ରୀଷ୍ମ କାଳ
ପୋଏ- ଗୋପ ବାଳକ ମାନେ
ରାଧାଙ୍କ ମନକୁ
ଚୋରିକରିଥିବା କୃଷ୍ଣ ଗୋପ ବାଳକ ମାନଙ୍କ ସହିତ ମିଶି ଧେନୁ ଓ ବତ୍ସା କୁ ଘେନି ବନ କୁ
ଚାଲିଯାନ୍ତି । ମାଁ ଦେଇଥାନ୍ତି ଦଧି ସାଥିରେ ଅନ୍ନ, କ୍ଷୁଧା ହେଲେ ନଦୀ କୂଳ ରେ ବସି ଭୋଜନ କରିବାକୁ ।ଖରା ସମୟ, ରୌଦ୍ରତାପ ଯୋଗୁଁ
ଶରୀର କଷ୍ଟ ପାଉଥାଏ । ଝାଞ୍ଜି ପବନ ଦେହର ମାଂସ ସବୁକୁ ସିଝେଇଦେଉଥିବା ଭଳି ମନେ
ହେଉଥାଏ । ଏହି ରୌଦ୍ରତାପ ଗୋପ ବାଳକ ମାନଙ୍କୁ ମଧ୍ୟ ଅସହ୍ୟ ମନେହୁଏ । ଜଳିବସୁଥିବା ତାଙ୍କ ଶରୀର ବୃକ୍ଷର ଶୀତଳ ଛାୟା ଅନ୍ୱେଷଣ କରୁଥାଏ ।
ଖରା ହେଉ ,ବର୍ଷା ହେଉ ବା ଶୀତ ହେଉ, ପ୍ରକୃତି ସବୁ ସମୟରେ ମଣିଷ ର ଉପକାର କରିଚାଲିଥାଏ ଠିକ୍ ମାଁ ଟିଏ ତା' ସନ୍ତାନ କୁ ବଞ୍ଚିଥିବା ଯାଏ ଦୃଷ୍ଟି ରଖିଥିବା ଭଳି । କିନ୍ତୁ ଭୌତିକ ସଂସାରରେ, ମାୟା, ମୋହ ଓ ଲୋଭ ର ବଶବର୍ତ୍ତୀ ହୋଇ ମଣିଷ ମନୁଷ୍ୟତା ଭୁଲି ବେଳେ
ବେଳେ ପ୍ରକୃତି ର ଅବଦାନ କୁ ମଧ୍ୟ ପାସୋରିଦେଇ ଶୋଷଣ କରିଚାଲେ ତାକୁ ।
ଚରାନ୍ତି ଗୋରୁ ଗୋପ ମେଳେ
ଶୀତଳ ଛାୟା ବୃକ୍ଷ ତଳେ ।
ବୃକ୍ଷ କୁ ଚାହିଁ ଦାମୋଦର
ବୋଲନ୍ତି ଗୋପଙ୍କ ଆଗର ।
ଛାୟା- ଛାଇ
ଚାହିଁ- ଅନାଇ
ବୋଲନ୍ତି- କହନ୍ତି
ଗୋପଙ୍କ- ଗୋପ ବାଳକଙ୍କ
ଅତ୍ୟଧିକ ରୌଦ୍ରତାପ
କୁ ସହ୍ୟ କରି ନ ପାରି ଗୋପ ବାଳକ ମାନଙ୍କ ସହିତ କୃଷ୍ଣ ବୃକ୍ଷ ର ଶୀତଳ ଛାୟା ତଳ କୁ ଚାଲି ଆସନ୍ତି । ଶରୀର ରେ ଶୀତଲତା ଛାଇଯିବାରୁ କୋମଳ ପ୍ରାଣ ଶାନ୍ତି ଲାଭ କରେ । ବତ୍ସା ସହିତ ଧେନୁ ପଲ ମଧ୍ୟ ଛାଇ ତଳକୁ ବିଶ୍ରାମ ପ୍ରାପ୍ତି କରିବା ଉଦ୍ଧେଷ୍ୟରେ
ଚାଲିଆସନ୍ତି । ଶୀତଳ ପବନ ଆରାମ ଦେଉଥାଏ । ଥକା ହୋଇଯାଇଥିବା
ପିଣ୍ଡ ବୃକ୍ଷ ର ଶୀତଳ
ଛାୟା ଲାଭ କରି ତୃପ୍ତି ଅନୁଭବ କରିବାରୁ ପ୍ରାଣ କଅଁଳି ଉଠିଲା ଭଳି ମନେହୁଏ । ନିଜେ ସମସ୍ତ ରୌଦ୍ର ତାପ କୁ ସହ୍ୟ କରି ପର କୁ ଶୀତଲତା ବାଢ଼ୁଥିବା ବୃକ୍ଷ ର ମହାନ୍ ଗୁଣ
କୁ ଶ୍ରୀକୃଷ୍ଣ ସମସ୍ତ ଗୋପ ସାଙ୍ଗ ମାନଙ୍କ ସମ୍ମୁଖ ରେ ପ୍ରଶଂସା କରନ୍ତି ।
ଡାଳ, ପତ୍ର, ଫୁଲ ଓ ଫଳ ରେ ଶୋଭିତ ଵୃକ୍ଷ ମନ, ଆତ୍ମା ଓ ଶରୀର ଉପରେ ଆନନ୍ଦ ର ଲହରୀ ଚଳାଇଦିଏ । ତେଣୁକରି ତ ସେହି
ଅପୂର୍ବ ଆନନ୍ଦ ର ଲହରୀ ମାଳ ରେ ମନ, ଆତ୍ମା ଓ ଶରୀର ଝୁମି ଉଠେ ।ଦୂରେଇଯାଏ ସବୁପ୍ରକାର କ୍ଳେଶ ଓ ବିଷାଦ । ସ୍ରଷ୍ଟା ର ସୃଷ୍ଟି ଅମୃତ ମୟ ।
ହେ ସ୍ତୋକକୃଷ୍ଣ ମିତ ମୋର
ଶ୍ରୀଦାମ ଅର୍ଜୁନ ସୁବଳ ।
ଅଂଶୁ ବିଶାଳ ଦେବପ୍ରସ୍ଥ
ଦେଖ ଏ ବୃକ୍ଷଙ୍କ ମହତ୍ତ୍ୱ ।
ମିତ- ସାଙ୍ଗ
ମହତ୍ତ୍ଵ- ମହାନ ଗୁଣ
ସାରା ଜୀବନ ସମସ୍ତ
ଦୁଃଖ କ୍ଳେଶ କୁ ସହ୍ୟ କରି ଇଶ୍ୱରଙ୍କ ଅପୂର୍ବ ସୃଷ୍ଟି ର ଏକ ମହାନ୍ ସୃଷ୍ଟି ଏହି ବୃକ୍ଷ କୁ
ଶ୍ରୀକୃଷ୍ଣ ପ୍ରଶଂସା କରନ୍ତି । ତା' ର ମହାନ୍ ଗୁଣ ସବୁକୁ ସାଙ୍ଗମାନଙ୍କ ସମ୍ମୁଖ ରେ ସେ ପରିପ୍ରକାଶ କରନ୍ତି ।ସ୍ତୋକକୃଷ୍ଣ, ଶ୍ରୀଦାମ, ଅର୍ଜୁନ , ସୁବଳ, ଅଂଶୁ, ବିଶାଳ, ଦେବପ୍ରସ୍ଥ ଆଦି ସାଙ୍ଗ ମାନଙ୍କ ସମ୍ମୁଖ ରେ ବୃକ୍ଷ ର ମହିମା କୁ ଗୋଟି ଗୋଟି କରି ବଖାଣି
ବସନ୍ତି । ବୃକ୍ଷ ପର ର ଉପକାର କରିବାକୁ ଜୀବନ ଧାରଣ କରିଅଛି ବୋଲି
ସେମାନଙ୍କୁ ବୁଝାନ୍ତି । ବୃକ୍ଷ ପ୍ରତି ଅନ୍ତର ମଧ୍ୟ ରେ ମହାନ୍ ଭାବନା ରହିବା ଉଚିତ୍
ବୋଲି ସେ ଗୋପ ବାଳକ ମାନଙ୍କ ଧ୍ୟାନ ଆକର୍ଷଣ କରନ୍ତି ।
ପରେ କରନ୍ତି ଉପକାର
ସୁଜନ ପ୍ରାଣୀଙ୍କ ବେଭାର ।
ଶୀତ ବରଷା ଘର୍ମ ଦୁଃଖ
ସହି ଆମ୍ଭଙ୍କୁ ଦ୍ୟନ୍ତି ସୁଖ ।
ପରେ – ଅନ୍ୟ କୁ
ସୁଜନ- ସାଧୁ, ସନ୍ଥ, ଜ୍ଞାନୀ
ପୁରୁଷ
ବେଭାର- ବ୍ୟବହାର
ଘର୍ମ- ଝାଳ
ସହି- ସହନ କରି
ଧେନୁ ଓ ବତ୍ସା ସବୁ
କୁ ସଙ୍ଗ ରେ ଘେନି ବନକୁ ଚାଲିଆସିଥିବା କୃଷ୍ଣ ବୃକ୍ଷ ର ଉପକାର କୁ ଶତମୁଖା ଭାବେ ଗୋପ ବାଳକ
ମାନଙ୍କ ଆଗରେ ବର୍ଣ୍ଣନା କରିବସନ୍ତି । ବୃକ୍ଷ ଜୀବନ ସାରା ପରର ଉପକାର କରିଥାଏ ବୋଲି ବୃକ୍ଷ ର ମହିମା ସେମାନଙ୍କୁ ବୁଝାଇଦିଅନ୍ତି । ସାରା ଜୀବନ ବୃକ୍ଷ ପରର ଉପକାର କୁ ଏକମାତ୍ର କର୍ତ୍ତବ୍ୟ ମନେ କରିଥାଏ । ସାଧୁ, ସନ୍ଥ ଓ ବିଜ୍ଞ ବ୍ୟକ୍ତି ସଦୃଶ ବୃକ୍ଷ ର ମଧ୍ୟ ସମାନ ମହିମା ଦୃଷ୍ଟି ଗୋଚର ହୋଇଥାଏ ।ଖରା, ବର୍ଷା ଓ ଶୀତ କୁ
ସହ୍ୟ କରି ସେ କେବଳ ପରର ଉପକାର କରିଚାଲିଥାଏ । ଵର୍ଷ ସାରା
ପ୍ରକୃତି ର ତାଡନା ସବୁ କୁ ମଥା ପାତି ସହନ କରି ସମସ୍ତ ପ୍ରାଣୀ ସମାଜ କୁ ସୁଖ ପ୍ରଦାନ କରିଥାଏ
ବୋଲି ସଖାମାନଙ୍କୁ ବୃକ୍ଷ ର ମହିମା ଉପରେ କୃଷ୍ଣ ଜ୍ଞାନ ପ୍ରଦାନ କରିଛନ୍ତି ।
ଧନ୍ୟ ଜୀବନ ଏହାଙ୍କର
ଜୀବିକା ହୋନ୍ତି ପ୍ରାଣୀଙ୍କର ।
ସୁଜନ ଘର ଯେହ୍ନେ ଯାଇ
ଅତିଥି ନିରାଶ ନୁହଇ ।
ଜୀବିକା- ଜୀବନ ନିର୍ବାହ କରିବାର ମାଧ୍ୟମ
ନିରାଶ- ଆଶା ଶୂନ୍ୟ ଅବସ୍ଥା
ବୃକ୍ଷ ର ଶୀତଳ
ଛାୟା ତଳେ ତୁଷ୍ଟ ହୋଇ କୃଷ୍ଣ ସଖା ମାନଙ୍କ ସମ୍ମୁଖରେ ବୃକ୍ଷ ର ଗୌରବ ଗାନ କରିଛନ୍ତି । ପରୋପକାର ପାଇଁ ଜୀବନ ଧାରଣା କରିଥିବା ବୃକ୍ଷ କୁ ସମ୍ମାନ ପୂର୍ବକ ଧନ୍ୟ ବୋଲି ସେ ପ୍ରସଂଶା
କରିଛନ୍ତି । ବଞ୍ଚିଥିବା ଅବସ୍ଥାରେ ଓ ମରିଗଲା ପରେ ମଧ୍ୟ ବୃକ୍ଷ ଅନ୍ୟ ର
ଅନେକ ଉପକାର ରେ ଆସିଥାଏ ବୋଲି ବୃକ୍ଷ ର ମହାନତା କୁ ଗୋପ ବାଳକଙ୍କ ନିକଟରେ ସେ ପ୍ରକାଶ
କରିଛନ୍ତି । ବୃକ୍ଷ ର ଉପକାର ବିଷୟରେ କହୁଁ କହୁଁ ବୃକ୍ଷ କୁ ମାଧ୍ୟମ କରି
ଲୋକେ ଜୀବିକା ମଧ୍ୟ ନିର୍ବାହ କରିଥାନ୍ତି ବୋଲି ବୃକ୍ଷ ର ମହତ୍ତ୍ଵ କୁ ଉପଲବ୍ଧି କରିବାକୁ
କୃଷ୍ଣ ସଖା ମାନଙ୍କ ଦୃଷ୍ଟି ଆକର୍ଷଣ କରିଛନ୍ତି । ବୃକ୍ଷ ର ଫୁଲ, ଫଳ,ପତ୍ର ଆଦି ବିକ୍ରୟ କରି ସେମାନେ ସେମାନଙ୍କ ସଂସାର ଚଳାଇଥାନ୍ତି ବୋଲି ସେ ସ୍ପଷ୍ଟ କରିଛନ୍ତି । ବୃକ୍ଷ ନିକଟରେ କେହି କେବେ ନିରାଶ ହୋଇନଥାଏ । ଅତିଥି ଯେଉଁଭଳି
ଗୁଣି ଜ୍ଞାନୀ ପାଖରେ ଉପଯୁକ୍ତ ସତ୍କାର ଲାଭ କରେ , ଠିକ୍ ସେହିଭଳି ବୃକ୍ଷ ନିକଟରେ ପ୍ରାଣୀ ଫଳ ପୁଷ୍ପ ଲାଭ ନ କଲେ ମଧ୍ୟ ଅନ୍ତତଃ ଡାଳ ର ଶୀତଳ
ଛାୟା ଲାଭ କରି ପ୍ରାଣ ରେ ଶୀତଲତା ପ୍ରାପ୍ତ କରିଥାଏ ବୋଲି କୃଷ୍ଣ ଗୋପସାଙ୍ଗ ମାନଙ୍କୁ ଜଣାଇଛନ୍ତି । ଏହି ସମସ୍ତ କାରଣରୁ
ବୃକ୍ଷ ନିଜ ଜୀବନକୁ ସାର୍ଥକ କରିପାରିଛି ବୋଲି ସେ ସଖା ମାନଙ୍କ ନିକଟରେ ବୃକ୍ଷ ର ଅନେକ
ପ୍ରଶଂସା କରିଛନ୍ତି ।
ପତ୍ର କୄସୁମ ଫଳ ଛାଇ
ମୂଳ ବକଳ ଦାରୁ ଦେଇ ।
କ୍ଷାର, ଅଙ୍ଗାର, ଭସ୍ମ, ଅଠା
ଗୃହକୁ ସାଜି ବାଡ କଣ୍ଟା ।
କୁସୁମ- ଫୁଲ
ବକଳ- କଞ୍ଚା ଅବସ୍ଥା ରେ ଥିବା ବୃକ୍ଷ ଗଣ୍ଡି ର ଉପର କଅଁଳ ଅଂଶ
ଦାରୁ- କାଷ୍ଠ ଗଣ୍ଡି
ବୃକ୍ଷ ର ପ୍ରତ୍ୟେକ
ଅଂଶ କୁ ଆମେ ବ୍ୟବହାର କରିଥାଉଁ । ବୃକ୍ଷ ସତେ ଯେମିତି ପର ପାଇଁ ହିଁ ଜନମ ନେଇଛି । ପରର ଉପକାର କରିବା ତା' ଜୀବନ ର ବ୍ରତ ହୋଇ
ରହିଛି । ସମସ୍ତ ଦୁଃଖ କ୍ଳେଶ କୁ ସହ୍ୟ କରି ସେ ପର ପାଇଁ ନିଜକୁ
ଉତ୍ସର୍ଗ କରିଦେଇଛି । ବୃକ୍ଷ ର ବିଭିନ୍ନ ଅଂଶ ଯଥା ଫୁଲ, ଫଳ, ଡାଳ, ପତ୍ର, ମୂଳ, ବକଳ ଆଦି କୁ ଆମେ ବିଭିନ୍ନ କାରଣ ରେ ବିଭିନ୍ନ ସମୟରେ ବ୍ୟବହାର କରିଥାଉଁ । ଅଙ୍ଗାର,ପାଉଁଶ ଓ ଅଠା ମଧ୍ୟ
ବୃକ୍ଷ ନିକଟରୁ ପ୍ରାପ୍ତ କରି ଆମର ଆବଶ୍ୟକତା କୁ ଆମେ ମେଣ୍ଟାଇ ଥାଉଁ । କେବଳ ଏତିକି ନୁହଁ, ଘର ଚତୁର୍ଦିଗ ରେ
ବାଡ଼ କରିବା ପାଇଁ ମଧ୍ୟ ଆମେ ବୃକ୍ଷ କୁ ବ୍ୟବହାର କରିଥାଉଁ । ବୃକ୍ଷ ବିନା ଆମର
ବଞ୍ଚିବା ଅସମ୍ଭବ ହୋଇଉଠେ । ତଥାପି, ମନୁଷ୍ୟ ବୃକ୍ଷ କୁ ଚିହ୍ନିବାରେ ବିଫଳ ହୋଇଉଠେ ଓ ସେହି କାରଣରୁ ପ୍ରକୃତିର ଭୟଙ୍କର ଶକ୍ତି
ସବୁର ସହିତ ସଂଘର୍ଷ କରି ସେ ଥକି ପଡିଥାଏ ।ମରୁଡି, ଅନାଟନ, ଜଳବାୟୁ ର ପରିବର୍ତ୍ତନ ଆଦି କେବଳ ମନୁଷ୍ୟ ର ବୃକ୍ଷ ଉପରେ ହେଉଥିବା ଅତ୍ୟାଚାର ରୁ ହିଁ
ସୃଷ୍ଟି ହୋଇ ମାନବ ସମାଜ ର କ୍ଷତି କରିଚାଲିଛି ବୋଲି ବୁଝିବା ରେ ସେ ବିଳମ୍ବ କରିବସେ ।
ଏତେ ପ୍ରକାରେ ସେବା କରି
ନିତ୍ୟେ ଏ ପର ଉପକାରୀ ।
ଏହାଙ୍କ ପ୍ରାୟେ ଯେବେ ହୋଇ
ସଂସାର ମଧ୍ୟେ ଦେହ ବହି ।
ବହି- ଧାରଣ କରି
ଫୁଲ, ଫଳ, ଡାଳ, ବକଳ ଯାହା ବି ହେଉ
ବୃକ୍ଷ ନିଜ ଅଙ୍ଗ ର ସମସ୍ତ ଅଂଶ କୁ ପର ପାଇଁ ହିଁ ଯତ୍ନ କରି ସଞ୍ଚିରଖିଥାଏ । ତେଣୁକରି ସେ ପରୋପକାରୀ ଓ ପରର ଉପକାର କରୁଥିବାରୁ ତା’ ଜୀବନ ଧନ୍ୟ ବୋଲି କୃଷ୍ଣ ଗୋପବାଳକ ମାନଙ୍କୁ ପ୍ରକାଶ କରିଛନ୍ତି । ବୃକ୍ଷ ଅତ୍ୟନ୍ତ ଉଦାର ବୋଲି ଆମକୁ ତା’ ନିକଟରୁ ଅନେକ କିଛି ଶିଖିବା ର ବାକି ରହିଅଛି । ଅନ୍ୟ ର ଅମଙ୍ଗଳ
ପାଇଁ ନୁହଁ, କେବଳ ମଙ୍ଗଳ ପାଇଁ
ହିଁ ଧରାଧାମ ରେ ଆମର ଜନମ ହୋଇଛି । ପ୍ରାଣୀ ମଧ୍ୟ ରେ ଶ୍ରେଷ୍ଠ ବୋଲାଉଥିବା ଏହି ମଣିଷ ପିଣ୍ଡ ରେ
ପ୍ରାଣ ଥିବା ପରିଯନ୍ତେ ଅନ୍ୟ ର ଉପକାର କରିବାକୁ ନିଜର ପ୍ରଥମ କର୍ତ୍ତବ୍ୟ ବୋଲି ଅନ୍ତର ଭିତରେ ଗ୍ରହଣ କରିନେବା ଉଚିତ୍ ।ମଣିଷ ଏତିକି ଶିଖିପାରିଲେ ସେହି ଦିନ ଧାରା ଧାମ ସ୍ଵର୍ଗ ଧାମ ପାଲଟିଯିବ, ଏଥିରେ ତିଳେ ମାତ୍ର ସନ୍ଦେହ ନାହିଁ ।
ମନ ବଚନ ଧନେ କରି
ଯେ ହୋଇ ପର ଉପକାରୀ ।
ଦିନ ହରନ୍ତି ଦୁଃଖ ସୁଖେ
ସେ ଧନ୍ୟ ଇହ ପରଲୋକେ ।
ବଚନ- କଥା
ପର- ଅନ୍ୟ ର
ହରନ୍ତି- କାଳ କାଟନ୍ତି
ବୃକ୍ଷ ଯେଉଁଭଳି
ସମସ୍ତ ଦୁଃଖ କଷ୍ଟ କୁ ସହି ଜୀବନ ବ୍ୟାପି ପରର ଉପକାର କରିଚାଲିଥାଏ, ମର୍ତ୍ତ୍ୟ ମଣ୍ଡଳ ରେ ଜନ୍ମ ଲାଭ କରି ତା' ଦୃଶ ଯଦି କୌଣସି ମନୁଷ୍ୟ କଥା ରେ ଓ କର୍ମ ରେ ଅନ୍ୟ ର ଉପକାର
କୁ ପୁଣ୍ୟମୟ ବ୍ରତ ବୋଲି ଦେଖାଇଦେଇପାରେ ତଥା ତା' ନିକଟରେ ଥିବା ଧନ ସମ୍ପତ୍ତି କୁ ମଧ୍ୟ ପରର ଉପକାର ରେ ବ୍ୟବହାର
କରେ ହେଲେ, ସେ ମଣିଷ ଏହି ମଞ୍ଚ
ପୁରରେ ଓ ମୃତ୍ୟୁ ପରେ ସେ ପୁରରେ ମଧ୍ୟ ଧନ୍ୟ ହୋଇଥାଏ ଓ ଗୌରବ ପ୍ରାପ୍ତ କରିଥାଏ । ସେ ଦୁଃଖସୁଖ ରେ ଦିନ
ବଞ୍ଚି ଅନ୍ୟ ର ମଙ୍ଗଳ କରିଥାଏ ।ସେହି ଭଳି ମଣିଷ ନର ରୂପରେ ନାରାୟଣ ସଦୃଶ । ସମସ୍ତ ସୃଷ୍ଟି କୁ ସେ ତା’ ଅନ୍ତରରେ ଧାରଣ କରି
ରଖେ । ତା’ ହୃଦୟ ରେ କୋମଳତା ଭରି ରହିଥାଏ ବୋଲି ଅନ୍ୟ ର ଦୁଃଖ କଷ୍ଟ କୁ ସହଜରେ ହୃଦୟଙ୍ଗମ କରିପାରେ । ସୃଷ୍ଟିର ସମସ୍ତ ପ୍ରାଣୀ ମାନଙ୍କ ମଧ୍ୟରେ ଶ୍ରେଷ୍ଠ ବୋଲାଉଥିବା ମଣିଷ ପାଖରେ ବିବେକ ଶକ୍ତି
ଥିବାରୁ ତା' ନିକଟରୁ ମହତ୍ ଗୁଣ
ସବୁ ଆଶା କରାଯାଏ । ପ୍ରକୃତିର ଉପାସକ ଭାବେ ମନୁଷ୍ୟ ମନୁଷ୍ୟତା ର ପରିଚୟ ପ୍ରଦାନ
କରିବା ଉଚିତ୍ ବୋଲି ବିଚାର କରାଯାଏ ।
ପୁଷ୍ପ ପଲ୍ଲବ ଫଳ ଦଳେ
ତରୁର ଲମ୍ବ ଡାଳ ତଳେ ।
ଗୋରୁ ଗୋପାଳ ଘେନି ସଙ୍ଗେ
ମିଳିଲେ ଯମୁନା ର ଲାଗେ ।
ଦଳେ- ପତ୍ର ସମୂହ
ତରୁ- ବୃକ୍ଷ
ମିଳିଲେ- ପହଞ୍ଚିଲେ
ଲାଗେ- ନିକଟକୁ
ଗ୍ରୀଷ୍ମ ର ପ୍ରଭାବ
ଯୋଗୁଁ ଶରୀର ରେ କଷ୍ଟ ଅନୁଭବ କରି କୃଷ୍ଣ ସମସ୍ତ ସାଙ୍ଗ ମାନଙ୍କ ସହିତ ଗୋ-ପଲ ନେଇ ନିକଟସ୍ଥ
ଯମୁନା ନଦୀ କୂଳକୁ ପହଞ୍ଚି ଗଲେ । ପୁଷ୍ପ, ପଲ୍ଲବ ଓ ଡାଳ ରେ ଶୋଭିତ ବୃକ୍ଷ ତଳରେ ସମସ୍ତେ ଏକତ୍ରିତ ହେଲେ । ଗ୍ରୀଷ୍ମ ତାପ ରେ କଷ୍ଟ ପାଉଥିବା ଶରୀର ଶୀତଲତା ପ୍ରାପ୍ତ କଲା । ଶରୀର ସହିତ ମନ ମଧ୍ୟ ରେ ଆନନ୍ଦ ସଞ୍ଚରି ଉଠିଲା । ବୃକ୍ଷ ର ଶୀତଳ ଛାୟା ରେ ଦେହ ର ଥକା ମେଣ୍ଟିଗଲା ।ଏତେ ମାତ୍ରା ରେ ଉପକାର କରୁଥିବାରୁ ବୃକ୍ଷ କୁ ପରୋପକାରୀ ଓ
ସୁଜନ ଜନ ସହିତ ତୁଳନା କରାଯାଏ । ସେ ଜୀବନ ବ୍ୟାପି ପର ର ଉପକାର କରିଚାଲୁଥାଏ । ଧନ୍ୟ ସେହି ବୃକ୍ଷ, ଯାହାର ସୁଶୀତଳ
ଛାୟା ଅବସନ୍ନ ଶରୀର ରେ କ୍ଷଣକ ମଧ୍ୟ ରେ ପ୍ରାଣର ଚଳ ଚଞ୍ଚଳତା କୁ ଫେରାଇ ଆଣିଥାଏ । ବାସ୍ତବରେ ପ୍ରକୃତି ମଧୁମୟ ଓ ଏହି କଥାକୁ କେବେ ଅସ୍ଵୀକାର କରାଯାଇ ନ ପାରେ । ପ୍ରକୃତି ଶିକ୍ଷା ର ଗନ୍ତାଘର । ପ୍ରକୃତି କୋଳରେ ବଢୁଥିବା ମଣିଷକୁ ପ୍ରକୃତିରୁ ଅନେକ ଶିକ୍ଷା
ଲାଭ କରିବାକୁ ହେବ ବୋଲି ସେ ହୃଦୟଙ୍ଗମ କରିବା ଅତ୍ୟାବଶ୍ୟକ ମନେହୁଏ ।
ଶୀତଳ ଜଳ ପାନ କରି
ବୃକ୍ଷ ର ତଳେ ନରହରି ।
କୃଷ୍ଣଙ୍କୁ ଦେଖି ଗୋପ ବାଳେ
କହନ୍ତି କ୍ଷୁଧା ର ବିକଳେ ।
ନରହରି- ନର ରୂପରେ ହରି
କ୍ଷୁଧା- ଭୋକ
ବିକଳେ- ମନ ଓ ଶରୀର ର କଷ୍ଟ ଅବସ୍ଥା
ଯମୁନା ନଦୀ ପହଞ୍ଚି
କୃଷ୍ଣ ଓ ଗୋପ ବାଳକ ମାନେ ଯମୁନା ଜଳ ରେ ତୃଷା ମେଣ୍ଟାଇ ବୃକ୍ଷ ର ଶୀତଳ ଛାୟା ତଳେ ଶରୀର ର ଥକା
ମେଣ୍ଟାଇଲେ । ଘର୍ମ ଯୁକ୍ତ ପିଣ୍ଡ ରେ ପ୍ରବାହିତ ହେଉଥିବା ପବନ ଶୀତଳତା
ଛାଇଦେଲା । ଧେନୁ ବତ୍ସା ସମସ୍ତେ ତୃଷା ନିବାରଣ କରି ବୃକ୍ଷ ତଳରେ
ବିଶ୍ରାମ ଲୋଡ଼ିବସିଲେ । ପ୍ରଚଣ୍ଡ ଗ୍ରୀଷ୍ମ ତାତି କୁ ମଥା ପାତି ସହ୍ୟକରି ବୃକ୍ଷ
ସମସ୍ତଙ୍କ ଶରୀର ର କ୍ଳାନ୍ତି ଦୂର କରି ପିଣ୍ଡ ଓ ପ୍ରାଣ ମଧ୍ୟରେ ତୃପ୍ତି ସଞ୍ଚାର କଲା । ସମୟକ୍ରମେ ଗୋପ ବାଳକ ମାନେ କ୍ଷୁଧା ରେ ବିକଳ ହେଉଥିଲେ । ସେମାନେ କୃଷ୍ଣଙ୍କ
ନିକଟରୁ ଉତ୍ତର ଲାଭ କରିବାକୁ ଚାହିଁ ବସିଥିଲେ । ଥକି ପଡ଼ିଯାଇଥିବା ତାଙ୍କ ଶରୀର ଆହାର ଲୋଡୁଥିଲା । ଦିବସ ର ଅର୍ଦ୍ଧେ ସମୟ ବିତିଯାଇଥିବାରୁ ତାଙ୍କ ଶରୀର ରେ କ୍ଷୁଧା ସୃଷ୍ଟିହେବା ସ୍ୱାଭାବିକ
ମନେହୁଏ ।ତେଣୁକରି, ଗୋପ ବାଳକ ମାନେ କୃଷ୍ଣଙ୍କ ସମ୍ମତି କ୍ରମେ ଭୋଜନ କରିବାକୁ ଚାହିଁ ବସିଥିଲେ ।
ସେ ରାମ କୃଷ୍ଣ ର ଅଗ୍ରତ
କହଇ ଦାସ ଜଗନ୍ନାଥ ।
ଅଗ୍ରତ- ସମ୍ମୁଖ
ଯେଉଁ ବୈକୁଣ୍ଠ
ବାସୀ, ମର୍ତ୍ତ୍ୟ ପୁରରେ
ଲୀଳାମୟ ପୁରୁଷ ଭାବେ ଜନ୍ମ ଲାଭ କରି, ଗୋପ ବାଳକ ମାନଙ୍କ ସହିତ ଧେନୁ ବତ୍ସା ଘେନି ଦଧି ସାଥିରେ ଅନ୍ନ ଧରି ବନ କୁ ଚାଲିଯାଉଥିଲେ, ଭକ୍ତ ବତ୍ସଳ ସେହି ନରହରି ଙ୍କ ଶ୍ରୀପାଦ ତଳେ, କବି ଜଗନ୍ନାଥ ଦାସ, ଦାସ ହେବାର ଆଶା ମନ ମଧ୍ୟ ରେ ରଖି ନିଜକୁ ସମ୍ପୂର୍ଣ୍ଣ ସମର୍ପଣ କରିଛନ୍ତି । ତାଙ୍କ ସମ୍ମୁଖ ରେ କବି ମଥା ନତ କରି ମୁକ୍ତି ର କାମନା ଲୋଡି ବସିଛନ୍ତି ।
READ OUR OTHER POSTS
1. ମଙ୍ଗଳେ ଅଇଲା ଉଷା -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
2. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
3. ବନ୍ଦେ ଉତ୍କଳ ଜନନୀ -CLASS-IX & X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
4. ସର୍ବଂସହା ମାଟି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
5. ଭୀମଙ୍କ ସିଂଘନାଦ ରଡି -CLASS-X- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
6. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
7. କୋଣାର୍କ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
8. ଫ ଲ୍ ଗୁ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
9. ବେଳ ଅଶ୍ୱତ୍ଥ ଓ ବଟବୃକ୍ଷ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
10. କାଳ ର କପୋଳ ତଳେ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
11. କାଠ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
12. ଓଡ଼ିଆ ସାହିତ୍ୟ କଥା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
13. କାନ୍ତକବି ଲକ୍ଷ୍ମୀକାନ୍ତ ମହାପାତ୍ର -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
14. ନରେନ୍ ରୁ ବିବେକାନନ୍ଦ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
15. ମାତୃଭାଷା ଓ ଲୋକଶିକ୍ଷା -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
16. ସଭ୍ୟତା ଓ ବିଜ୍ଞାନ -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
17. ଜନ୍ମଭୂମି -CLASS-X- ସଂକ୍ଷିପ୍ତ ପ୍ରଶ୍ନୋତ୍ତର
18. ଛନ୍ଦ -CLASS-X- ସରଳ ବ୍ୟାଖ୍ୟା
19. ଅଳଙ୍କାର -CLASS-X- ସରଳ ବ୍ୟାଖ୍ୟା
20. ବାକ୍ୟ ବିଚାର -CLASS-X- ସରଳ ବ୍ୟାଖ୍ୟା
21. The Road Not Taken- CLASS-IX- An analytical description in English
22. The Ant and The Cricket- CLASS-VIII- An analytical description in English
23. Squirrel- CLASS-VII- An analytical description in English
24. ବୃକ୍ଷ ମାହାତ୍ମ୍ୟ -CLASS-VIII- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
25. How the camel got his hump- CLASS-VIII- An analytical description in English
26. THE LOST CHILD- CLASS-IX- An analytical description in English
27. କାହା ମୁଖ ଅନାଇ ବଞ୍ଚିବି -CLASS-IX- କବିତା ର ସମ୍ପୂର୍ଣ୍ଣ ବର୍ଣ୍ଣନା
28. Fire and Ice-Class-X-ଉଗ୍ରତା ଓ ଉଦାସୀନତା- ଓଡିଆ ଭାଷା ରେ
29. Dust of Snow-Class-X-ପେନ୍ଥାଏ ବରଫ- ଓଡିଆ ଭାଷା ରେ
30. THE FUN THEY HAD- CLASS-IX- An analytical description in English
31. A letter to God-Class-X-ଈଶ୍ଵରଙ୍କୁ ଚିଠାଉ- ଓଡିଆ ଭାଷା ରେ
32. FIRE AND ICE- CLASS-X- An analytical description in English
33. ୨୦୨୪ ମାଟ୍ରିକ୍ ମାତୃଭାଷା ପ୍ରଶ୍ନପତ୍ର ଓ ୬ଷ୍ଠ ରୁ ୯ମ ଶ୍ରେଣୀ ପର୍ଯ୍ୟନ୍ତ ପରୀକ୍ଷା ପ୍ରଶ୍ନପତ୍ର ପ୍ରଘଟ ଘଟଣା
34. DUST OF SNOW- CLASS-X- An analytical description in English
35. A LETTER TO GOD-CLASS-X- An analytical description in English
36. ବିଂଶ ଶତାବ୍ଦୀ ଓ ଆମ ଓଡିଆ ଭାଷା -AN ESSAY-ମୋର ବ୍ୟକ୍ତିଗତ ଚିନ୍ତାଧାରା ମାତ୍ର
37. ମଙ୍ଗଲେ ଅଇଲା ଉଷା -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
38. ଚିଲିକାରେ ସାୟନ୍ତନ ଦୃଶ୍ୟ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
39. ବନ୍ଦେ ଉତ୍କଳ ଜନନୀ -CLASS-IX & X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
40. ସର୍ବଂସହା ମାଟି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
41. ଭୀମଙ୍କ ସିଂଘନାଦ ରଡି -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
42. ରାଘବଙ୍କ ଲଙ୍କା ଯାତ୍ରାନୁକୂଳ -CLASS-X-ସଂକ୍ଷିପ୍ତ ପ୍ରଶ୍ନୋତ୍ତର
43. ଜାଗ ବନ୍ଧନ ହରା-CLASS-X- ସରଳ ବ୍ୟାଖ୍ୟା
- M. B. Prasad.
copyright© 2023 M. B . Prasad, ABC Learning Point.
All rights reserved.
No part of this publication may be reproduced, distributed, or transmitted in any form or by any means, including photocopying, recording, or other electronic or mechanical methods, without the prior written permission of the publisher, except non-commercial uses permitted by copyright laws.
ବି: ଦ୍ର: - ପାଠକ ପାଠିକା ବା ଯେ କେହି ଉପରୋକ୍ତ ଲେଖା ମଧ୍ୟରେ କୌଣସି ତ୍ରୁଟି ଲକ୍ଷ କଲେ କିମ୍ବା ତ୍ରୁଟି ସମ କିଛି ମନେହେଲେ E-mail ମାଧ୍ୟମରେ ଆମକୁ ଖବର କରିବେ ବୋଲି ଆଶା ରଖୁଛୁ ।
Write us at pointabclearning@gmail.com
*****
Comments
Post a Comment